ବାତ୍ୟାର ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି

ବାତ୍ୟାର ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି

ଓଡିଶା ବଡ ଖବର

 #ତୁରନ୍ତ_କ୍ଷୟକ୍ଷତିର_ଆକଳନ_କରି_ଚାଷୀଙ୍କୁ_କ୍ଷତିପୂରଣ_ଦେବାକୁ_ଦାବି          ଭୁବନେଶ୍ୱର : ବାତ୍ୟାର ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛି ସମାଜବାଦା ପାର୍ଟି । ପାର୍ଟି ପକ୍ଷରୁ କୁହା ଯାଇଛି ଯେ ବାତ୍ୟା ‘ଅମ୍ଫାନ’ ଯୋଗୁଁ ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲାର ଚାଷୀମାନେ ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ପାଚିଲା ଧାନ ବିଲରେ ଶୋଇପଡ଼ିଛି, କଟାହୋଇ ଖଳାରେ ଗଦା ହୋଇଥିବା ଧାନ ନଷ୍ଟ ହୋଇଯାଇଛି, କେତେକ ଯାଗାରେ ଆଖୁ ବିଲରେ ନଷ୍ଟ ହୋଇଛି । ହଜାର ହଜାର ଏକର ପନିପରିବା ଯଥା- ବାଇଗଣ, ପୋଟଳ, ଭେଣ୍ଡି, କଖାରୁ, ତରଭୁଜ, ବିଲାତିବାଇଗଣ ପ୍ରଭୃତି ଫସଲ କ୍ଷତିଗ୍ରସ୍ତ ହୋଇଛି । ପାନ ବରଜ ସବୁ ଭାଙ୍ଗିଯାଇଛି ଏବଂ ଗାଈ ଗୁହାଳ ସବୁ ଭାଙ୍ଗିରୁଜି ଯାଇଛି । ଅନେକ ଯାଗାରେ କଚ୍ଚା ଘର କାନ୍ଥ ପଡ଼ି ଭାଙ୍ଗି ଯାଇଛି, କେଉଁଠି ଆଜ୍ବେଷ୍ଟସ, ଟିଣ ଓ ଟାଇଲ୍ ଛପର ଘର ସବୁ ଉଡ଼ିଯାଇଛି । ବହୁ ଯାଗାରେ ବଡ଼ ବଡ଼ ଗଛ ଓ ଇଲେକ୍ଟ୍ରି ଖୁଣ୍ଟ ଉପଡ଼ି ପଡ଼ିଛି । ବିଶେଷତଃ ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ ଫସଲହାନୀ ହେବା ସହିତ ଘର ଭାଙ୍ଗିରୁଜି ଯାଇଛି ।

ରାଜ୍ୟ ସରକାର ୭ ଦିନ ଭିତରେ ଏହିସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୂରଣ ଦେବାକୁ ସମାଜବାଦୀ ପାର୍ଟି ରାଜ୍ୟ କମିଟି ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, କରୋନା ଭାଇରସ ପରିସ୍ଥିତି ଯୋଗୁଁ ଚାଷୀମାନେ ତାଙ୍କ ଫସଲ ଅମଳ କରିପାରିନଥିଲେ କିମ୍ବା ଅମଳ କଲେ ବିକ୍ରି କରିପାରିନଥିଲେ । ବେଡ଼ି ଉପରେ କୋରଡା ମାଡ଼ ଭଳି କରୋନା ଭାଇରସ୍ ସମୟରେ ଅମ୍ଫାନ୍ ମହାବାତ୍ୟା ଚାଷୀର ଅଣ୍ଟା ଭାଙ୍ଗିଦେଲା । ଆଉ ଆଠ ଦିନ ପରେ ଖରିଫ୍ ଋତୁ ପାଇଁ ବୁଣାବୁଣି ଓ ତଳିପକା କାର୍ଯ୍ୟ ଆରମ୍ଭ ହେବ । ତେଣୁ ତୁରନ୍ତ ମହାବାତ୍ୟାର କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉ । ଘର ଭାଙ୍ଗିରୁଜି ଯାଇଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଦେବା, ପନିପରିବା, ଆଖୁ ଓ ପାନବରଜ ହରାଇଥିବା ଚାଷୀଙ୍କୁ ଏକର ପିଛା ୨୦ ହଜାର ଟଙ୍କା କ୍ଷତିପୂରଣ, ଜାଲ, ଡଙ୍ଗା ହରାଇଥିବା ମତ୍ସ୍ୟଜୀବୀମାନଙ୍କୁ ଜାଲ ଓ ଡଙ୍ଗା ଦେବା ଏବଂ ସର୍ବୋପରି ଖରିଫ୍ ଚାଷ ପାଇଁ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ବିନା ସୁଧରେ ଋଣ ଓ ପରିପରିବା ଚାଷୀଙ୍କୁ ମାଗଣାରେ ଚାରା, ସାର ଓ କୀଟନାଶକ ଯୋଗାଇ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।