ପାଳ ନିଆଁରେ ଜଳିଗଲେ ୪ ଶିଶୁ

ପାଳ ନିଆଁରେ ଜଳିଗଲେ ୪ ଶିଶୁ

ଓଡିଶା ଗଞ୍ଜାମ ଜିଲ୍ଲା ରାଜ୍ୟ

#ପାଳ_ନିଆଁରେ_ଜଳିଗଲେ_୪_ଶିଶୁ  ବ୍ରହ୍ମପୁର/ପୋଲସରା : ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା । ପାଳ ନିଆଁରେ ଜଳିଗଲେ ୪ ଶିଶୁ । ତିନି ଜଣ  ଏମାକେସିଜି ହସପିଟାଲରେ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣେ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ପ୍ରାଣ ହରେଇଥିବା ଜଣାପଡିଛି । ଏହି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଇରଛଟା ଗାଁରେ । ରବିବାର ସକାଳେ ପିଲାମାନେ  ଖେଳୁଥିବା ବେଳେ  ପାଳ ଗଦାରେ ନିଆଁ ଲାଗିଯାଇଥିଲା, ଫଳରେ ୪ ଜଣ ଶିଶୁଙ୍କର ୮୦ ପ୍ରତିଶତ ଜଳିଯାଇଥିଲା । ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।…

କାନ୍ଦ ବୋବାଳିରେ ଫାଟିପଡୁଛି ପୂରା ପରିବେଶ। ଯିଏ ଶୁଣୁଛି ସ୍ତବ୍ଧ ହୋଇଯାଉଛି। ହତବାକ ହୋଇଯାଉଛି। କୁନି କୁନି ପିଲାଙ୍କ ଖେଳ ଯେ ସବୁକିଛି ଛାରଖାର କରିଦେବ କିଏ ଜାଣିଥିଲା। ପାଳ ନିଆଁ ଗିଳିଦେଲା ୪ କଅଁଳ ଶିଶୁଙ୍କ ଜୀବନ। ସମସ୍ତଙ୍କ ବୟସ ୫ରୁ ୭ ବର୍ଷ।  ଘଟଣା ଘଟିଛି ପୋଲସରା ଖଇରଛଟା ଗାଆଁ ମନ୍ଦିର ନିକଟରେ । ଯେଉଁଠି ଖେଳୁଥିଲେ ୪ ଶିଶୁ । ଏଠାରେ ଥିଲା ପାଳ, ଶୁଖିଲା କାଠିକୁଟା । ଖେଳୁଥିବା ସମୟରେ ହଠାତ୍ ପାଳ ଗଦାରେ ନିଆଁ ଲାଗି ଯାଇଥିଲା । ହୁହୁ ହୋଇ ଜଳିଥିଲା ପାଳଗଦା, ଆଉ ସେଇ ପାଳଗଦା ନିଆଁ ଭିତରେ ରହିଗଲେ କଅଁଳ ପିଲାମାନେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରିଥିଲେ ଗାଁ ଲୋକେ । ପ୍ରଥମେ ପୋଲସରା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଇତିଶ୍ରୀ ଜେନା, ଦୀପକ ଗୌଡ ଏବଂ ସାଇରାମ ଜେନାର ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଆଲୋକ ଜେନାକୁ କଟକ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ହେଲେ ସେଠାରେ ଜିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଏହି ଅଭାବନୀୟ ଘଟଣାକୁ ନେଇ ପୂରା ଗାଁ ସ୍ତବ୍ଧ ହୋଇଯାଇଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମେଡିକାଲରେ ପହଞ୍ଚି ମୃତକଙ୍କ ପରିବାରବର୍ଗଙ୍କୁ ସାନ୍ତ୍ବନା ଦେବାସହ ୨୦ ହଜାର ଟଙ୍କା ସହାୟତା ଦେଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା  ଘୋଷଣା କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି।…

 

ଇ ୩