ପେଟ୍ରୋଲ, ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ବୃଦ୍ଧି ବିରୋଧରେ ବିକ୍ଷୋଭ, ଶୁଳ୍କ ପ୍ରତ୍ୟାହାର ଦାବୀ

ପେଟ୍ରୋଲ, ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ବୃଦ୍ଧି ବିରୋଧରେ ବିକ୍ଷୋଭ, ଶୁଳ୍କ ପ୍ରତ୍ୟାହାର ଦାବୀ

ଓଡିଶା ବଡ ଖବର ମହାନଗର

#ପେଟ୍ରୋଲ_ଡିଜେଲ_ଉପରେ_ଉତ୍ପାଦନ_ଶୁଳ୍କ_ବୃଦ୍ଧି_ବିରୋଧରେ_ବିକ୍ଷୋଭ            ଭୁବନେଶ୍ୱର  : ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଲାଗୁ କରିଥିବା ଉତ୍ପାଦନ ଶୁଳ୍କ ଉପରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏକ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ବାଦୀ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ
ନେତୃତ୍ୱରେ ଦଳୀୟ କର୍ମୀମାନେ ମୁହଁରେ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ପ୍ରତିବାଦ କରିଥିଲେ । ସେଠାରେ ଦଳୀୟ କର୍ମମାନଙ୍କୁ ଉଦବୋଧନ ଦେଇସଭାପତି ଶ୍ରୀ ରବି ବେହେରା କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲାଭଖୋର ମନବୃତ୍ତି ଓ ଲୁଟ୍ ଯୋଗୁଁ ସାଧାରଣ ଖାଉଟିମାନେ ଶୋଷଣର ଶିକାର ହେଉଛନ୍ତି ।

ଦେଶବାସୀଙ୍କୁ ଅଚ୍ଛା ଦିନର ସ୍ୱପ୍ନ ଦେଖାଇ ଶାସନ ଗାଦିକୁ ଆସିଥିବା ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ଏନଡିଏ ସରକାର ବିଗତ ୫ ବର୍ଷ ଭିତରେ ୧୨ ଥର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ବୃଦ୍ଧି କରିଛନ୍ତି । ଏହି ଟିକସ ବୃଦ୍ଧି ଫଳରେ ତାହା ଡାଲି, ଚାଉଳ, ଚିନି, ପନିପରିବା ଭଳି ଖାଉଟି ଦ୍ରବ୍ୟର ଦାମ୍ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି କେନ୍ଦ୍ର ସରକାର ଗୋଟିଏ ଲିଟରରେ ୩୧ ଟଙ୍କା ୮୩ ପଇସା ନେଇଥିବାବେଳେ ରାଜ୍ୟ ସରକାରମାନେ ନିଜର ଭାଟ୍ ଓ ପ୍ରବେଶ କର ଜରିଆରେ ୧୭ ଟଙ୍କା ପାଖାପାଖି ଶୁଳ୍କ ନେଉଛନ୍ତି । ଅନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୨୩ ଡଲାର ଥିଲାବେଳେ ପେଟ୍ରୋଲ ଏକ ଲିଟର ଖାଉଟିଙ୍କୁ ମାତ୍ର ୨୨ ଟଙ୍କାରେ ମିଳି ପାରନ୍ତା । କିନ୍ତୁ ସରକାରୀ ଶୋଷଣ ଯୋଗୁଁ ଖାଉଟି ମାନେ ଆଜି ୭୦ ଟଙ୍କାରେ ତେଲ କିଣୁଛନ୍ତି । ତେଣୁ ତୁରନ୍ତ ଏହି ଶୁଳ୍କ ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ଶ୍ରୀ ବେହେରା ଦାବୀ କରିଛନ୍ତି ।

ପାର୍ଟିର ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ପାର୍ଟିର ଯୁବ ସଭାପତି ସୁବ୍ରତ ଲେଙ୍କା, କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ଯୁବନେତା ସୁନୀଲ ମିଶ୍ର, ସୁଶୀଲ ହୋତା, ନାରୀ ନେତ୍ରୀ ରୀତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ତୁରନ୍ତ ଏହି ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ନହେଲେ ଜନଆନ୍ଦୋଳନ ତୀବ୍ର କରାଯିବ ବୋଲି ସରକାରଙ୍କୁ ସତର୍କ କରାଇ ଦେଇଥିଲେ । ଓଡ଼ିଶା ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଆଉ ଅଧିକ ଟିକସ କିମ୍ବା ଭାଟ୍ ନ ବସେଇବା ପାଇଁ ପାର୍ଟି ପକ୍ଷରୁ ଏହି ପ୍ରେସ ବିଜ୍ଞପ୍ତିରେ ଅନୁରୋଧ କରାଯାଇଛି`