ମାତ୍ର ୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ

ମାତ୍ର ୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ

ଓଡିଶା ବଡ ଖବର

#ମାତ୍ର_୧୦_ପ୍ରତିଶତ_ଲୋକଙ୍କ_ଭୁଲ_ଯୋଗୁ_ସମସ୍ୟା_୧୦୦_ଗୁଣ_ବଢିପାରେ            ଭୁବନେଶ୍ୱର   :  ମାତ୍ର ୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ । ତେଣୁ ରାଜ୍ୟବାସୀ ସତର୍କ ରୁହନ୍ତୁ, ଓ ପ୍ରଶାସନ ସହ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
କରୋନା ଭାଇରସ ବା କୋଭିଡ୍-୧୯ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଦେଶର ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ତଥା ଆମ ପଡୋଶୀ ପଶ୍ଚିମବଙ୍ଗରୁ ବହୁ ଓଡିଆ ଭାଇଭଉଣୀ ରାଜ୍ୟକୁ ଫେରିବେ । ସେମାନଙ୍କ ଯତ୍ନ ନେବା ଆମର ଦାୟିତ୍ୱ । ବାହାରୁ ଲୋକ ଆସିଲେ ପଜିଟିଭ ସଂଖ୍ୟା ବଢିବ । କିନ୍ତୁ ପରିସ୍ଥିତି ନିୟନ୍ତ୍ରଣରେ ରହିପାରିବ, ଯଦି ଆପଣମାନେ ସରକାରକୁ ପୁରା ସହଯୋଗ ଯୋଗାଇ ଦେବେ ।
ତେଣୁ ଆମେ ସାବଧାନ ରହିବା । ଧର୍ଯ୍ୟ ରଖିବା । ବାହାରୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେସନ କରିବା । ସେମାନଙ୍କୁ କ୍ୱାରେଣ୍ଟାଇନ୍ ରେ ରଖିବାରେ ସରକାରଙ୍କୁ ପୁରା ସହଯୋଗ କରିବା ।ଏହାଦ୍ୱାରା ସେମାନେ ସୁସ୍ଥ ରହିବେ । ଆମ ପରିବାର ସୁସ୍ଥ ରହିବ । ଆମ ଗାଁ ଓ ଆମ ସମାଜ ମଧ୍ୟ ସୁସ୍ଥ ରହିବ ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଗତ ୧୦ ଦିନ ତଳେ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି । ସେତେବେଳେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୬୧ ଥିଲା ,ଏବେ ତାହା ଦୁଇ ଗୁଣ ବଢିଗଲାଣି । ଆମେ ସତର୍କ ରହିଲେ ବିପଦକୁ ଏଡେଇ ପାରିବା ।
ପ୍ରଥମେ ଆମ ପାଇଁ ଚ୍ୟାଲେଞ୍ଜ ଥିଲା ବିଦେଶରୁ ଫେରୁଥିବା ଓଡିଆ ଭାଇଭଉଣୀଙ୍କ ଯତ୍ନ ନେବା । ତା ପରେ ଚ୍ୟାଲେଞ୍ଜ ହେଲା ନିଜାମୁଦ୍ଦିନରୁ ଫେରୁଥିବା ବନ୍ଧୁ ମାନଙ୍କ ଠିକ୍ ଭାବରେ ଯତ୍ନ ନେବା ।ଏବେ ଆମର ତୃତୀୟ ଆହ୍ୱାନ ହେଉଛି, ପଶ୍ଚିମବଙ୍ଗରୁ ଫେରୁଥିବା ଭାଇଭଉଣୀ ମାନଙ୍କର ଯତ୍ନ । ରାଜ୍ୟରେ ବର୍ତ୍ତମାନ କରୋନା ପଜିଟିଭ ମାନଙ୍କ ମଧ୍ୟରୁ କେବଳ ପଶ୍ଚିମବଙ୍ଗ ଫେରନ୍ତା ହେଉଛନ୍ତି ୫୦ । ଆପଣମାନଙ୍କ ସହଯୋଗରେ ଆମେ ପରିସ୍ଥିତିକୁ ଭଲ ଭାବରେ ମୁକାବିଲା କରିପାରିଛୁ । ପରିସ୍ଥିତି ନିୟନ୍ତ୍ରଣରେ ଅଛି ।
ଓଡିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କ ଠାରୁ ବହୁତ ଭଲ ଅଛି । ଆମେ ଯଦି ସରକାରଙ୍କ ନିୟମ ମାନି ଚଳିବା, ସରକାରଙ୍କୁ ପୁରା ସହଯୋଗ ଯୋଗାଇ ଦେବା, ତେବେ ଓଡିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।