ନିର୍ଭୀକ ଭାବେ କରୋନା ଲକ୍ଷଣ ଦେଖାଗଲେ ପ୍ରକାଶ କରନ୍ତୁ : ସୁବ୍ରତ ବାଗଚୀ

ନିର୍ଭୀକ ଭାବେ କରୋନା ଲକ୍ଷଣ ଦେଖାଗଲେ ପ୍ରକାଶ କରନ୍ତୁ : ସୁବ୍ରତ ବାଗଚୀ

ଓଡିଶା ବଡ ଖବର ମହାନଗର

#କରେନାକୁ_ଆମେ_ଯେତିକି_ଡରିବା,_ସେ_ଆମକୁ_ସେତିକି_ଡରାଇବ       ଭୁବନେଶ୍ୱର  :  କରେନାକୁ ଆମେ ଯେତିକି ଡରିବା, ସେ ଆମକୁ ସେତିକି ଡରାଇବ । ଯଦି ଆପଣ ନିଜଠାରେ କରୋନା ଲକ୍ଷଣ ଥିବା ଜାଣିବାକୁ ପାଆନ୍ତି  ତାହେଲେ ସାଈ-ପଡ଼ିଶାରେ ଏହାକୁ ଲୁଚାନ୍ତୁ ନାହିଁ । ଆଗେଇ ଆସନ୍ତୁ ଏବଂ ନିର୍ଭିକ ଭାବରେ ପ୍ରକାଶ କରନ୍ତୁ । ଏହି ନିର୍ଭିକତା ଆପଣଙ୍କୁ ବଞ୍ଚାଇବା ସହ ଆପଣଙ୍କ ପରିବାର ଓ ସମାଜକୁ ବଞ୍ଚାଇବ । ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି, କରୋନାକୁ ଭୟ କଲେ ଚଳିବ ନାହିଁ । ବରଂ ଏହାର ମୁକାବିଲା କରିବାକୁ ହେବ ।

ଶ୍ରୀବାଗଚୀ କହିଛନ୍ତି, ଓଡ଼ିଶାରେ ୫ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏହି ୫ ଜଣଙ୍କ ମଧ୍ୟରୁ ଜଣଙ୍କୁ ସରକାରଙ୍କ ତରଫରୁ ୪୯ ଥର ଫୋନ କରାଯାଇଥିଲା । ସରକାର ସଂପୃକ୍ତ ବ୍ୟକ୍ତି କେମିତି ଅଛନ୍ତି ଓ କେଉଁଠି ଅଛନ୍ତି, ଜାଣିବାକୁ ଚାହିଁଥିଲେ । ସଂପୃକ୍ତ ବ୍ୟକ୍ତି କେବଳ ଥରଟିଏ ଫୋନ ଉଠାଇଥିଲେ । ଏହାର କାରଣ ହେଉଛି ଭୟ । ଦୁର୍ବାର ସମୟରେ ଡର ବା ଭୟ ହେଉଛି ଏକ ସ୍ୱାଭାବିକ ପ୍ରତିକ୍ରିୟା । ତେଣୁ ମଣିଷ ହିସାବରେ ଡର ଓ ଭୟକୁ ଜୟ କରିବା ପାଇଁ ଭଗବାନ ଆମକୁ ଶକ୍ତି ଦେଇଛନ୍ତି ।

ଭଗବାନ ରାମଚନ୍ଦ୍ରଙ୍କ ବନବାସର ଅର୍ଥ ବୁଝାଇବାକୁ ଯାଇ ଶ୍ରୀବାଗଚୀ କହିଛନ୍ତି, ଆମକୁ ଦୈନନ୍ଦିନ ସୁଖଯୁକ୍ତ ଜୀବନଶୈଳୀକୁ ତ୍ୟାଗ କରି ଯେତେବେଳେ ଅଜଣା, ଅଶୁଣା ଓ କଷ୍ଟସାଧ୍ୟ ଜୀବନ ଶୈଳୀ ଆପଣାଇବାକୁ ପଡ଼ିଥାଏ, ତାହା ହିଁ ବନବାସ। ଆମ ଶାସ୍ତ୍ର କହୁଛି, “ଯଥା ଦେହେ, ତଥା ଦେବେ”। ଯେପରି ଦେହଧାରୀ ଆପଣ ଓ ମୁଁ। ମର୍ତ୍ତ୍ୟରେ ଭଗବାନ ଯେବେଯେବେ ଆବିର୍ଭୁତ ହୋଇଛନ୍ତି, ତାଙ୍କୁ ଠିକ୍‌ ଆମରି ପରି ଚଳିବାକୁ ପଡ଼େ। ଆପଣଙ୍କ ଓ ମୋ ପରି କଷ୍ଟ ସହିବାକୁ ପଡ଼େ। ଆମ ଓଡ଼ିଶାରେ ଗାଁ ଗାଁରେ କଥାଟିଏ ରହିଛି, ଅଖ ବୁଲୁଥିଲେ ଚକ ବୁଲୁଥାଇ ବୁଲି ପଡ଼ୁଥାଏ ମହି, ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି।” ଠିକ୍‌ ସେମିତି ଭଗବାନଙ୍କୁ ମଧ୍ୟ ସହିବାକୁ ପଡ଼ିଥିଲା। ଭଗବାନ ରାମଚନ୍ଦ୍ରଙ୍କ ୧୪ ବର୍ଷ ବନବାସ କଥା ମନେ ପକାଇ ଆସନ୍ତା ୧୪ ଦିନ ପାଇଁ ତାଙ୍କୁ ଶକ୍ତି, ଭକ୍ତି ଓ ସାହସ ଦେବାକୁ ମାଗିବା। ରାଜ୍ୟବାସୀଙ୍କୁ ମୋର ଏହି ଅନୁରୋଧ।”

ପରାମର୍ଶ ଆଳରେ ଶ୍ରୀ ବାଗଚୀ କହିଛନ୍ତି, ଯଦି ଆପଣ ନିଜକୁ ସନ୍ଦିଗ୍ଧ ମନେକରୁଛନ୍ତି, ତାହେଲେ ଦମ୍ଭର ସହ ଆଗେଇ ଆସନ୍ତୁ । ପରିବାର ଓ ପଡୋଶୀଙ୍କୁ କୁହନ୍ତୁ ମୋ ଠାରେ କରୋନାର ଲକ୍ଷଣ ଦେଖାଯାଉଛି ବୋଲି ଭାବୁଛି । ଆପଣ ଯଦି ଆଗେଇ ଆସିବେ, ତାହେଲେ ଆପଣଙ୍କ ନିର୍ଭୀକ ଚରିତ୍ର ଆପଣଙ୍କୁ ବଞ୍ଚାଇ ପାରିବ । ସମାଜ, ଜାତି ସବୁଦିନ ପାଇଁ ଆପଣଙ୍କ ନିକଟରେ ଚିରଋଣୀ ହୋଇ ରହିବ । ଏଥି ସହ ସେ କହିଛନ୍ତି, ଭଗବାନ ନ କରନ୍ତୁ ମୋତେ ମୋତେ କରୋନା ହେଉ । ଯଦି ମୋତେ କରୋନା ହୁଏ, ତାହେଲେ ମୁଁ ଆପଣଙ୍କ ଆଗରେ ନିର୍ଭୟରେ କହିବି ।