ଦୈନିକ ମଜୁରୀ ମାତ୍ର ୧୪୦ ଟଙ୍କାରେ କ୍ଷୁବ୍ଧହୋଇ ହିଞ୍ଜିଳିକାଟୁ ଶ୍ରମିକ ଜିଲ୍ଲାପାଳଙ୍କୁ ଦେଲେ ଦାବି ପତ୍ର

ଦୈନିକ ମଜୁରୀ ମାତ୍ର ୧୪୦ ଟଙ୍କାରେ କ୍ଷୁବ୍ଧହୋଇ ହିଞ୍ଜିଳିକାଟୁ ଶ୍ରମିକ ଜିଲ୍ଲାପାଳଙ୍କୁ ଦେଲେ ଦାବି ପତ୍ର

ଓଡିଶା ଗଞ୍ଜାମ ଜିଲ୍ଲା

#ହିଞ୍ଜିଳିକାଟୁ_ଶ୍ରମିକଙ୍କ_ଜିଲ୍ଲାପାଳଙ୍କୁ_ଦାବି_ପତ୍ର              ହିଞ୍ଜିଳିକାଟୁ   :  କ୍ରାନ୍ତିକାରୀ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ସଦସ୍ୟ ତଥା  କୃଷି ଶ୍ରମିକ ନେତ୍ରୀ ପି.ପାର୍ବତୀଙ୍କ ନେତୃତ୍ୱରେ ବଡଖଣ୍ଡି  ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ମନରେଗା ଶ୍ରମିକ ମାନେ ଶୁକ୍ରବାର ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କୁ ସାକ୍ଷାତ କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି । କରୋନା ମହାମାରୀ ସମୟରେ ଶ୍ରମିକ ମାନେ ରୋଜଗାର ହରାଇ ବହୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ଅନୁଯାୟୀ ହେଉଥିବା କାମରେ ବର୍ତ୍ତମାନ କାମ କରି ପରିବାର ପ୍ରତିପୋଷଣ କରିବା ଏକମାତ୍ର ବିକଳ୍ପ ହୋଇଛି। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ଦୈନିକ ମଜୁରୀ ଏହି ବ୍ଳକରେ ପ୍ରଦାନ କରାଯାଉନଥିବାରୁ ଶ୍ରମିକ ମାନଙ୍କ ସମସ୍ୟା ବହୁଗୁଣିତ ହେଉଛି ।

କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଗତ ୨୩ ମାର୍ଚ୍ଚ ୨୦୨୦ରେ ଜାରି କରାଯାଇଥିବା ବିଜ୍ଞପ୍ତି ନଂ ୧୦୭୪ ଅନୁଯାୟୀ ୦୧ ଅପ୍ରେଲ ୨୦୨୦ ଠାରୁ ଆମ ରାଜ୍ୟରେ ଦୈନିକ ୨୦୭ ଟଙ୍କା ମଜୁରୀ ପ୍ରଦାନ କରାଯିବ ବୋଲି ପ୍ରକାଶ ପାଇଛି । କିନ୍ତୁ ବର୍ତ୍ତମାନ ର ବ୍ୟାଙ୍କ ବିବରଣୀକୁ ଦେଖିଲେ ମାତ୍ର ୧୪୦ ଟଙ୍କା ମଜୁରୀ ମିଳୁଥିବା ସ୍ବଷ୍ଟ ଜଣାପଡୁଛି । ଏ ସମ୍ପର୍କରେ ଜେଇ, ପଞ୍ଚାୟତ ଅଧିକାରୀଙ୍କୁ ପଚାରି ବୁଝିଲେ ଜଣାଉଛନ୍ତି ହଲେଇ ହଲେଇ କାମ କଲେ ୧୪୦ ଟଙ୍କା କିମ୍ବା ତା ଠାରୁ କମ ମଜୁରୀ ହିଁ ମିଳିବ । ଏହା ପୂର୍ବରୁ ୧୩୫ ରୁ ୧୪୦ ଟଙ୍କା ପ୍ରଦାନ କରାଯାଉଥିଲା କରୋନା ମହାମାରୀ ସମୟରେ ଶ୍ରମିକଙ୍କ ସମସ୍ୟା କୁ ଲାଘବ କରିବା ସହ ଆଗ୍ରହ ସୃଷ୍ଟି ପାଇଁ ଦୈନିକ ମଜୁରୀରେ ୨୦ ଟଙ୍କା ବଢିଲାପରେ ମଧ୍ୟ ସେହି ପୁରୁଣା ମଜୁରୀ ୧୪୦ ଟଙ୍କା ହାରରେ ମଜୁରୀ ମିଳୁଛି । ଗୋଟିଏ ପଟେ କରୋନା ର ବିଭୀଷିକା ଅନ୍ୟପଟେ ଶ୍ରମିକ ମଜୁରୀ ହଡପ ତେବେ ଶ୍ରମିକ ମାନେ ବଞ୍ଚିବେ କିପରି ସେଥିପାଇଁ ଶ୍ରମିକ ମାନେ ଏ ଶ୍ରମିକ ମାରଣ ନୀତିର ସମାଧାନ କ୍ଷେତ୍ରରେ ତୁରନ୍ତ ଜିଲ୍ଲାପାଳ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ ନିମନ୍ତେ ଆଶା  ରଖିଛନ୍ତି ।

ପ୍ରକାଶ ଥାଉକି ଦୁରୁବନ୍ଧ, ସାରୁ, ନନ୍ଦିକ, ମକରଝୋଳ, ଶାସନ ଆମ୍ବ ଗାଁ ଆଦି ଗ୍ରାମପଞ୍ଚାୟତରେ ମଧ୍ୟ ୧୨୦ ରୁ ୧୪୦ ଟଙ୍କା ସର୍ବାଧିକ ଦୈନିକ ମଜୁରୀ ମିଳିଥାଏ । ଲକ୍ଷ୍ମୀ ନାଇକ ୫୮ ଦିନର ମଜୁରୀ ପାଇ ନାହାନ୍ତି, ରାଜୁ ନାଇକ ଗତ ଡିସେମ୍ବରରେ ମୃତ୍ୟୁବରଣ କରିଛନ୍ତି ତାଙ୍କର ଏବେ ପର୍ଯ୍ୟନ୍ତ ମଜୁରୀ ମିଳି ନାହିଁ କି ତାଙ୍କ ସ୍ତ୍ରୀ ଝୁନୁ ନାଇକ ଏବଂ ବହୁ ଶ୍ରମିକ ବହୁ ମଜୁରୀ ପାଇବାକୁ ଆଶା କରି ଅପେକ୍ଷା କରିଛନ୍ତି କିନ୍ତୁ ସେମାନଙ୍କୁ  ମଜୁରୀ ମିଳିନାହିଁ । ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଦାବି ପତ୍ରରେ କେନ୍ଦ୍ର ସରକାରଙ୍କ ଘୋଷିତ ଦୈନିକ ମଜୁରୀ ହାରରେ ୨୦୭ ଟଙ୍କା ସମସ୍ତ ମନରେଗା ଶ୍ରମିକଙ୍କୁ ପ୍ରଦାନ କରିବା,  ବକେୟା ଥିବା ସମସ୍ତ ଶ୍ରମିକଙ୍କ ଆକାଉଣ୍ଟରେ ତୁରନ୍ତ ମଜୁରୀ ଟଙ୍କା ପୈଠ କରିବା, ସମସ୍ତ ପ୍ରବାସୀ ଓ ଅନ୍ୟ ଶ୍ରମିକଙ୍କୁ ୨୦୦ ଦିନର କାମ ସହ ଦୈନିକ ମଜୁରୀ ୩୦୦ ଟଙ୍କାକୁ ବୃଦ୍ଧି କରିବା, କୃଷି କାର୍ଯ୍ୟକୁ ନରେଗା ସହ ଯୋଡି ଶ୍ରମିକଙ୍କୁ ରୋଜଗାରକ୍ଷମ କରିବା, ସମସ୍ତ ନରେଗା ଶ୍ରମିକଙ୍କୁ  ୧୫୦୦ ଟଙ୍କା ସହାୟତା ଏବଂ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ପଞ୍ଜିକରଣ କରି ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରିବା, ରାସନକାର୍ଡରୁ ବଞ୍ଚିତ ହୋଇଥିବା ନରେଗା ଶ୍ରମିକଙ୍କୁ ତୁରନ୍ତ ରାସନକାର୍ଡ ପ୍ରଦାନ କରିବା ଏବଂ ପୂର୍ବରୁ ଘୋଷିତ ମଜୁରୀ ଟଙ୍କାରୁ ଯେତିକି ପରିମାଣରେ କମ ମିଳିଛି ସେସମସ୍ତ  ଟଙ୍କା ତୁରନ୍ତ ଶ୍ରମିକଙ୍କ ଆକାଉଣ୍ଟରେ ଜମା କରିବା ସହ ଯେଉଁମାନେ ଶ୍ରମିକ ଙ୍କ ଟଙ୍କା ହଡପ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଉଲ୍ଲେଖ କରାଯାଇଛି । ଏଥିପ୍ରତି ପ୍ରଶାସନିକ ଅବହେଳା ପ୍ରଦର୍ଶନ କଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଶ୍ରମିକମାନେ ସୂଚନା ପ୍ରଦାନ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ କରିବା ସମୟରେ ଆଲୋଚନା କରିବା ପାଇଁ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ଏବଂ ସଂଯୁକ୍ତା ନାଇକ, ଝିଲ୍ଲୀ ନାଇକ, ଲକ୍ଷ୍ମୀ ନାଇକ, ବୁଲି ବେହେରା, ଭଗବାନ ନାଇକ, ସୁବାଷ ନାଇକ ଆଦି ଉପସ୍ଥିତ ଥିଲେ ।