ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଓଡିଶା କଟକ ବଡ ଖବର ବିଶେଷ

#ବୀଣାପାଣି_ମହାନ୍ତିଙ୍କୁ_ଅତିବଡ଼ୀ_ଜଗନ୍ନାଥ_ଦାସ_ପୁରସ୍କାର     ଭୁବନେଶ୍ବର: ପ୍ରଖ୍ୟାତ କଥାଶିଳ୍ପୀ ବୀଣାପାଣି ମହାନ୍ତିଙ୍କୁ ଓଡ଼ିଆ ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସାରସ୍ବତ ସମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଦିଆଯିବ। ଆଜି ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଏହା ଘୋଷଣା କରାଯାଇଛି। ନିକଟ ଅତୀତରେ ‘ପଦ୍ମଶ୍ରୀ’ ସମ୍ମାନ ପାଇଁ ତାଙ୍କୁ ମନୋନୀତ କରାଯାଇଥିଲା।

ପାଟଦେଇ, ତୃତୀୟ ପାଦ, ଅର୍ଘ୍ୟ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ବସ୍ତ୍ର ହରଣ, ଏକାକୀ ପରାଶର, ନବତରଙ୍ଗ, ମଧ୍ୟାନ୍ତର, ବହ୍ନିବଳୟ, ଉତ୍ତରାୟଣ ଭଳି ୩୪ଟି ଗଳ୍ପ ସଂକଳନ, ସୀତାର ଶୋଣିତ, ମନସ୍ବିନୀ ଓ କୁନ୍ତି କୁନ୍ତଳା ଶକୁନ୍ତଳା ଭଳି ୩ଟି ଉପନ୍ୟାସର ସ୍ରଷ୍ଟା ବୀଣାପାଣି ମହାନ୍ତି ନିଜର ସାହିତ୍ୟ ସାଧନା ଲାଗି  ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମି, ବିଷୁବ ସମ୍ମାନ, ସାରଳା ସମ୍ମାନ, ସାହିତ୍ୟ ଭାରତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ଭଳି ଅନେକ ସମ୍ମାନ ଓ ପୁରସ୍କାର ପାଇ ସାରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳର ମୂଳ ବାସିନ୍ଦା ବୀଣାପାଣି ଏବେ କଟକର ବାଦାମବାଡ଼ିରେ ରହୁଛନ୍ତି। ଅର୍ଥନୀତିରେ ପ୍ରାଧ୍ୟାପିକା ଭାବେ କାର୍ଯ୍ୟ କରି ଅବସର ନେଇଥିବା ସାହିତ୍ୟ ସାଧିକା ବୀଣାପାଣିଙ୍କୁ ଏବେ ୮୪ ବର୍ଷ ବୟସ।

‘ପଦ୍ମଶ୍ରୀ’ ସମ୍ମାନ ଲାଗି ମନୋନୀତ ହେବା ପରେ ସେ ନିଜ ପ୍ରତିକ୍ରିୟାରେ କହିଥି‌େଲେ, ‘ବର୍ତ୍ତମାନ ଯେତେ ପରିମାଣରେ ବହି ପ୍ରକାଶ ପାଉଛି, ସେତେ ପରିମାଣରେ ପାଠକମାନେ ପଢ଼ୁନାହାନ୍ତି। ଟେଲିଭିଜନ, ମୋବାଇଲରେ ସେମାନେ ସମୟ କାଟୁଛନ୍ତି। ଲେଖା ଅନେକ ସମୟରେ ହୃଦୟକୁ ସ୍ପର୍ଶ କରୁନାହିଁ। ଉଠପଡ଼ ଦେଇ ଓଡ଼ିଶା ସାହିତ୍ୟ ଏବେ ଚାଲିଛି। ମୋର ବିଶ୍ବାସ ଯେ ନିଶ୍ଚୟ ଆମ ପଛରେ ଯେଉଁମାନେ ଆସୁଛନ୍ତି, ଅଧିକ ପଢ଼ାପଢ଼ି କରିବେ। ଭଲ ଲେଖିବେ।’