ପରଲୋକରେ ନାଟ୍ୟକାର ବିଜୟ ମିଶ୍ର

ପରଲୋକରେ ନାଟ୍ୟକାର ବିଜୟ ମିଶ୍ର

ଓଡିଶା ବଡ ଖବର

#ପରଲୋକରେ_ନାଟ୍ୟକାର_ବିଜୟ_ମିଶ୍ର                      ଭୁବନେଶ୍ୱର : ବିଶିଷ୍ଟ ନାଟ୍ୟକାର ତଥା କାହାଣୀକାର, ଚିତ୍ରନାଟ୍ୟ ଲେଖକ ଓ ସଂଳାପକାର ବିଜୟ ମିଶ୍ରଙ୍କର ପରଲୋକ ହୋଇଯାଇଛି । ରବିବାର ଦିନ ଭୁବନେଶ୍ୱରସ୍ଥିତ ଏକ ଘରୋଇ ନର୍ସିଂହୋମରେ  ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ସ୍ୱର୍ଗତ ମିଶ୍ର ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ଏବଂ ବହୁ ଟେଲି ଧାରାବାହିକରେ ସଂଳାପ ରଚନା କରିଛନ୍ତି । ୧୯୭୨ ମସିହାରେ ସେ ଯାଯାବର ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ସେ ସେହି ସିନେମାର ସଂଳାପ ରଚନା କରିବା ସହିତ ଏହାର  ନିର୍ଦ୍ଦେଶକ ମଧ୍ୟ ଥିଲେ । ପ୍ରଖ୍ୟାତ ଅଭିନେତା ହେମନ୍ତ ଦାସ, ଗାୟକ ତଥା ସଂଗୀତକାର ଅକ୍ଷୟ ମହାନ୍ତି ଓ ବିଜୟ ମିଶ୍ର ମିଶି ତ୍ରିମୂର୍ତି ଛଦ୍ମନାମରେ ଯାଯାବର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ଏହା ପରେ ସେ ଅଶାନ୍ତ ଗ୍ରହ, ଡୋରା, ଜଗାବଳିଆ, ଧର୍ମ ସହିଲେ ହେଲା, ଲକ୍ଷ୍ମଣ ରେଖା, ଯଶୋଦା, ଯାହାକୁ ରଖିବେ ଅନନ୍ତ, ଲକ୍ଷେ ଶିବ ପୂଜି ପାଇଛି ପୁଅ, ମୋ କୋଳ ତୋ ଝୁଲଣା, ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୁର, ଭୀଷ୍ମ ପ୍ରତିଜ୍ଞା, ସୁନା ଚଢେଇ, ଆଇ ଲଭ ମାଇ ଇଣ୍ଡିଆ, ବାହୁଡ଼ିବେ ମୋ ଜଗାବିଳଆ ଆଦି ବହୁ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ସମେତ ୫୦ରୁ ଅଧିକ ସିନେମାରେ ସଂଳାପ ଲେଖିଥିଲେ । ସେ ବଟକୃଷ୍ଣ ନାୟକଙ୍କ ପ୍ରଯୋଜିତ ଓଡ଼ିଆ ସିନେମା “ରଜନୀଗନ୍ଧା’ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।
ସେ ଗତ ବର୍ଷ ରାଜ୍ୟ ସରକାରଙ୍କ ପ୍ରଦତ ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ “ଜୟଦେବ ପୁରସ୍କାର’ରେ ସମ୍ମାନିତ ହୋଇଥିଲେ । ଏହାବ୍ୟତୀତ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ତାଙ୍କ ବିୟୋଗରେ ଓଡ଼ିଆ ନାଟ୍ୟ/ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

ସ୍ୱର୍ଗତ ମିଶ୍ର ୧୯୩୬ରେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୦ରେ କଟକ ଅନ୍ନପୂର୍ଣ୍ଣା ଥିଏଟରରେ “ଜନନୀ’ ନାଟକରୁ ସେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ବିଜୟ ମିଶ୍ରଙ୍କ ଚର୍ଚ୍ଚିତ ନାଟକ “ତଟ ନିରଞ୍ଜନୀ’ ବିଭିନ୍ନ ଭାଷାରେ ଅନୁବାଦ ହୋଇଛି ।ହିନ୍ଦୀ, ନେପାଳୀ, କନ୍ନଡ ଓ ଅନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇଛି ।ତେବେ ତାଙ୍କ କୃତି ମଧ୍ୟରେ ରହିଛି ଜନନୀ, ଏକାକୀ, ଅଶାନ୍ତ ଗ୍ରହ, ତିମିର ତୀର୍ଥ, ପ୍ରତୀକ୍ଷା, ଆର୍ତ୍ତନାଦ, ହେ ସ୍ୱର୍ଗ ବିଦାୟ, ଶବ ବାହକମାନେ, ଯାଯାବର, ସାଗରତୀରେ, ଅସତ୍ୟ ସହର, ଏଠି ସେଠି ସବୁଠି, କଥାଟିଏ କହୁଁ, ଚନ୍ଦ୍ରଚୋରି, ଲଗ୍ନ, ଦୁଇଟି ସୂର୍ଯ୍ୟ: ଦଗ୍ଧ ଫୁଲକୁ ନେଇ ଏବଂ ଜଣେ ରାଜା ଥିଲେ ଏଭଳି ଶତାଧିକ ନାଟକର ଶ୍ରଷ୍ଠାଥିଲେ । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।