ମଣ୍ଡିକୁ ଧାନ ନେଇଥିବା ଚାଷୀକୁ ମିଳୁନି ଟୋକନ୍

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର ରାଜ୍ୟ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ବାରଡାଙ୍ଗ ସମବାୟ ସମିତିରେ ଚାଷୀ ଧାନ ନେଇ ପହଁଚାଇଲା ବେଳକୁ ତାଙ୍କ ଟୁକନ୍ ବାତିଲ୍ ହୋଇଯାଇଥିବାର ଜିଲ୍ଲା ଯୋଗାଣ ଅଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ପ୍ରକାଶ ଯୋଗ୍ୟ ଯେ ବାରଡାଙ୍ଗ ସମବାୟ ସମିତି ମଣ୍ଡିରେ ଧାନ ଦେବାପାଇଁ ଏହି ଅଂଚଳର କେତେକ ଚାଷୀ ଟୋକନ୍ ପାଇଥିଲେ । ମାତ୍ର ଧାନ ନେଇ ମଣ୍ଡିକୁ ଯିବାପରେ ସଂପୃକ୍ତ ଚାଷୀମାନେ ଜାଣିଲେ ଯେ ସେମାନଙ୍କର ଟୁକନ୍ ବାତିଲ୍ ହୋଇଛି ।

ଫଳରେ ସମବାୟ ସମିତିର ମଣ୍ଡିରେ ସେମାନଙ୍କ ଧାନ ରହିପାରିନଥିଲା । ବାଧ୍ୟ ହୋଇ ଏହି ଚାଷୀମାନେ ଧାନକୁ ମଣ୍ଡିରେ ନଦେଇ ଘରକୁ ଫେରାଇ ଆଣିଥିଲେ । ଧାନ ବିକ୍ରି ନକରିପାରି ଅଯଥା ଯାତାୟତ ଖର୍ଚ୍ଚ ଦେଇ ଚାଷୀମାନେ ହିନସ୍ତା ହୋଇଥିବାର ଅଭିଯୋଗ ହୋଇଛି । ଏ ନେଇ ସ୍ଥାନୀୟ ସରପଂଚ ଅରବିନ୍ଦ ଜେନା, ବିଚିତ୍ର ଜେନା, ଧ୍ରୁବ ପ୍ରଧାନ, ରାଜେନ୍ଦ୍ର ନାୟକ ଓ ସୁଶାନ୍ତ ବିଶ୍ୱାଳ ପ୍ରମୁଖ ଜିଲ୍ଲାପାଳ ଓ ଯୋଗାଣ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ଏ ସଂପର୍କରେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ରଜନୀକାନ୍ତ ଦାସଙ୍କୁ ପଚାରିବାରୁ ସେ କହିଲେ ଯେ ଏଭଳି ଟୋକନ୍ ବାତିଲ୍ ହୋଇନାହିଁ ।