ପଥର ଖୋଲରୁ ବାହାରୁଛି ଡିଜେଲ !

ଓଡିଶା ଜିଲ୍ଲା ବଡ ଖବର ବୌଦ୍ଧ ରାଜ୍ୟ

ଦାରିଙ୍ଗିବାଡି: ପଥର ଖୋଲରୁ ବାହାରୁଛି ଡିଜେଲ୍- ଘଟଣାଟି ଆଶ୍ଚର୍ଯ୍ୟଜନକ ମନେହେଉଥିଲେ ବି ସତ।  କନ୍ଧମାଳ ଜିଲ୍ଲାର ଜଣାଶୁଣା ପର୍ଯ୍ୟଟନସ୍ଥଳୀ ଦାରିଙ୍ଗିବାଡି ଲଦପାଙ୍ଗା ଅଂଚଳରେ ପଥର ଖୋଲରୁ ଡିଜେଲ ବାହାରୁଥିବା ଖବର ପ୍ରଚାର ହେବା ପରେ ଲୋକଙ୍କ ଭିଡ ଲାଗିବା ଆରମ୍ଭ ହୋଇଛି । ଲୋକେ ବୋତଲ, ଜାର୍, ବାଲଟି, ମଗ ଧରି ଡିଜେଲ ସଂଗ୍ରହ କରିବା ପାଇଁ ଧାଡ଼ି ଲଗାଇଛନ୍ତି ।

ତେବେ କିପରି ସେଠାରେ ପାହାଡ଼ ସନ୍ଧିରୁ ଡିଜେଲ୍ ବାହାରୁଛି ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଭିଡ଼ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛି । ପଥର ଖୋଲରୁ ଡିଜେଲ ସଂଗ୍ରହ କରିବା ପାଇଁ ଲୋକେ  ଡଙ୍କି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଡଙ୍କିରେ ତେଲ ସଂଗ୍ରହ କରି ବାଲଟି ଓ ବୋତଲରେ  ଭର୍ତି କରି ଘରକୁ ନେଉଛନ୍ତି।

ତେବେ ବଡ଼ ପ୍ରଶ୍ନ ହେଉଛି ପଥର ଖୋଲରେ ଡିଜେଲ ଆସିଲା କେଉଁଠୁ । ଘଟଣାର ଅନୁସନ୍ଧାନ ପରେ ଜଣାପଡ଼ିଥିଲା ଡିଜେଲ ବାହାରୁଥିବା ସ୍ଥାନଠାରୁ ମାତ୍ର ୪ ଶହ ମିଟର ଦୂରରେ ରହିଛି ଏକ ପେଟ୍ରୋଲ ଟାଙ୍କିି । ତେଣୁ ଏହି ଟାଙ୍କିରୁ ଲିକ ହୋଇ ଡିଜେଲ ଆସୁଥିବା ଆଶଙ୍କା କରାଯାଉଛି । ସେପଟେ ପେଟ୍ରୋଲ ପମ୍ପ ମାଲିକ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ତାଙ୍କ ଟାଙ୍କିରେ ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଛି । କୌଣସି ପ୍ରକାର ଲିକ ହୋଇନାହିଁ । ପେଟ୍ରୋଲ ପମ୍ପ ମାଲିକଙ୍କ ଏହି ବୟାନ ପରେ ପଥର ଖୋଲରେ ଡିଜେଲକୁ ନେଇ ରହସ୍ୟ ଆହୁରି ବଢିଯାଇଛି ।