ବାଚସ୍ପତିଙ୍କ ନିର୍ଦ୍ଦେଶ: ଏଣିକି ଗୃହକାର୍ଯ୍ୟ ବେଳେ ଉପସ୍ଥିତ ରହିବେ ଅଧିକାରୀ

ଓଡିଶା ବଡ ଖବର

#ଏଣିକି_ଗୃହକାର୍ଯ୍ୟ_ବେଳେ_ଉପସ୍ଥିତ_ରହିବେ_ଅଧିକାରୀ  ଭୁବନେଶ୍ୱର: ଗୃହକାର୍ଯ୍ୟ ବେଳେ ଉପସ୍ଥିତ ରହିବେ ସରକାରୀ ଅଧିକାରୀ । ଆଜି ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ସେ କହିଛନ୍ତି, ଏଣିକି ଅଧିକାରୀମାନେ ତାଙ୍କ ବିଭାଗର ଆଲୋଚନା ବେଳେ ବିଧାନସଭାରେ ଉପସ୍ଥିତ ରହିବେ । ସମ୍ପୃକ୍ତ ଅଧିକାରୀମାନେ ସେମାନଙ୍କ ଗ୍ୟାଲେରିରେ ବସିବେ  ଆଉ ଆବଶ୍ୟକ ପଡିଲେ ଅଫିସରଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବେ ମୁଖ୍ୟ ସଚିବ । ଆଜି ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଆରମ୍ଭରୁ ଗୃହରେ ପ୍ରବଳ  ହଟ୍ଟଗୋଳ ହୋଇଥିଲା । ଅଧିବେଶନ ଆରମ୍ଭ ହେଲା କ୍ଷଣି ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ । ବିରୋଧୀ ଦଳର ସଦସ୍ୟମାନେ ଗତକାଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସଦସ୍ୟମାନଙ୍କର ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା‌ ସମୟର ଗଣମାଧ୍ୟମ ପ୍ରସାରଣ/ପ୍ରକାଶନ ଉପରେ  ରୋକ ନେଇ ଜାରି କରିଥିବ‌ା ରୁଲିଂ ପ୍ରତ୍ୟାହାର ଦାବିରେ ଏହି ହଟ୍ଟଗୋଳ କରିଥିଲେ। ଫଳରେ ଅପରାହ୍ଣ ୩ଟା ଯାଏଁ ଗୋଟିଏ ମିନିଟ୍ ବି ଚାଲି ପାରି ନଥିଲା ଗୃହ କାର୍ଯ୍ୟ ।

ଗତକାଲି ବାଚସ୍ପତି ରୁଲିଂ ଦେଇଥିଲେ ଯେ ଏଣିକି ଗୃହ ମଧ୍ୟଭାଗକୁ କୌଣସି ସଭ୍ୟ ଆସି ହଟ୍ଟଗୋଳ କଲେ ସେ ସଂପର୍କରେ ଗଣମାଧ୍ୟମ ନା ଖବର ପ୍ରସାରଣ କରିପାରିବେ ନା ଲେଖିପାରିବେ। ସେ ସଂକ୍ରାନ୍ତ ଫଟୋ ବି ଛାପିପାରିବେ ନାହିଁ। ସଂପୃକ୍ତ ସଦସ୍ୟଙ୍କ ନାମ ସଂପର୍କରେ ମଧ୍ୟ ଉଲ୍ଲେଖ କରାଯିବା ଲାଗି ବାରଣ କରିଥିଲେ।  ଏହି  ରୁଲିଂ ପ୍ରତ୍ୟାହାର ଦାବିରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ଅଡି ବସିଥିଲେ । ଯାହା ଫଳରେ ଗୃହକୁ ପ୍ରଥମେ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ପରେ ସାଢେ ୧୧ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ବିରୋଧୀ ସଦସ୍ୟ ଜାରି ରଖିଥିଲେ ହଟ୍ଟଗୋଳ । ଫଳରେ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।