ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଉଦଯାପିତ: ପଞ୍ଜାବ ୟୁନିଭର୍ସିଟି ଚାମ୍ପିୟନ୍‌

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଉଦଯାପିତ: ପଞ୍ଜାବ ୟୁନିଭର୍ସିଟି ଚାମ୍ପିୟନ୍‌

ଓଡିଶା ଖେଳ ବଡ ଖବର

#ଖେଲୋ_ଇଣ୍ଡିଆ_ୟୁନିଭର୍ସିଟି_ଗେମ୍ସ_ଉଦଯାପିତ   ଭୁବନେଶ୍ୱର : ୧୦ ଦିନ ଧରି ଚାଲିଥିବା ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ରବିବାର ଉଦଯାପିତ ହୋଇଛି । ଏଥିରେ ପଞ୍ଜାବ ୟୁନିଭର୍ସିଟି ସର୍ବାଧିକ ପଦକ ଜିତି ଦଳଗତ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। ପଞ୍ଜାବ ୧୭ ସ୍ୱର୍ଣ୍ଣ, ୧୯ ରୌପ୍ୟ ଓ ୧୦ ସ୍ୱର୍ଣ୍ଣ ସହ ୪୬ ପଦକ ଜିତି ପ୍ରଥମ ସ୍ଥାନ ଅକ୍ତିଆର କରିଛି। ପଦକ ତାଲିକାର ଦ୍ୱିତୀୟ ସ୍ଥାନ ତଥା ରନର୍ସଅପ୍ ହୋଇଛି ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି। ଏହି ୟୁନିଭର୍ସିଟି ମଧ୍ୟ ୧୭ ସ୍ୱର୍ଣ୍ଣ ପଦକ ଜିତିଥିଲେ ହେଁ, ରୌପ୍ୟ ଓ ବ୍ରୋଞ୍ଜ ତୁଳନାରେ ପଞ୍ଜାବଠାରୁ ପଛରେ ପଡ଼ିଯାଇଛି। ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି ମୋଟ ୩୭ (୧୭ ସ୍ୱର୍ଣ୍ଣ, ୧୧ ରୌପ୍ୟ, ୯ ରୌପ୍ୟ) ପଦକ ସହ ଦ୍ୱିତୀୟ, ପଟିଆଲାର ପଞ୍ଜାବର ୟୁନିଭର୍ସିଟି ୩୩ (୧୩ ସ୍ୱର୍ଣ୍ଣ, ୬ ରୌପ୍ୟ, ୧୪ ରୌପ୍ୟ) ପଦକ ସହ ତୃତୀୟ ସ୍ଥାନ ଅକ୍ତିଆର କରିଛି।

ରବିବାର ଆୟୋଜିତ ଭବ୍ୟ ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରନ୍ ରିଜିଜୁ, ଆଇଓଏ ସଭାପତି ନରିନ୍ଦର ବାତ୍ରା, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଏଆଇୟୁର ମହାସଚିବ ପଙ୍କଜ ମିତ୍ତଲ ଉପସ୍ଥିତ ରହି ବିଜେତା ଓ ରନର୍ସଅପଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

ଏହି ଅବସରରେ ଯୋଗ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି, “ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ସଫଳତାପୂର୍ବକ ସମାପନ ହୋଇଛି। ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ନିଜ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ଏବଂ ଏଥିମଧ୍ୟରୁ କିଛି ଭବିଷ୍ୟତ ତାରକା ମଧ୍ୟ ବାହାରିଛନ୍ତି। ଆଗାମୀ ଦିନରେ ଏହି ୟୁନିଭର୍ସିଟି ଗେମ୍ସକୁ ନିୟମିତ କରାଇବା ଆମର ଲକ୍ଷ୍ୟ ଏବଂ ଯଥାସମ୍ଭବ ଯୁବ ପ୍ରତିଭାକୁ ସାମ୍ନାକୁ ଆଣିବା ପାଇଁ ସରକାର ସବୁ ପ୍ରକାରର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏଭଳି କ୍ରୀଡ଼ାରୁ ବାହାରୁଥିବା ନୂଆ ପ୍ରତିଭା ଯେପରି ଆଗାମୀ ଦିନରେ ଦେଶ ପାଇଁ ଅଲିମ୍ପିକରେ ପଦକ ଜିତିବେ, ସେଥିପାଇଁ ସବୁ ଉଦ୍ୟମ କରାଯିବ। ଏହାଛଡ଼ା ୨୦୨୮ ଅଲିମ୍ପିକ୍ସରେ ଭାରତକୁ ପଦକ ତାଲିକାର ଟପ୍‌-୧୦ରେ ପହଞ୍ଚାଇବାର ଆମର ମୂଳ ଲକ୍ଷ୍ୟ।”

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଯୁବ ଆଥଲେଟଙ୍କୁ ଆଗକୁ ବଢ଼ିବାରେ ପ୍ରେରଣା ଯୋଗାଇବ। ବିଶେଷକରି ଓଡ଼ିଶା ଏଭଳି ଏକ କ୍ରୀଡ଼ା ଆୟୋଜନର ଭାର ସଫଳତାପୂର୍ବକ ନିର୍ବାହ କରିଥିବାରୁ ମୁଁ ବହୁତ ଖୁସି।

ରବିବାର ଅନ୍ତିମ ଦିବସରେ ଷ୍ଟିପଲଚେଜର୍ ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିର କୋମଲ ଜଗଦଲେ ଅଲ୍ ଇଣ୍ଡିଆ ୟୁନିଭର୍ସିଟି ରେକର୍ଡ ସୃଷ୍ଟି କରିଥିଲେ। ସେ ୧୦:୨୬.୬୩ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ପରେ ସାବନ ଗିଲ୍ ୯୧ କେଜି ଫାଇନାଲରେ ଅନିକ ବର୍ମାଙ୍କଠାରୁ ୱାକଓଭର ପାଇ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ +୯୧ କେଜି ବର୍ଗରେ ସାଗର ସ୍ୱର୍ଣ୍ଣ ପଦକ କବଜା କରିଛନ୍ତି।

ସେହିପରି କିଟ୍ ୟୁନିଭର୍ସିଟିର ଦୂତୀ ଚାନ୍ଦ ୨୦୦ ମିଟରରେ ସ୍ୱର୍ଣ୍ଣ ହାସଲ କରିଥିବା ବେଳେ କବାଡ଼ି ଫାଇନାଲରେ ଗୁରୁ ନାନକ ଦେବ ୟୁନିଭର୍ସିଟି କୁରୁକ୍ଷେତ୍ର ୟୁନିଭର୍ସିଟିକୁ ହରାଇ ଚାମ୍ପିୟନ୍ ହୋଇଛି। ହେପ୍ଟାଥଲନରେ ଲଭଲୀ ପ୍ରଫେସନାଲ୍ ୟୁନିଭର୍ସିଟିର ସୋନୁ କୁମାରୀ ସ୍ୱର୍ଣ୍ଣ ପଦକ ଅର୍ଜନ କରିଥିବା ବେଳେ ୟୁନିଭର୍ସିଟି ଅଫ୍ କଲକତାର ଶର୍ମିଷ୍ଠା ହଲଦାର ରୌପ୍ୟ ଏବଂ କର୍ଣ୍ଣାଟକା ଷ୍ଟେଟ୍ ଲ’ ୟୁନିଭର୍ସିଟିର ଅକଷଷ୍ଠା ବ୍ରୋଞ୍ଜ ଜିତିଛନ୍ତି।

ଏହି ଗେମ୍ସରେ ୬୪ ୟୁନିଭର୍ସିଟି ଅତିକମରେ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୧୧୩ଟି ୟୁନିଭର୍ସିଟି ଅତିକମରେ ଗୋଟିଏ ପଦକ ଜିତିବାରେ ସଫଳ ହୋଇଛନ୍ତି। ସୁଇମର୍ ସାଧବୀ ଧୁରୀ (ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି) ଓ ସିଦ୍ଧାନ୍ତ ସେଜୱାଲ (ପଞ୍ଜାବ ୟୁନିଭର୍ସିଟି) ଯଥାକ୍ରମେ ୫ଟି ଲେଖାଏ ସ୍ୱର୍ଣ୍ଣ ପଦକ ଜିତି ଶ୍ରେଷ୍ଠ ଆଥଲେଟ୍ ବିବେଚିତ ହୋଇଛନ୍ତି।