ପରୀକ୍ଷାରେ କପି ରୋକିବାକୁ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ : କପି କରିବା ବନ୍ଦ କର

ଓଡିଶା କଟକ ଜିଲ୍ଲା ବଡ ଖବର ରାଜ୍ୟ

#ପରୀକ୍ଷାରେ_କପି_ରୋକିବାକୁ_ହାଇକୋର୍ଟଙ୍କ_କଡ଼ା_ଆଭିମୁଖ୍ୟ   ଭୁବନେଶ୍ବର:  କପିକୁ ନେଇ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ । ହଲକୁ ପିଲା ନେଇପାରିବେନି ଖଣ୍ଡିଏ ବି କାଗଜ । ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇସାରିଥିବା ବେଳେ ପ୍ରଥମ ଦିନ ମାତୃଭାଷା ବିଷୟରେ କପି କରି ଧରାପଡ଼ିଛନ୍ତି ୫ ଜଣ ଛାତ୍ର । ଆଉ ଠିକ୍ ଏମିତି ବେଳେ କପି ରୋକିବାକୁ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ମତ ଦେଇଛନ୍ତି ହାଇକୋର୍ଟ । ୨୦୧୨ ମସିହାରୁ ଚାଲିଥିବା ଏକ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି-ପରୀକ୍ଷା ବେଳେ କୌଣସି ବିଶୃଙ୍ଖଳା ଗ୍ରହଣୀୟ ନୁହେଁ ।

ଆର୍ଡମିଟ୍ କାର୍ଡ, ଜ୍ୟାମିତି ବାକ୍ସ, ପେନ୍ କିମ୍ବା ପେନସିଲ ବ୍ୟତିତ ଆଉ କୌଣସି ସାମଗ୍ରୀ ପରୀକ୍ଷା କେନ୍ଦ୍ରକୁ ଯାଇପାରିବ ନାହିଁ ।

ପରୀକ୍ଷା କେନ୍ଦ୍ରକୁ ଖଣ୍ଡିଏ କାଗଜ ଯିବାକୁ ଗ୍ରହଣ କରାଯାଇପାରିବ ନାହିଁ ,ଜଣେ ପରୀକ୍ଷାର୍ଥୀ ଭଲ ନମ୍ବର ରଖିବା ପାଇଁ କୌଣସି ଅସଦ ବାଟ ଆପଣାଇ ପାରିବେ ନାହିଁ,ଅସଦ ବାଟ ଆପଣାଇବା ପ୍ରକ୍ରିୟାକୁ ଦୃଢ଼ ହସ୍ତରେ ଦମନ କରାଯିବା ଆବଶ୍ୟକ,ନଚେତ୍ ଏହା ଭଲ ପିଲାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବ,ଯେଉଁମାନେ ପରୀକ୍ଷା ପରିଚାଳନା କରୁଛନ୍ତି ସେମାନେ ପରୀକ୍ଷାକୁ ସ୍ୱଚ୍ଛତାର ସହ ଏବଂ ତ୍ରୁଟିପୂର୍ଣ୍ଣ ଭାବେ କରିବା ଆବଶ୍ୟକ,ପରୀକ୍ଷା ହଲ କିମ୍ବା ବାହାରେ କପି କିମ୍ବା ବିଶୃଙ୍ଖଳା ରୋକିବା ପାଇଁ ଦୃଷ୍ଟି ଦେବା ଉଚିତ

୨୦୧୨ ମସିହାରେ କେନ୍ଦୁଝର ଜିଲ୍ଲାର ଛାତ୍ର ଫାଲଗୁନି ସାହୁଙ୍କ ପକେଟରୁ କପି ବାହାରି ଥିଲା । ଅବଶ୍ୟ ବିଜ୍ଞାନ ଦ୍ୱିତୀୟ ପେପର ପରୀକ୍ଷା ଦିନ, ତାଙ୍କ ପକେଟରୁ ବିଜ୍ଞାନ ପ୍ରଥମ ପେପରର ଏକ କପି ବାହାରିଥିଲା । ଏହାକୁ ନେଇ ବୋର୍ଡ ସଂପୃକ୍ତ ଛାତ୍ରଙ୍କୁ ଗୋଟିଏ ବର୍ଷ ପାଇଁ ପରୀକ୍ଷା ଦେବାରୁ ବଂଚିତ କରିଥିଲା ।

ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟ ଯାଇଥିଲେ ସଂପୃକ୍ତ ଛାତ୍ର । ଉଚ୍ଚତମ ନ୍ୟାୟାଳୟ ବୋର୍ଡର ନିଷ୍ପତ୍ତି ବିରୋଧରେ ରାୟ ଦେଇ କହିଥିଲେ, ଛାତ୍ର ଜଣକ ପରୀକ୍ଷା ଦେଇପାରିବେ । ହେଲେ ଏହି ଆଦେଶ ବିରୋଧରେ ପୁଣି ହାଇକୋର୍ଟର ଖଣ୍ଡପୀଠରେ ଆବେଦଦ କରିଥିଲା ବୋର୍ଡ । ଯାହା ଉପରେ ଶୁଣାଣି କରି ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି-ପରୀକ୍ଷା କେନ୍ଦ୍ରକୁ ଖଣ୍ଡିଏ କାଗଜ ଯିବାକୁ ଗ୍ରହଣ କରାଯାଇପାରିବ ନାହିଁ ।