ବିଶ୍ୱ ଦୁଗ୍ଧ ଦିବସରେ ଦାବୀ : ଦୁଗ୍ଧଚାଷୀଙ୍କୁ କ୍ଷତିପୂରଣ ପ୍ୟାକେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ବିଶ୍ୱ ଦୁଗ୍ଧ ଦିବସରେ ଦାବୀ : ଦୁଗ୍ଧଚାଷୀଙ୍କୁ କ୍ଷତିପୂରଣ ପ୍ୟାକେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ଓଡିଶା ମହାନଗର

 #ଦୁଗ୍ଧଚାଷୀଙ୍କୁ_କ୍ଷତିପୂରଣ_ପ୍ୟାକେଜ_ପାଇଁ_ମୁଖ୍ୟମନ୍ତ୍ରୀଙ୍କୁ_ପତ୍ର     ଭୁବନେଶ୍ୱର  : ‘ବିଶ୍ୱ ଦୁଗ୍ଧ ଦିବସ’ ଜୁନ୍ ପହିଲାରେ କରୋନା ସଂକ୍ରମଣ କ୍ଷତିଗ୍ରସ୍ତ ଦୁଗ୍ଧଚାଷୀଙ୍କୁ କ୍ଷତିପୂରଣ ଦେବା ଓ ଗୋ-ଖାଦ୍ୟ ଦରକୁ ନିୟନ୍ତ୍ରିତ କରିବାକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଦାବି କରିଛି । ମହାସଂଘର ଅଧ୍ୟକ୍ଷ ରବି ବେହେରାଙ୍କ ସମେତ ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡାଳୁଆ ପ୍ରମୁଖଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲିଖିତ ଏକ ପତ୍ରରେ ଦର୍ଶାଯାଇଛି ଯେ ‘ଲକ୍ ଡାଉନ୍’ ସମୟରେ କୃଷିମନ୍ତ୍ରୀ ଡଃ ଅରୁଣ ସାହୁ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ କୌଣସି ଚାଷୀ କ୍ଷତିଗ୍ରସ୍ତ ହେବେନାହିଁ । ଚାଷୀଙ୍କର ସମସ୍ତ ଦୁଗ୍ଧ ଓମ୍ଫେଡ୍ କିଣିବ । କିନ୍ତୁ ଓମ୍ଫେଡ୍ ଚାଷୀଙ୍କ ଜୀବନ ଜୀବିକା ସହିତ ଲୁଚକାଳି ଖେଳୁଛି । ଦିନେ କ୍ଷୀର ନେଲେ ଦୁଇଦିନ ବନ୍ଦ ରଖୁଛି । ଏହି ସମୟକୁ ଚାଷୀଙ୍କ ଦାଉ ସାଧୁଛନ୍ତି ଅସାଧୁ ବ୍ୟବସାୟୀ, ‘ଲକ୍ଡାଉନ୍’ର ସୁଯୋଗ ନେଇ ସେମାନେ ଚୁନି, ଚୋକଡ, ପିଡ଼ିଆ ପ୍ରଭୃତି ଗୋ-ଖାଦ୍ୟର ଅହେତୁକ ମୂଲ୍ୟବୃଦ୍ଧି କରିଚାଲିଛନ୍ତି ।

World Milk Day

ଗୋଟିଏ ଦିଗରେ ଓମ୍ଫେଡ୍ ଓ ଅନ୍ୟାନ୍ୟ ଡାଏରୀ ଫାର୍ମଗୁଡ଼ିକର ଚାଷୀଙ୍କ କ୍ଷୀର ନ କିଣିବା ଓ ଅନ୍ୟ ଦିଗରେ ଗୋ-ଖାଦ୍ୟ ଦରବୃଦ୍ଧି ଯୋଗୁଁ ରାଜ୍ୟର ୬ଲକ୍ଷ ଦୁଗ୍ଧ ଚାଷୀଙ୍କର ଜୀବିକା ବୁଡ଼ିଯିବାକୁ ବସିଛି । ଦୋକାନ, ବଜାର, ହୋଟେଲ୍, ·, ଜଳଖିଆ ଦୋକାନ ବନ୍ଦ ଯୋଗୁଁ କ୍ଷୀର ଆଦୌ ବିକ୍ରି ହୋଇପାରୁନାହିଁ କିମ୍ବା ଛେନା, ପନିର, ଦହି ଇତ୍ୟାଦିର ଆଦୌ ଚାହିଦା ନାହିଁ । କଟକ, ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଭଳି ସହରରେ ଯେଉଁମାନେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରି କରି ଚଳୁଥିଲେ, ସେମାନେ ଆଜି ଭୋକ ଉପାସରେ । ତାଙ୍କ ଗାଈଗୋରୁ ମଧ୍ୟ ଦାନା ଖାଇବାକୁ ପାଉନାହାନ୍ତି । ସରକାର ସହରର ଉଠାଦୋକାନୀଙ୍କ ପାଇଁ ଯେଉଁ କ୍ଷତିପୂରଣ ପ୍ୟାକେଜ୍ ୩ ହଜାର ଟଙ୍କା ଘୋଷଣା କରିଛନ୍ତି ତାହା ମଧ୍ୟ ସେମାନେ ପାଇବାକୁ ସକ୍ଷମ ନୁହଁନ୍ତି । କାରଣ ଛେନା, ପନିର, ଛେନାପୋଡ ବିକୁଥିବା ବ୍ୟବସାୟୀମାନଙ୍କର ‘ଟ୍ରେଡିଂ ଲାଇସେନ୍ସ’ ନାହିଁ । ତେଣୁ ରାଜ୍ୟର କ୍ଷତି ଦୁଗ୍ଧଚାଷୀ ବିଶେଷତଃ ଗ୍ରାମା ଳର ଅର୍ଦ୍ଧଶିକ୍ଷିତ ଯୁବକ ଓ ମହିଳାମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର ମାସିକ ୫ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ଓ ଗୋ-ଖାଦ୍ୟ ମୂଲ୍ୟ ନିୟନ୍ତ୍ରିତ କରିବାକୁ ‘ମହାସଂଘ’ ଏହି ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶାର ଅର୍ଦ୍ଧଶିିକ୍ଷିତ ମହିଳା ଓ ବେକାର ଯୁବକ ଯୁବତୀଙ୍କର ଜୀବନ ଜୀବିକା କ୍ଷେତ୍ରରେ ଦୁଗ୍ଧ ଉତ୍ପାଦନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଦିନକୁ ହାରାହାରି ୬୩ ଲକ୍ଷ ଲିଟର କ୍ଷୀର ଉତ୍ପାଦନ ହେଉଥିଲା ବେଳେ ଦୀର୍ଘ ଦୁଇ ମାସ ଧରି ଲକଡାଉନ୍ ଯୋଗୁଁ ଏହି ଶ୍ରେଣୀର ଚାଷୀମାନେ ନିଜର ଜୀବନ ଜୀବିକା ହରାଇଛନ୍ତି । ତେଣୁ ରାଜ୍ୟର ଗ୍ରାମାଂଚଳ ଅର୍ଥନୀତିକୁ ଚଳଚଂଚଳ କରିବା ପାଇଁ ଓ ଗ୍ରାମାଂଚଳ ମହିଳାମାନଙ୍କର ଜୀବିକାର ସୁରକ୍ଷା ପାଇଁ ତୁରନ୍ତ ରାଜ୍ୟ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ କ୍ଷତିପୂରଣ ପ୍ୟାକେଜ୍ ଘୋଷଣା କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।