ଗଞ୍ଜାମରେ ଗୋଟିଏ ଦିନରେ ୪୩ ଆକ୍ରାନ୍ତ ଚିହ୍ନଟ, ପଜିଟିଭ ସଂଖ୍ୟା ୭୧କୁ ବଢିଲା

ଓଡିଶା ବଡ ଖବର

#ଗଞ୍ଜାମରେ_ଗୋଟିଏ_ଦିନରେ_୪୩_ଆକ୍ରାନ୍ତ_ଚିହ୍ନଟ          ଭୁବନେଶ୍ୱର   : ଚିନ୍ତା ବଢ଼ାଇଲାଣି ଗଞ୍ଜାମ। ଗୋଟିଏ ଦିନରେ ଗଞ୍ଜାମରେ ୪୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଛନ୍ତି। ଏହାକୁ ନେଇ ଏବେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି। ଫଳରେ ସର୍ବାଧିକ ଆକ୍ରାନ୍ତ ଜିଲା ଭାବେ ଗଞ୍ଜାମ ଶୀର୍ଷରେ ପହଞ୍ଚିଛି। ପୂର୍ବରୁ ଯାଜପୁର ୫୫ଜଣ ସଂକ୍ରମିତଙ୍କୁ ନେଇ ପ୍ରଥମ ସ୍ଥାନରେ ରହିଥିଲା।ରାଜ୍ୟରେ ଆଜି ଗୋଟିଏ ଦିନରେ ମୋଟ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ଗଞ୍ଜାମ ଜିଲ୍ଲାରୁ ୪୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫ ଜଣ ଓ ଭଦ୍ରକ ଜିଲ୍ଲାରୁ ୩ ଜଣ ସାମିଲ ଅଛନ୍ତି । ଗତକାଲି ଦ୍ୱିତୀୟ ସର୍ବାଧିକ ୩୪ ଜଣ କରୋନା ଆକ୍ରାନ୍ତ (ଗଂଜାମ ଜିଲ୍ଲାରୁ ୨୪ ଜଣ, ମୟୂରଭଂଜରୁ ୪ ଜଣ, ଭୁବନେଶ୍ୱର (ଖୋର୍ଦ୍ଧା ଜିଲ୍ଲା)ରୁ ୩ ଜଣ, ବାଲେଶ୍ୱର ଜିଲ୍ଲାରୁ ୨ ଜଣ ଓ ଜଗତ୍‌ସିଂହପୁର ଜିଲ୍ଲାରୁ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିଭଳି ଗତ ଏପ୍ରିଲ ୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ସୂଚନାଯୋଗ୍ୟ, ରାଜ୍ୟରେ ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ୫୨ ହଜାର ୯୭୪ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ୧୮ଟି ଜିଲ୍ଲାରୁ ମୋଟ ୨୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ସର୍ବାଧିକ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୫୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୭ ଜଣ, ଭଦ୍ରକ ଜିଲ୍ଲାରୁ ୨୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ମୟୂରଭଂଜ ଜିଲ୍ଲାରୁ ୪ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୦୬ ଜଣ ସକ୍ରିୟ ଆକାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।