ପୁଲିସକୁ ବଡ଼ ସଫଳତା, ମାଓବାଦୀଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଓଡିଶା ବଡ ଖବର

ମାଲକାନଗିରି: ମାଲକାନଗିରିରେ ମାଓବାଦୀଙ୍କ ବିରୋଧରେ ବଡ଼ ଅପରେସନ୍ ସଫଳ ହୋଇଛି । ଏହି ଅପରେସନରେ ମାଓବାଦୀଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୁଲିସ୍ ଡିଜି ଅଭୟ । ସେ କହିଛନ୍ତି ଯେ ଏତେ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହେବା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା । ମାଓବାଦୀମାନେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଲୁଚାଇଥବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଓଡ଼ିଶା ପୁଲିସ୍ ନେତୃତ୍ୱରେ ଆନ୍ଧ୍ରପ୍ରଦେଶ ପୁଲିସ୍, ବିଏସଏଫ୍, ସିଆରପିଏଫ୍ ଏବଂ ଏସଓଜି ମିଳିତ ଭାବେ ଏହି ଚଢ଼ାଉ କରିଥିଲେ । ଗତ ଜାନୁଆରି ୧୫ ତାରିଖରେ ମାଲକାନଗିରିରେ ମାଓବାଦୀଙ୍କ ସହ ଏକ୍ସଚେଞ୍ଜ୍ ଫାୟାର୍ ହୋଇଥିଲା । ଏହି ଅପରେସନ ତିନି ଚାରି ଦିନ ଧରି ଚାଲିଥିଲା ।

ଏହି ସମୟରେ ବିଚ୍ଛିନ୍ନାଞ୍ଚଳ ଗସ୍ତରେ ଯାଇଥିଲେ ପୁଲିସ ମହାନିର୍ଦେଶକ ଅଭୟ। ଏହି ଅବସରରେ ମାଓବାଦୀଙ୍କ ଗତିବିଧି ସଂପର୍କରେ ଥାନା ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଏହାପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଚ୍ଛିନ୍ନାଞ୍ଚଳରେ କେଉଁଭଳି ସ୍ଥିତି ରହିଛି ତାହା ଗଣମାଧ୍ୟମକୁ ଜଣାଇଥିଲେ। ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ କମିବାରେ ଲାଗିଛି। ବିଚ୍ଛିନ୍ନାଞ୍ଚଳରେ ମଧ୍ୟ ମାଓବାଦୀ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛନ୍ତି। ତେଣୁ ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ବ ଦେଇ ମାଓ ଦମନକୁ ତ୍ବରାନ୍ବିତ କରାଯିବ ବୋଲି ଡିଜିପି ଏଠାରେ କହିଥିଲେ।

ପ୍ରଥମତଃ ବିକାଶ କାର୍ଯ୍ୟ ଆଗେଇଛି, ଦ୍ବିତୀୟରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଏହାଫଳରେ ନକ୍ସଲଙ୍କ ଶକ୍ତି କମିଯିବାରୁ ଲୋକଙ୍କ ସାହାରା ଓ ସମର୍ଥନ ଜୁଟାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଏହା ଉପରେ ପୁଲିସର କଡ଼ା ନଜର ରହିଛି। ସମର୍ଥନ କମୁଥିବାରୁ ବିଚ୍ଛିନ୍ନାଞ୍ଚଳକୁ ଦୁଇ ଭାଗ କରିଦେବାକୁ ନକ୍ସଲ ଉଦ୍ୟମ କରୁଛନ୍ତି। ଏଥିପାଇଁ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିରେ ସୁଧାର ଆଣିବାକୁ ପୁଲିସ ପ୍ରୟାସ କରୁଥିବା ଡିଜିପି କହିଛନ୍ତି।