ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତ୍ତି, କରୋନା ମୁକାବିଲା ପାଇଁ ଋଣ କରିବେ ସରକାର

ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତ୍ତି, କରୋନା ମୁକାବିଲା ପାଇଁ ଋଣ କରିବେ ସରକାର

ଓଡିଶା ବଡ ଖବର

#କରୋନା_ମୁକାବିଲା_ପାଇଁ_ଋଣ_କରିବେ_ସରକାର       ଭୁବନେଶ୍ୱର : ରାଜ୍ୟ ସରକାର ବିଗତ ୪ ମାସ ଧରି କରୋନା ମୁକାବିଲାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏଥିଲାଗି ୩୭ଟି କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି ଓ ୯୦ ଲ୍ୟାବ କାମ କରୁଛି। କରୋନା ମୁକାବିଲା ଲାଗି ୮୦୨୩ ଜଣ ଡାକ୍ତର, ୪୦୧୪ ଜଣ ଆୟୁଷ ଡାକ୍ତରଙ୍କ ସମେତ ଷ୍ଟାଫ ନର୍ସ, କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ, ଆଶା ଦିଦି, ମେଡିକାଲ ଛାତ୍ର କାମରେ ଲାଗିଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ  ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ସ୍ବାସ୍ଥ୍ୟ ସେବା ପାଇଁ ସମସ୍ତ ଖର୍ଚ୍ଚ ବହନ କରାଯିବ। ଏଥପାଇଁ ଆବଶ୍ୟକ ଅର୍ଥ ଭରଣା ଲାଗି ରାଜ୍ୟ ସରକାର ବଜାରରୁ ଋଣ ଉଠାଇବେ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଆଜି ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦର ବୈଠକ ପରେ ଶ୍ରୀ ତ୍ରିପାଠୀ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କାମ୍ପା ଓ ଓମ୍ବାସଡି ପାଣ୍ଠିରୁ ଋଣ ଆଣାଯିବ । ଏଥି ସହ ପୂର୍ବଭଳି ସରକାର ଜାରି କରିଥିବା ବିଭିନ୍ନ ଆର୍ଥିକ କଟକଣା ଜାରି ରହିବ । ରାଜ୍ୟ ସରକାର କୋଭିଡ ମୁକାବିଲା ଲାଗି କାମ୍ପା ପାଣ୍ଠିରୁ ୧୦୦୦ କୋଟି ଟଙ୍କାର ଋଣ କରିସାରିଛନ୍ତି । ଆଗକୁ ଆବଶ୍ୟକତା ଅନୁସାରେ ଅଧିକ ଋଣ କରାଯିବ । ଯେହେତୁ କମ ସୁଧରେ (୩ପ୍ରତିଶତ) ଋଣ କରାଯାଉଛି, ଏହା ରାଜ୍ୟର ଆର୍ଥିକ ପରିଚାଳନ କରିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।ସ୍ୱାସ୍ଥ୍ୟ ସେବାକୁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ତେଣୁ  ଆର୍ଥିକ ବର୍ଷ ୨୦୨୦-୨୧ ବଜେଟ ବ୍ୟୟବରାଦର ପୁନଃବିଚାର ହେବ । ମନ୍ତ୍ରୀ ପରିଷଦ ବୈଠକରେ ଏହାକୁ ମଂଜୁରୀ ମିଳିଛି । ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗକୁ ଛାଡ଼ି ଅନ୍ୟ ବିଭାଗରେ ବିନିଯୋଗ ନ ହୋଇ ପଡ଼ିରହିଥିିବା ଟଙ୍କାକୁ କରୋନା ମୁକାବିଲାରେ ବ୍ୟୟ କରାଯିବ ।

ଶ୍ରୀ ତ୍ରିପାଠୀ କହିଛନ୍ତି, କରୋନା ପାଇଁ ବିଗତ ୪ ମାସ ମଧ୍ୟରେ ୧୯ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୪୦ କୋଟି, ଏସଡିଆରଏଫରୁ ୬୨୪ କୋଟି, ପଂଚାୟତରାଜ ବିଭାଗରୁ ୮୭୫ କୋଟି, ବିଧାୟକମାନଙ୍କ ହାତପାଣ୍ଠି ଅର୍ଥ ମଧ୍ୟ ୭୩ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି ।

ଏଥି ସହିତ ରାଜ୍ୟ ସରକାର ରାଜ୍ୟରେ ପ୍ଲାଜମା ଥେରାପିକୁ ଗୁରୁତ୍ୱ ଦେଉଛନ୍ତି । କରୋନା ମୁକାବିଲା ଲାଗି ୮୦୨୩ ଜଣ ଡାକ୍ତର, ୪୦୧୪ ଜଣ ଆୟୁଷ ଡାକ୍ତରଙ୍କ ସମେତ ଷ୍ଟାଫ ନର୍ସ, କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ, ଆଶା ଦିଦି, ମେଡିକାଲ ଛାତ୍ର କରୋନା ମୁକାବିଲା କାମରେ ଲାଗିଛନ୍ତି । ମେସିନ , ଟେଷ୍ଟ କିଟ, ମାସ୍କ, ସାନିଟାଇଜର ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି । ୧୩ ହଜାର ୭୯୬ଟି କ୍ୱାରେଣ୍ଟାଇନ ସେଣ୍ଟର ଖୋଲାଯାଇ ୮.୫ ଲକ୍ଷ ପ୍ରବାସୀଙ୍କୁ ରଖାଯାଇଥିଲା । କରେନା ମୁକାବିଲା ଲାଗି ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।