ଜଗତସିଂହପୁର ଛୁଇଁଲା କରୋନା,୪ ଆକ୍ରାନ୍ତ ଚିହ୍ନଟ , ସମସ୍ତେ ସୁରଟ ଫେରନ୍ତା

ଜଗତସିଂହପୁର ଛୁଇଁଲା କରୋନା,୪ ଆକ୍ରାନ୍ତ ଚିହ୍ନଟ , ସମସ୍ତେ ସୁରଟ ଫେରନ୍ତା

ଓଡିଶା ବଡ ଖବର

#ଜଗତସିଂହପୁର_ଛୁଇଁଲା_କରୋନା             ଭୁବନେଶ୍ୱର  : ଏପର୍ଯ୍ୟନ୍ତ ଗ୍ରୀନ୍ ଜୋନ୍ ରେ ଥିବା ଜଗତସିଂହପୁର ଜିଲ୍ଲାକୁ ଛୁଇଁଛି କରୋନା । ଜିଲ୍ଲାରୁ ବୁଧବାର ଦିନ ଏକସଙ୍ଗେ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ସୁରତ ଫେରନ୍ତା ।ଏଥିସହ ରାଜ୍ୟର ୧୭ଟି ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ମଧ୍ୟ ବହୁ ଦିନର ବ୍ୟବଧାନ ପରେ ଜଣେ ଆକ୍ରାନ୍ତ ଠାବ ହୋଇଛନ୍ତି । ଏହା ଫଳରେ କେନ୍ଦ୍ରାପଡାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୮୫ ଛୁଇଁଛି । ବୁଧବାର ଦିନ ଗୋଟିଏ ଦିନରେ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ପ୍ରଥମ ଥର ଲାଗି ଜଗତସିଂହପୁର ଜିଲ୍ଲାର ଚିହ୍ନଟ ଏହି ୪ଜଣ ଆକ୍ରାନ୍ତ ନାଉଗାଁ ଅଞ୍ଚଳର । ସେମାନଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର । ସମସ୍ତେ ପୁରୁଷ ଏବଂ ସେମାନଙ୍କ ବୟସ ୨୬ , ୩୨ , ୩୦ ଓ ୪୭ । ଏହି ୪ ଜଣ ଯାକ ଗୋଟିଏ ସଙ୍ଗରୋଧ ଗୃହରେ ଥିଲେ । କାହା ନିକଟରେ ରୋଗର ଲକ୍ଷଣ ନ ଥିଲା । କିନ୍ତୁ ବାହାର ରାଜ୍ୟରୁ ଫେରିଥିବାରୁ ସେମାନଙ୍କ ସ୍ୱାବ୍ ପରୀକ୍ଷା କରାଯାଇଥିଲା ।
ସେହିପରି କେନ୍ଦ୍ରାପଡାରେ ଚିହ୍ନଟ ବ୍ୟକ୍ତି ୬୦ ବର୍ଷୀୟ ପୁରୁଷ ଏବଂ ସେ କୋଲକାତାରୁ ଫେରିଥିଲେ ।
ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି । ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରୁ ୯ ଜଣ (ଜଗତସିଂହପୁର ଜିଲ୍ଲାରୁ ୪ ଜଣ, ଯାଜପୁର ଜିଲ୍ଲାରୁ ୨ ଜଣ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଗଂଜାମ ଜିଲ୍ଲାରୁ ଜଣେ ଲେଖାଏଁ) କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବୁଧବାର ଦିନ ଚିହ୍ନଟ ପ୍ରଥମ ସଂକ୍ରମିତ ଜଣକ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ଦ୍ୱିତୀୟ ସଂକ୍ରମିତ ଜଣଙ୍କ ବାଲେଶ୍ୱର ଜିଲ୍ଲାର । ଗଂଜାମ ଜିଲ୍ଲାର ପଜିଟିଭ୍ ୧୮ ବର୍ଷୀୟ ଯୁବକ । ସେ ସୁରତରୁ ଫେରିଥିଲେ । ସେହିପରି ବାଲେଶ୍ୱରର ଆକ୍ରାନ୍ତ ୪୮ ବର୍ଷୀୟ ପୁରୁଷ ।
ପରେ ଯାଜପୁର ଜିଲ୍ଲାରେ ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟ ଏବଂ ୫୭ ବର୍ଷୀୟ ପୁରୁଷ ରହିଛନ୍ତି । ଉଭୟ ପଶ୍ଚିମବଙ୍ଗରୁ ଫେରିବା ପରେ କ୍ୱାରେଂଟାଇନ୍ ସେଂଟରରେ ଥିଲେ । ଯାଜପୁରରେ ବର୍ତମାନ ସୁଦ୍ଧା ୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଏପର୍ଯ୍ୟନ୍ତ ୪୭ ହଜାର ୪୫୪ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି ।୧୭ଟି ଜିଲ୍ଲାରୁ ମୋଟ ୧୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୪୭ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୫ ଜଣ, ଭଦ୍ରକ ଜିଲ୍ଲାରୁ ୨୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ, ଗଂଜାମ ଓ ଜଗତସିଂହପୁର ଜିଲ୍ଲାରୁ ୪-୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୨୨ ଜଣ ସକ୍ରିୟ ଆକାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣରେ କେବଳ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛନ୍ତି ।