ଧର୍ମଗଡ଼ର ପୂର୍ବତନ ବିଧାୟକ ବୀର ସିପକାଙ୍କର ପରଲୋକ

ଧର୍ମଗଡ଼ର ପୂର୍ବତନ ବିଧାୟକ ବୀର ସିପକାଙ୍କର ପରଲୋକ

ଓଡିଶା କଳାହାଣ୍ଡି ଜିଲ୍ଲା ରାଜ୍ୟ

#ଧର୍ମଗଡ଼ର_ପୂର୍ବତନ_ବିଧାୟକ_ବୀର_ସିପକାଙ୍କ_ପରଲୋକ   ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଧର୍ମଗଡର ପୂର୍ବତନ ବିଧାୟକ ବୀର ସିପକାଙ୍କ ଆଜି ୬୪ ବର୍ଷ ବୟସରେ ତାଙ୍କ ଗୋଲାମୁଣ୍ଡାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ସେ କିଛି ଦିନ ହେବ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ସହିତ ତାଙ୍କର ଧର୍ମପତ୍ନୀ ବଡ଼ ପୁଅ ଉପସ୍ଥିତ ଥିଲେ। ବଡ଼ ଝିଅର ବାହା ଘର ସରିଥିବା ବେଳେ ସାନପୁଅ ଓ ସାନ ଝିଅ ମୁମ୍ବାଇରେ ପାଠ ପଢୁଛନ୍ତି।

ବୀର ସିପକାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକେ ତାଙ୍କ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଛନ୍ତି। ବନ୍ଧୁ, ପରିବାର ଓ ଆତ୍ମୀୟମାନେ ମରଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ଶ୍ରୀ ସିପକା ସରକାରୀ ଚାକିରିରୁ ହଠାତ ରାଜନିତୀକୁ ଆସି ୧୯୯୫ ମସିହାରେ ଧର୍ମଗଡ ସଂରକ୍ଷିତ ଆସନରେ ଜନତା ଦଳର ପ୍ରାର୍ଥୀ ହୋଇ ଭକ୍ତଚରଣ ଦାସଙ୍କୁ ହରାଇଥିଲେ। ପରେ ସେ ଲଗାତାର ୩ଥର ଜିତିଥିଲେ। ପରବର୍ତ୍ତି ସମୟରେ ୨୦୦୦ରେ ବିଜୁ ଜନତା ଦଳ ଓ ୨୦୦୪ରେ ପୁଣି ଥରେ ବିଜୁ ଜନତା ଦଳର ପ୍ରାର୍ଥି ହୋଇ ୨୦୦୯ପର୍ଯ୍ୟନ୍ତ ବିଧାୟକ ଥିଲେ।

୨୦୦୯ରେ ସୀମା ନିର୍ଦ୍ଧାରଣ ପରେ ଜୁନାଗଡରେ ବିଜୁ ଜନତା ଦଳର ପ୍ରାର୍ଥି ହୋଇ ପରାଜିତ ହେବା ପରେ ତାଙ୍କ ରାଜନୈତିକ ଜୀବନରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିଥିଲା। ସେବେଠାରୁ ଆଉ ତାଙ୍କୁ କୌଣସି ସଭାସମିତିରେ ଦେଖିବାକୁ ମିଳୁନଥିଲା। ଶ୍ରୀ ସିପକା ଶିକ୍ଷାର ଉନ୍ନତି ପ୍ରତି ବିଶେଷ ଧ୍ୟାନ ଦେଇଥିଲେ। ତାଙ୍କ ପ୍ରଚେଷ୍ଟାରେ ଗୋଲାମୁଣ୍ଡାରେ +୨ ଓ +୩ କଲେଜ ସ୍ଥାପନ ହୋଇଥିଲା। ହଳଦି ଛକରେ ବିଜୁ ପଟ୍ଟନାୟକ ଇଂଜିନିୟରିଂ କଲେଜ, ଆମ୍ବେଦକର ଲ’କଲେଜ, ବିଜୟାନନ୍ଦ ପବ୍ଳିକ ସ୍କୁଲ, ସମେତ ଅନେକ ଶିକ୍ଷାନଷ୍ଠାନ ତାଙ୍କ ପ୍ରଚେଷ୍ଟାରେ ଗଢ଼ି ଉଠିଥିଲା। ଧର୍ମଗଡ ଡାକ୍ତରଖାନାରେ ରକ୍ତ ଭଣ୍ଡାର, ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରଣୀଙ୍କ ପୀଠ ନବୀକରଣ, ଶିଶୁ ପ୍ରମୋଦ ଉଦ୍ୟାନ, ଧର୍ମଗଡ ଟାଉନ ହଲ ନିର୍ମାଣରେ ତାଙ୍କର ପ୍ରମୂଖ ଭୂମିକା ଥିଲା।