ବାତ୍ୟା ରୂପ ନେଲା ‘ଅମ୍ଫାନ୍’,୨୦ରେ ଲ୍ୟାଣ୍ଡଫଲ

ବାତ୍ୟା ରୂପ ନେଲା ‘ଅମ୍ଫାନ୍’,୨୦ରେ ଲ୍ୟାଣ୍ଡଫଲ

ଓଡିଶା ବଡ ଖବର

#ବାତ୍ୟା_ରୂପ_ନେଲା_‘ଅମ୍ଫାନ୍’_୨୦ରେ_ଲ୍ୟାଣ୍ଡଫଲ         ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଗୁଚାପ ବାତ୍ୟାରୂପ ନେଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏସଂପର୍କରେ ସୂଚନା ଦିଆଯାଇଛି।  ଏହା ଏବେ ପାରାଦୀପର ଦକ୍ଷିଣରେ ୧୦୪୦ କିଲୋମିଟର ଦୂରରେ ରହିଛି ।ରବିବାର ଯାଏ ଏହା ଉତ୍ତର ଓ ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ୨୦ ତାରିଖ ଦିନ ଅମ୍ଫାନ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ସମୟରେ ଏହାର ବେଗ ଘଣ୍ଟା ପ୍ରତି ୨୦୦କିଲୋମିଟର ଥିବବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି।

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ତୀବ୍ର ହୋଇ ବାତ୍ୟା ରୂପ ଧାରଣ କରିବ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ବାତ୍ୟାର ରୂପ ନେବ। ୧୮ ତାରିଖ ସକାଳ ସୁଦ୍ଧା ଏହା ଅତି ଭୟଙ୍କର ବାତ୍ୟା ଧାରଣ କରିବ। ଏହା ମେ’ ୧୭, ପର୍ଯ୍ୟନ୍ତ ପ୍ରାଥମିକ ଭାବେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ଏବଂ ମେ’ ୧୮-୨୦, ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଦେଇ ଅତିକ୍ରମ କରି ପଶ୍ଚିମବଙ୍ଗ ଓ ସଂଲଗ୍ନ ଓଡ଼ିଶା ଉପକୂଳ ମୁହାଁ ହେବ। ଫଳସ୍ୱରୂପ, ମେ’ ୧୮ ସନ୍ଧ୍ୟାରୁ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବା ସହିତ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ ଏବଂ ୧୯ ତାରିଖରେ ମଧ୍ୟ କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବ।

ଏହା ଯୋଗୁଁ ୨୦ ମଇରେ ଉତ୍ତର-ପୂର୍ବ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ। ୧୮ ମଇ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ-ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୪୫-୫୫ କି.ମି. ରହିବ ଏବଂ ସ୍ଥଳବିଶେଷରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୬୫ କି.ମି. ହୋଇପାରେ ଏବଂ ୧୯ ତାରିଖ ସକାଳ ଠାରୁ ଉତ୍ତର-ଓଡ଼ିଶା ଉପକୂଳରେ ଏହି ପ୍ରଭାବ ଅନୁଭୂତ ହେବ। ୨୦ ମଇ ସକାଳ ସୁଦ୍ଧା ପବନର ବେଗ କ୍ରମଶଃ ବୃଦ୍ଧିପାଇ ବତାସ ରୂପ ନେଇ ଉତ୍ତର-ଓଡ଼ିଶା ଉପକୂୂଳରେ ଘଣ୍ଟା ପ୍ରତି ୭୫-୮୫ କି.ମି. ରହିବ ଏବଂ ଏହାର କ୍ଷୀପ୍ର ବେଗ ଘଣ୍ଟା ପ୍ରତି ୯୫ କି.ମି. ହେବାର ଅନୁମାନ କରାଯାଇଛି। ମେ’ ୧୬ ତାରିଖ ସନ୍ଧ୍ୟା ଠାରୁ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଓ ନିକଟବର୍ତ୍ତୀ ଅଞ୍ଚଳ ଅଶାନ୍ତ ରହିବା ସହ ୧୭ ତାରିଖ ସକାଳ ଠାରୁ ଏହା ତୀବ୍ର ହେବ। ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି। ସଂପୃକ୍ତ ସରକାରୀ ବିଭାଗ ଏବଂ ଉପକୂଳବର୍ତ୍ତୀ ଓ ତତ୍‍ସଂଲଗ୍ନ ୧୨ ଗୋଟି ଜିଲ୍ଲା ଗଜପତି, ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜକୁ ସତର୍କ କରାଯାଇଅଛି ଏବଂ ସମ୍ଭାବ୍ୟ ବିପର୍ଯ୍ୟୟକୁ ପ୍ରଭାବପୂର୍ଣ୍ଣ ଭାବେ ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି।

ଅପର ପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ ଏବେ  ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଆକଳନ କରିଛି । ରବିବାର ସୁଦ୍ଧା ଏହା ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଉତ୍ତର ଦିଗରେ ଗତି କରିବ ଓ ମେ ୧୯ ରାତି କିମ୍ବା ମେ ୨୦ ତାରିଖ ସକାଳ ସୁଦ୍ଧା ଏହା ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ସ୍କାଏମେଟ ଆକଳନ କରିଛି । ତେବେ ଏହି ବାତ୍ୟାରେ ପରିଣତ ହେବା  ପରେ ହିଁ ଏହା ପ୍ରକୃତରେ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ତାହା ଜଣାପଡ଼ିବ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏହାର ଅର୍ଥ ହେଉଛି ଅମ୍ଫାନ ଓଡ଼ିଶା ଉପକୂଳଛୁଇଁବା ସମ୍ଭାବନାକୁ ମଧ୍ୟ ଅସ୍ୱୀକାର କରିହେବ ନାହିଁ ।

 

vkw