ନୂଆ ଜିଲ୍ଲା ପାଇଁ ଯାଜପୁରରେ ଦାନା ବାନ୍ଧୁଛି ଆନ୍ଦୋଳନ

ନୂଆ ଜିଲ୍ଲା ପାଇଁ ଯାଜପୁରରେ ଦାନା ବାନ୍ଧୁଛି ଆନ୍ଦୋଳନ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର

#ନୂଆ_ଜିଲ୍ଲା_ପାଇଁ _ଦାନା_ବାନ୍ଧୁଛି_ଆନ୍ଦୋଳନ     ଯାଜପୁର : ଯାଜପୁର ସହର ତଥା ଜିଲ୍ଲା ସଦର ମହକୁମାର ବିକାଶକୁ ନେଇ ସବୁ ଆଡ଼େ ଚର୍ଚ୍ଚା। ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ବିକାଶର ନମୁନା ପାଲଟିଛି ଯାଜପୁର ସହର। ଅପରପକ୍ଷରେ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳ ଚରମ ଅବହେଳାର ଶିକାର ହେଉଛି। ଜିଲ୍ଲା ଭିତରେ ବିକାଶରେ ତାରତମ୍ୟକୁ ନେଇ ବିଚ୍ଛିନ୍ନ ହେବା ପାଇଁ ସ୍ବର ସଙ୍ଗଠିତ ହେବାରେ ଲାଗିଲାଣି। ଏପରିକି ନୂତନ ଜିଲ୍ଲା ଗଠନ ଦାବିରେ ବୁଦ୍ଧିଜୀବୀ ଅଣ୍ଟା ଭିଡ଼ିଲେଣି। ବି‌ଶେଷ କରି କୋରେଇ, ବ୍ୟାସନଗର, ସୁକିନ୍ଦା ଓ ଦାନଗଦୀ ଅଞ୍ଚଳର ବୁଦ୍ଧିଜୀବୀ ସଂଗଠିତ ହେବାରେ ଲାଗିଛନ୍ତି।

ପ୍ରକାଶ ଥାଉକି, ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୯୩ ମସିହାରେ ଯାଜପୁର ଜିଲ୍ଲା ଗଠନ ‌କରିଥିଲେ ହେଁ ଜିଲ୍ଲା ସଦରମହକୁମା ସ୍ଥାନକୁ କେନ୍ଦ୍ର କରି ଟଣାଓଟରା ତୀବ୍ର ହୋଇଥିଲା। ସଂସ୍କୃତିର ପ୍ରାଣକେନ୍ଦ୍ର ଯାଜପୁରରେ ଜିଲ୍ଲା ସଦର ମହକୁମା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଘୋଷଣା କରିଥିଲେ। ପାଣିକୋଇଲି ଓ ଚଣ୍ଡିଖୋଲରେ ଜିଲ୍ଲା ସଦର ମହକୁମା ପ୍ରସ୍ତାବ ରଦ୍ଦ ହୋଇଥିଲା। ତେବେ ଜିଲ୍ଲା ଗଠନର ୨୫ବର୍ଷ ପରେ ମଧ୍ୟ ବ୍ୟାସନଗର ଓ ଚଣ୍ଡିଖୋଲକୁ ସବଡିଭିଜନ୍ ମାନ୍ୟତା ମିଳିପାରିଲା ନାହିଁ। ସୁକିନ୍ଦା ନିର୍ବାଚନମଣ୍ଡଳୀ ଅଧୀନ ଦାନଗଦୀ ଓ ସୁକିନ୍ଦା ବ୍ଲକ୍‌ରେ ଇସ୍ପାତ ରାଜଧାନୀ କଳିଙ୍ଗନଗର ଗଢ଼ି ଉଠିଥିବା ବେଳେ କାଳିଆପାଣିର କ୍ରୋମ ଉପତ୍ୟକାରୁ ହଜାର ହଜାର ଲୋକ ବିସ୍ଥାପିତ ହେଲେ। ଶିଳ୍ପାଞ୍ଚଳ ଓ ଖଣିରୁ ସରକାର ହଜାର ହଜାର‌ କୋଟି ଟଙ୍କା ରାଜସ୍ବ ପାଇଲେ ସିନା ସ୍ଥାନୀୟ ଅଞ୍ଚଳର ସେପରି କିଛି ଭିତ୍ତିଭୂମି ବିକାଶ ହେଲା ନାହିଁ। ଜାତୀୟ ସ୍ବାର୍ଥ ପାଇଁ ଭିଟାମାଟି ହରାଇଥିବା ‌ଭୂମିପୁତ୍ରମାନେ ଏବେ ଜୀବିକା ପାଇଁ ସଂଗ୍ରାମ କରୁଛନ୍ତି। ଯାହାର ନମୁନା ସୁନାର ସୁକିନ୍ଦା ଅଞ୍ଚଳର ଅପପୃଷ୍ଟିର ଇଲାକା ନଗଡ଼ା ଭଳି ଏକ କଳଙ୍କିତ ଅଧ୍ୟାୟ ରାଜ୍ୟ ସରକାରଙ୍କର ବିକାଶ ଚିତ୍ରକୁ ଦୋହଲାଇ ଦେଇଥିଲା।

୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ଚିଙ୍ଗୁଡ଼ିପାଳର ଏହି ଗୋଟିଏ ୱାର୍ଡ଼ ନଗଡ଼ାର ବିକାଶ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରି ମଧ୍ୟ ସଫଳତା ମିଳିପାରିଲା ନାହିଁ। ଏବେ ତାହାର ତନଖି ପାଇଁ ଲୋକାୟୁକ୍ତ ଅଧ୍ୟକ୍ଷ ଚଳିତମାସରେ ନଗଡ଼ା ଆସୁଛନ୍ତି। ଅଥଚ ଏହି ସମୟରେ ଯାଜପୁରର ସଦର ମହକୁମା‌ର କୁସୁମା ଭଳି ଏକ ପରିତ୍ୟକ୍ତ ପୋଖରୀ ଆଜି ରାଜ୍ୟ ତଥା ଦେଶର ଏକ ମଡେଲ ହେବାକୁ ଯାଉଛି। ଜିଲ୍ଲାରେ କୃଷିର ବିକାଶ ପାଇଁ ଜଳସେଚନ ପ୍ରକଳ୍ପ ହେଉକି ଜଳ ନିଷ୍କାସନ ପ୍ରକଳ୍ପ ବିଶେଷ ଅଗ୍ରଗତି ହୋଇପାରିନାହିଁ। ସୁକିନ୍ଦା ଓ ଦାନଗଦୀ ଅଞ୍ଚଳର ଜଳସେଚନ ପାଇଁ ରେଙ୍ଗାଲି କେନାଲ ପ୍ରକଳ୍ପ କାମ ଚାଲିଛି କିନ୍ତୁ ଶେଷ ହୋଇପାରୁ ନାହିଁ। ଏହି ଅଞ୍ଚଳର ଲୋକ ଚାଷରୁ ମୁହଁ ଫେରାଇ ଖଣିଖାଦାନ ଓ ଶିଳ୍ପ ମୁହାଁ ହୋଇଥିଲେ। ଏବେ ଶିଳ୍ପଗୁଡ଼ିକରେ ତାଲା ପଡ଼ିବାରେ ଲାଗିଛି। ହଜାର ହଜାର ଲୋକ ପ୍ରତି ମାସରେ ଛଟେଇ ହେଉଛନ୍ତି। ସେହିଭଳି ଜିଲ୍ଲାର ସରକ‌ାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ତାଲା ପଡ଼ିବା ପରିସ୍ଥିତି ଦେଖା ଦେଇଛି। ଜିଲ୍ଲାର ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ଯାଜପୁର ମେଡ଼ିକାଲ୍ କଲେଜ ପାଇଁ ଦୀର୍ଘଦିନ ଟଣାଓଟରା ଚାଲିଥିଲା। ମାସ ମାସ ଧରି ପାଣିକୋଇଲିରେ ଗଣଧାରଣା ସତ୍ତ୍ବେ ଜିଲ୍ଲା ସଦର ମହକୁମା ଭଳି ମେଡ଼ିକାଲ କଲେଜ ଯାଜପୁରରେ କରିବାକୁ ଜିଲ୍ଲା ପ୍ରଶାସନ ଅଡ଼ିବସିଲା। ଡିଏମଏଫ ଫଣ୍ଡ ହେଉ କି ଶିଳ୍ପାନୁଷ୍ଠାନର ସିଏସ୍‌ଆର ଅର୍ଥ ଶିଳ୍ପାନୁଷ୍ଠାନ ଓ ଖଣି ଅଞ୍ଚଳରେ ଆବଶ୍ୟକ ଅନୁଯାଇ ଖର୍ଚ୍ଚ ନହେବା ଫଳରେ ଦିନକୁ ଦିନ ଜିଲ୍ଲାର ଅର୍ଥନୈତିକ ବୈଷମ୍ୟ ଦିନକୁ ଦିନ ବୃଦ୍ଧି ଘଟିବାରେ ଲାଗିଛି। ଯାହାକୁ ନେଇ ବୁଦ୍ଧିଜୀବୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାକୁ ନେଇ ମୁଣ୍ଡ ଟେକିଛି ଆଞ୍ଚଳିକବାଦ। ନୂତନ ଜିଲ୍ଲାର ପରିକଳ୍ପନା।

ଯାଜପୁରରୋଡ଼ ତଥା ବ୍ୟାସନଗର ସହିତ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଭାବ ଆଦାନ ପ୍ରଦାନରେ ସଂପୃକ୍ତ ପଡ଼ୋଶୀ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସବଡିଭିଜନର ଆନନ୍ଦପୁର ବ୍ଲକ୍ ଓ ପୌରାଞ୍ଚଳ, ହାଟଡ଼ିହି ଓ ଘସିପୁରା ବ୍ଲକ୍ ସହିତ ଯାଜପୁର ଜିଲ୍ଲାର ଅବହେଳିତ କୋରେଇ ବ୍ଲକ୍ ,ବ୍ୟାସନଗର ପୌରାଞ୍ଚଳ, ଦାନଗଦୀ ଓ ସୁକିନ୍ଦା ବ୍ଲକ୍ ଓ ଧର୍ମଶାଳାର କିଛି ଅଞ୍ଚଳକୁ ନେଇ ନୂତନ ଜିଲ୍ଲାର ପରିକଳ୍ପନା ଆରମ୍ଭ କରାଯାଇଛି। ଏହି ଅଞ୍ଚଳଗୁଡ଼ିକର ମୋଟ ଲୋକ ସଂଖ୍ୟା ୨୦୧୧ଜନଗଣନା ମୁତାବକ ୧୦ଲକ୍ଷ ୭୮ହଜାର ୪୦୦ରୁ ଅଧିକ। ଏବେ ଏହା ୧୩ଲକ୍ଷ ରୁ ଅଧିକ ବୋଲି ଆକଳନ କରାଯାଇଛି। ନୂତନ ଜିଲ୍ଲାର ପ୍ରସ୍ତାବ ଦେଉଥିବା ବୁଦ୍ଧିଜୀବୀମାନେ ଯୁକ୍ତି ଦର୍ଶାଉଛନ୍ତି ଯେ. ୨୦୧୧ ଜନଗଣନା ମୁତାବକ ଯାଜପୁର ଜିଲ୍ଲାର ଜନସଂଖ୍ୟା ୧୮ଲକ୍ଷ ୨୭ହଜାର ୧୯୨ଥିଲା। ଏବେ ଏହା ୨୦ ରୁ ୨୧ଲକ୍ଷ ହେବ ବୋଲି କୁହାଯାଉଛି। ଅନୁଗୁଳ, ନବରଙ୍ଗପୁର, ଜଗତସିଂହପୁର, ସମ୍ବଲପୁର ପ୍ରଭୃତି ଜିଲ୍ଲାର ଜନ ସଂଖ୍ୟା ୧୦ରୁ ୧୨ଲକ୍ଷ ହୋଇଥିବା ବେଳେ ନାୟାଗଡ଼, କନ୍ଧମାଳ, ମାଲକାନାଗିରି, ନୂଆପଡ଼ା, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ଗଜପତି, ‌ବୌଦ୍ଧ ଓ ଦେବଗଡ଼ ପ୍ରଭୃତି ଜିଲ୍ଲାର ଜନସଂଖ୍ୟା ୩ରୁ ୧୦ଲକ୍ଷ ମଧ୍ୟରେ। ପ୍ରସ୍ତାବିତ ନୂତନ ଜିଲ୍ଲା ପାଇଁ ବ୍ୟାସନଗର, ଡୁବୁରି ଓ ରଗଡ଼ିରେ ବହୁ ସରକାରୀ ଜମି ରହିଛି। ଏହି ନୂତନ ଜିଲ୍ଲାର ପରିକଳ୍ପନା ଆଞ୍ଚଳିକ ବୈଷମ୍ୟବାଦକୁ କମାଇବା ସହିତ ଅବହେଳିତ ହୋଇ ରହିଯାଇଥିବା ଯାଜପୁର ଜିଲ୍ଲାର ଏହି ପଶ୍ଚିମାଞ୍ଚଳ ଓ କେନ୍ଦୁଝର ଜିଲ୍ଲା ଦକ୍ଷିଣାଞ୍ଚଳର ବିକାଶ ହୋଇପାରିବ ବୋଲି ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା,ବିଶ୍ବହିନ୍ଦୁ ପରିଷଦର ରାଜ୍ୟ ସଂଗଠକ ଚିନ୍ମୟସ୍ବରୂପ ପଣ୍ଡା,ପ୍ରଫେସର ପ୍ରହଲ୍ଲାଦ ରାଉତ, ଅବସରପ୍ରାପ୍ତ ପ୍ରଶାସକ ତରୁଣ ଦାସ, କଳିଙ୍ଗନଗର ବିକାଶ ପରିଷଦର ସଭାପତି ସୁବାସ ବଳବନ୍ତରାୟ ପ୍ରମୁଖ ମତବ୍ୟକ୍ତ କରିଛନ୍ତି।