ଗୃହରେ ରହିଲେନି ଅଫିସର, କଂଗ୍ରେସ ଉଠାଇଲା ଆପତ୍ତି

ଓଡିଶା ବଡ ଖବର ରାଜ୍ୟ

#ଗୃହରେ_ରହିଲେନି_ଅଫିସର_କଂଗ୍ରେସ_ଉଠାଇଲା_ଆପତ୍ତି  ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନ  ଆରମ୍ଭ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣ, ଦିବଂଗତ ସଦସ୍ୟ ଓ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଓ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ପରେ ଗୃହକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆସନ୍ତାକାଲି ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ତେବେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଧନ୍ୟବାଦ ପ୍ରସ୍ତାବ ଆଗତବେଳେ ଅଫିସର ଗ୍ୟାଲେରୀରେ କୌଣସି ଅଫିସର ନଥିବା ନେଇ କଂଗ୍ରେସ ପକ୍ଷରୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅଫିସରମାନେ ଗୃହରେ ଆଲୋଚନାବେଳେ ରହୁନଥିବା ନେଇ କଂଗ୍ରେସ ସଦସ୍ୟମାନେ ଗୃହ ବାହାରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଆଜିଠୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହରେ ଦିବଂଗତ ସଦସ୍ୟ ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି, ଜଗନ୍ନାଥ ରାଉତ, ପୂର୍ବତନ ସଦସ୍ୟ ସଚିଦାନନ୍ଦ ଦେଓ, ଭାଗିରଥୀ ଦାସ, ରାଧାଗୋବିନ୍ଦ ସାହୁ, ଦୈତାରୀ ବେହେରାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବା ସହ ଦିବଂଗତ ନେତାମାନଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହାପରେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି ଆଲୋଚନାର ଆରମ୍ଭ କରୁଥିବାବେଳେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପଏଣ୍ଟ ଅଫ୍ ଅର୍ଡର ଉଠାଇ କିଛି କହିବା ପାଇଁ ବାଚସ୍ପତିଙ୍କ ଅନୁମତି ଲୋଡ଼ିଥିଲେ। ବାଚସ୍ପତି ତାଙ୍କୁ କହିବା ପାଇଁ ଅନୁମତି ଦେବାପରେ ସେ ଅଫିସର ଗ୍ୟାଲେରୀରେ ଅଫିସରମାନେ ନଥିବା ନେଇ ଉଦବେଗ ବ୍ୟକ୍ତ କରିଥିଲେ। ଏହାପରେ ବାଚସ୍ପତି ଗୃହ କାର୍ଯ୍ୟ ପରିଚାଳନାର ଖବର ପ୍ରସାରଣ ନେଇ ଗଣମାଧ୍ୟମ ଉଦ୍ଦେଶ୍ୟରେ ରୁଲିଂ ଦେଇଥିଲେ।
ତେବେ ବାଚସ୍ପତିଙ୍କ ଏହି ରୁଲିଂକୁ ଗୃହ ବାହାରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ତୀବ୍ର ବିରୋଧ କରିଥିଲେ। ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଥିଲେ ଯେ, ଗଣମାଧ୍ୟମ ହେଉଛି ଚତୁର୍ଥ ସ୍ତମ୍ଭ। ଏହାର କଣ୍ଠରୋଧ କରାଯିବା ଅନୁଚିତ। ଗଣମାଧ୍ୟମ ଯେଉଁଆଡ଼େ ଚାହିଁବ ସେ ଦିଗରେ ଖବର ପ୍ରସାରଣ କରିବା ଭଳି ସ୍ୱାଧୀନତା ରହିବା ଉଚିତ୍।

ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଗଣମାଧ୍ୟମର କଣ୍ଠରୋଧ କରାଯିବାକୁ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି।