ପର୍ଯ୍ୟଟନ ବିଭାଗ ରାଜ୍ୟରେ ଆରମ୍ଭ କରିବ କ୍ରୁଜ୍‌ ପର୍ଯ୍ୟଟନ

ପର୍ଯ୍ୟଟନ ବିଭାଗ ରାଜ୍ୟରେ ଆରମ୍ଭ କରିବ କ୍ରୁଜ୍‌ ପର୍ଯ୍ୟଟନ

ଓଡିଶା ବଡ ଖବର

#ପର୍ଯ୍ୟଟନ_ବିଭାଗ_ରାଜ୍ୟରେ_ଆରମ୍ଭ_କରିବ_କ୍ରୁଜ୍‌_ପର୍ଯ୍ୟଟନ                 ଭୁବନେଶ୍ୱର :  ଓଡ଼ିଶାରେ ଚାଲିବ ବିଳାସମୟ କ୍ରୁଜ । ରାଜ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ପ୍ରତି ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଏକ ନୂଆ ଉଦ୍ୟମ କରିବାକୁ ଚାଁହୁଛନ୍ତି ।  ସେଥିପାଇଁ ରାଜ୍ୟର ନଦୀ ଓ ହ୍ରଦରେ କ୍ରୁଜ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କ୍ରୁଜ କମ୍ପାନୀମାନଙ୍କୁ ଆବେଦନ କରିବାକୁ ରାଜ୍ୟ ସରକାର ବିଜ୍ଞାପନ ଜାରି କରିଛନ୍ତି । ରାଜ୍ୟର ୫ଟି ପ୍ରମୁଖ ସ୍ଥାନରେ ଆରମ୍ଭ ହେବ ‘ଡେ କ୍ରୁଜ୍‌ ସର୍ଭିସ୍‌’। ଘରୋଇ ସଂସ୍ଥା ସହଯୋଗରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଲିକା, ମହାନଦୀ, ଭିତରକନିକା, ସାତକୋଶିଆ ଗଣ୍ଡ ଏବଂ ହୀରାକୁଦରେ ଏହି ‘ରିଭର୍‌ କ୍ରୁଜ୍‌’ ବ୍ୟବସ୍ଥା ଆରମ୍ଭ ହେବ। ଏନେଇ ଶନିବାର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଟେଣ୍ଡର ଆଗତ କରାଯାଇଛି। ରାଜ୍ୟରେ ପର୍ଯ୍ୟଟନର ବିକାଶ କରିବାକୁ ଏହି ନୂଆ ଯୋଜନା ପ୍ରସ୍ତୁତ ହୋଇଥିବା ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ୪୮୨ କିମିର ସୁଦୀର୍ଘ ବେଳାଭୂମି ରହିଥିବାବେଳେ ୫ଟି ପ୍ରମୁଖ ନଦୀ, ଜଳଭଣ୍ଡାର ଏବଂ ଏସିଆର ସର୍ବବୃହତ୍‌ ଲୁଣା ହ୍ରଦ ଚିଲିକା ହ୍ରଦ ରହିଛି। ଏହି ଜଳ ଉତ୍ସଗୁଡ଼ିକରେ ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପ ମାଧ୍ୟମରେ ଯୁବ ପର୍ଯ୍ୟଟକ ତଥା ଲକ୍‌ଜରୀ ଓ ଆଡ୍‌ଭେଞ୍ଚର ଟୁରିଜିମ୍‌ରେ ଆଗ୍ରହ ରଖୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଦୀର୍ଘଦିନ ହେବ ଯୋଜନା କରିଆସୁଛନ୍ତି। ଏଥିଲାଗି ୨୦୧୬ ଟୁରିଜିମ୍‌ ପଲିସିରେ ଓ୍ବାଟର ସ୍ପୋର୍ଟସ, ଆଡ୍‌ଭେଞ୍ଚର ସ୍ପୋର୍ଟସ, ହାଉସ୍‌ ବୋଟ୍‌, କ୍ରୁଜ୍‌ ଟୁରିଜିମ୍‌ ପ୍ରୋଜେକ୍ଟ, ଆକ୍ୱାରିୟମ୍‌ ଏବଂ ଆକ୍ୱା-ପାର୍କ ଭଳି ବିଭିନ୍ନ ପ୍ରକଳ୍ପକୁ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା କରାଯାଇଥିଲା। ଏହାପରେ କେନ୍ଦ୍ର ସରକାର କ୍ରୁଜ୍‌ ଭେସେଲ, କ୍ରୁଜ୍‌ ଟର୍ମିନାଲ ଭଳି ପ୍ରକଳ୍ପକୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ଘୋଷଣା କରିଥିବା ବେଳେ ଜଳକ୍ରୀଡାର ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ୨୦୧୭ରେ ଓଡ଼ିଶା ନୌକା ଆଇନ୍‌ ପ୍ରସ୍ତୁତ କରିଥିଲେ। ଭିତରକନିକା ଓ ଚିଲିକା ସହ ହୀରାକୁଦ ଜଳଭଣ୍ଡାରରେ ହାଉସ୍‌ବୋଟ ବ୍ୟବସ୍ଥା ଆରମ୍ଭ କରାଯିବା ନେଇ ପୂର୍ବରୁ ପର୍ଯ୍ୟଟନ ସଚିବ ବିଶାଲ ଦେବ ସୂଚନା ଦେଇଥିଲେ। ସେହିଭଳି ‘ରିଭର୍‌ କ୍ରୁଜ୍‌’ ବ୍ୟବସ୍ଥା ଆରମ୍ଭ କରିବା ନେଇ ପରବର୍ତ୍ତୀ ସମୟରେ ଇନ୍‌ଲ୍ୟାଣ୍ଡ୍‌ ଓ୍ବାଟର୍‌ଓ୍ବେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ ସହ ଆଲୋଚନା ହୋଇଥିବା ବେଳେ ସ୍ଥାନ ନିର୍ଦ୍ଧାରଣ ପାଇଁ କଥାବାର୍ତ୍ତା ଚାଲିଥିଲା। କେରଳରୁ ଆସିଥିବା ଏକ ସ୍ବତନ୍ତ୍ର ଟିମ୍‌ ଭିତରକନିକା ସହ ହୀରାକୁଦ ଜଳଭଣ୍ଡାର ପରିଦର୍ଶନ କରିଥିଲା। ତେବେ ପୂର୍ବପ୍ରସ୍ତୁତ ଯୋଜନା ଅନୁଯାୟୀ ଉପରୋକ୍ତ ୫ଟି ସ୍ଥାନରେ ବିଭାଗ ଡେ’ କ୍ରୁଜ୍‌ ବା ‘ଇନ୍‌ଲ୍ୟାଣ୍ଡ୍‌ କ୍ରୁଜ୍‌ ଲାଇନର୍ସ’ ଚଳାଚଳ ଆରମ୍ଭ କରିବାକୁ ଘରୋଇ କ୍ରୁଜ୍‌ ପରିଚାଳକଙ୍କଠାରୁ ଟେଣ୍ଡର ଆମନ୍ତ୍ରିତ କରିଛି। ଜୁଲାଇ ୧୦ ତାରିଖ ଟେଣ୍ଡର ଆବେଦନର ଶେଷ ତାରିଖ ରହିଥିବା ବେଳେ ଆବେଦନକାରୀମାନେ ଏହି ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନ ଲାଗି ମଧ୍ୟ ଆବେଦନ କରିପାରିବେ ବୋଲି କୁହାଯାଇଛି।