ଚାଲି ଚାଲି କଲିକତା ପଳାଉଥିଲେ ଶ୍ରମିକ, ପମସରାରୁ ଉଦ୍ଧାର ହେଲେ

ଚାଲି ଚାଲି କଲିକତା ପଳାଉଥିଲେ ଶ୍ରମିକ, ପମସରାରୁ ଉଦ୍ଧାର ହେଲେ

ଓଡିଶା ପୁରୀ ବଡ ଖବର
#କଲିକତା_ପଳାଉଥିଲେ_ଶ୍ରମିକ,_ପମସରାରୁ_ଉଦ୍ଧାର_ହେଲେ           ପିପିଲି  :   ( ବିଜୟ କୁମାର ମହାପାତ୍ର ) ପୁରୀରେ ଏକ ଆପାର୍ଟମେଣ୍ଟରେ କାମ କରୁଥିବା କିଛି  ଶ୍ରମିକ ଚାଲି ଚାଲି କଲିକତା ପଳାଉଥିବା ବେଳେ ସେମାନଙ୍କୁ ପୁଲିସ ଉଦ୍ଧାର କରିଛି । ସମସ୍ତେ ପଶ୍ଚିମବଙ୍ଗ ମୁର୍ଶିଦାବାଦର ବୋଲି ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ, ପୁରୀର ଦେବୀଘାଟ ନିକଟରେ ପଣ୍ଡା ଆପାର୍ଟମେଣ୍ଟ ନିର୍ମାଣ ଚାଲିଛି । ଏଠାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ସମ୍ପୃକ୍ତ କଣ୍ଟ୍ରାକ୍ଟର ଖାଇବାକୁ ଦେଲେ ନାହିଁ । ଫଳରେ ସେମାନେ ବାଧ୍ୟ ହୋଇ  ଘରକୁ ଯିବାକୁ ମନସ୍ଥ କରିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ପ୍ରାୟ ୨୦ ଜଣ ଶ୍ରମିକ ଏକ ଗାଡିରେ ଭୁବନେଶ୍ୱର ଯାଉଥିଲେ । କିନ୍ତୁ ପିପିଲି ଟୋଲପ୍ଲାଜା ନିକଟ ଚେକ୍ ପୋଷ୍ଟରେ ଧରାପଡିଥିଲେ । ସେମାନଙ୍କୁ ପୁଣି ପୁରୀ ଫେରାଇ ଦିଆଯାଇଥିଲା । ତେବେ ସେମାନଙ୍କ ସାଙ୍ଗରେ ଥିବା ପେଟି ଠିକାଦାର ସେମାନଙ୍କୁ ଏକ ଗାଁ ରାସ୍ତାରେ ଚଲାଇ ଚଲାଇ ଭୁବନେଶ୍ୱର ନେଇଯାଉଥିଲେ । ସ୍ଥାନୀୟ ପମସରା ନିକଟରେ ଚାଲି ଚାଲି ଯାଉଥିବା ବେଳେ ଗାଁ ଲୋକଙ୍କ ସନ୍ଦେହ ହୋଇଥିଲା । ସମସ୍ତଙ୍କୁ ଅଟକାଇ ପରିଚୟ ପଚାରିବାରୁ ସମେସ୍ତ ହିନ୍ଦୀ ମିଶା ଓଡିଆରେ କଥା ହୋଇଥିଲେ । ଗାଁ ଲୋକଙ୍କ ସନ୍ଦେହ ବଢ଼ିବାରୁ ପୁଲିସକୁ ଖବର ଦିଆଯାଇଥିଲା । ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ, ଏସଆଇ ସଂଘମିତ୍ରା ଚାନ୍ଦ ଓ ଉତ୍ତରା ଫାଣ୍ଡି ଅଧିକାରୀ ମନୋଜ କୁମାର ଦାସ ସଦଳବଳେ ଘଟଣାସ୍ଥଳରେ ପହଂଚି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ଆଣିଥିଲେ । ମାଜିଷ୍ଟ୍ରେଟ୍ ତଥା ତହସିଲଦାର ସପନ କୁମାର ନନ୍ଦ ଓ ବିଡିଓ ଗୌରବମୟ ପ୍ରଧାନଙ୍କ ସହ ଆଲୋଚନା କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଛି । ତେବେ ଉଦ୍ଧାର ଶ୍ରମିକଙ୍କୁ ସ୍ଥାନୀୟ ଏକ ସେଫ୍ ସେଂଟରରେ ରଖାଯାଇ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।