ଖର୍ଚ୍ଚ ହୋଇପାରୁନି ‘ନାମ୍’ ଟଙ୍କା, ଆୟୁଷ ମନ୍ତ୍ରଣାଳୟର ତାଗିଦ :ମାର୍ଚ୍ଚ ସୁଦ୍ଧା ୩୦କୋଟି ଖର୍ଚ୍ଚ କର ନହେଲେ ଟଙ୍କାଟିଏ ମିଳିବନି

ଓଡିଶା ବଡ ଖବର ବିଶେଷ ରାଜ୍ୟ

ଭୁବନେଶ୍ବର : ଖର୍ଚ୍ଚ ହୋଇପାରୁନି ‘ନାମ୍’ ଟଙ୍କା । ଅସନ୍ତୋଷବ୍ୟକ୍ତ କରିଛି କେନ୍ଦ୍ର ଆୟୁଷ ମନ୍ତ୍ରାଳୟ।ରାଜ୍ୟକୁ ମଧ୍ୟ ତାଗିଦ କରାଯାଇଛି । ମାର୍ଚ୍ଚ ସୁଦ୍ଧା ୩୦ କୋଟି ଖର୍ଚ୍ଚର ୟୁସି ନଦେଲେ ଆଗକୁ ଓଡ଼ିଶାକୁ ଟଙ୍କାଟିଏ ମଧ୍ୟ ମିଳିବ ନାହିଁ । ନିକଟରେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ନେଇ ଆୟୁଷର ସମୀକ୍ଷା ହୋଇଥିଲା। ତହିଁରେ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିବା ନଜରକୁ ଆସିଥିଲା। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାକୁ ଦିଆଯାଇଥିବା୧୧୦ କୋଟି ଟଙ୍କାରୁ ମାତ୍ର ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ତାହାର ମଧ୍ୟ ବିନିଯୋଗ ପ୍ରମାଣପତ୍ର ବା ୟୁସି ଦିଆଯାଇନାହିଁ। ଆସନ୍ତା ମାର୍ଚ୍ଚ ଭିତରେ ଅତି କମ୍‌ରେ ୩୦ କୋଟି ଟଙ୍କାର ୟୁସି ପ୍ରଦାନ କରିବା ପାଇଁ ଓଡ଼ିଶାକୁ କୁହାଯାଇଛି। ଯଦି ୟୁସି ପ୍ରଦାନ କରା ନ ଯାଏ, ତେବେ ଆସନ୍ତା ୨୦୨୦/୨୧ ବର୍ଷରେ ଓଡ଼ିଶାକୁ ଆୟୁଷ ବାବଦରେ ଟଙ୍କା ଦିଆଯିବ ନାହିଁ ବୋଲି ମନ୍ତ୍ରାଳୟ ପକ୍ଷରୁ ଚରମବାଣୀ ଶୁଣାଇ ଦିଆଯାଇଛି। ତେଣୁ କେଉଁ କେଉଁ କ୍ଷେତ୍ରରେ ଏହି ଟଙ୍କା ଖର୍ଚ୍ଚ କରାଯିବ, ତାହାକୁ ନେଇ ନିର୍ଦ୍ଦେଶାଳୟର ଭାଳେଣି ପଡ଼ିଛି।

କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାକୁ କୋଟି କୋଟି ଟଙ୍କା ଦିଆଯାଇଛି। ଗତ ୫ ବର୍ଷ ଭିତରେ ଏଥିପାଇଁ କେନ୍ଦ୍ରରୁ ୬୬ କୋଟି ଟଙ୍କା ମିଳିଛି। ତହିଁରେ ରାଜ୍ୟ ସରକାରଙ୍କ ଅଂଶ ମିଶିବା ପରେ ଏହା ୧୧୦ କୋଟି ଟଙ୍କା ଛୁଇଁଛି। ହେଲେ ନିର୍ଦ୍ଦେଶାଳୟର ଅପାରଗତା ଯୋଗୁଁ ଏହି ଟଙ୍କା ଖର୍ଚ୍ଚ ହୋଇ ନ ପାରି ପଡ଼ି ରହିଛି। ବର୍ଷ ପରେ ବର୍ଷ ବିତି ଯାଇଥିଲେ ହେଁ କିଭଳି ଢଙ୍ଗରେ ଏହାକୁ ଖର୍ଚ କରାଯିବ, ତାହାର ବୁଦ୍ଧିବାଟ କାହାରିକୁ ଦିଶୁନି।

ସୂଚନା ଅନୁସାରେ, କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଜାତୀୟ ଆୟୁଷ ମିସନ୍ ବା ‘ନାମ୍’ ଗଠନ କରିଛନ୍ତି। ତହିଁରେ ଆୟୁଷର ବିକାଶ ପାଇଁ ସ୍ବତନ୍ତ୍ର ଭାବେ ସବୁ ରାଜ୍ୟକୁ ଅର୍ଥ ପ୍ରଦାନ କରାଯାଉଛି। ୨୦୧୪/୧୫ ମସିହାରେ କେନ୍ଦ୍ର ଓ ରାଜ୍ୟର ଅଂଶକୁ ମିଶାଇଲେ ୧୭ କୋଟି, ୨୦୧୫/୧୬ରେ ୧୮ କୋଟି, ୨୦୧୬/୧୭ରେ ୧୯ କୋଟି, ୨୦୧୭/୧୮ରେ ୨୬ କୋଟି, ୨୦୧୮/୧୯ରେ ୧୭କୋଟି ଓ ୨୦୧୯/୨୦ରେ ୧୨ କୋଟି ଟଙ୍କାକୁ ମିଶାଇଲେ ରାଜ୍ୟ ଆୟୁଷ ପାଖରେ ଏବେ ୧୧୦ କୋଟି ଟଙ୍କା ରହିଛି। ଯେଉଁ‌ ଯେଉଁ କ୍ଷେତ୍ରରେ ଏହି ଟଙ୍କାକୁ ଖର୍ଚ କରାଯିବ କଥା, ନିର୍ଦ୍ଦେଶାଳୟ କରିପାରିନି। ଜାତୀୟ ଆୟୁଷ ମିସନ୍ ଅଧୀନରେ ଆୟୁଷ ଡିସ୍‌ପେନସାରିଗୁଡ଼ିକର ଭିତ୍ତିଭୂମିର ବିକାଶ, ଯନ୍ତ୍ରପାତି କିଣା, ଆୟୁଷ ଗ୍ରାମ, ଆୟୁଷ ହେଲ୍‌ଥ ଓ ୱେଲନେସ୍ ସେଣ୍ଟର, ଏନ୍‌ସିଡି କାର୍ଯ୍ୟକ୍ରମର ସଚେତନତା ଭଳି ଅନେକ କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ୬୦ରୁ ଅଧିକ ଆୟୁଷ ହେଲ୍‌ଥ ଓ ୱେଲ‌ନେସ୍‌ ସେଣ୍ଟର୍‌ ପାଇଁ ପ୍ରସ୍ତାବ ରହିଛି। ତହିଁରେ ମାଗଣା ଔଷଧ, ରକ୍ତ ପରୀକ୍ଷା, ଯୋଗ, ଔଷଧୀୟ ବୃକ୍ଷ, ମାଗଣା ଆମ୍ବୁଲାନ୍‌ସ ଭଳି ସୁବିଧା ରହିଛି। ମାତ୍ର ନିର୍ଦ୍ଦେଶାଳୟର ଅପାରଗତା ପାଇଁ ତାହା ରାଜ୍ୟରେ ହୋଇପାରିନାହିଁ। ସେହିପରି ରାଜ୍ୟରେ ଅଧିକରୁ ଅଧିକ ଆୟୁଷ ଗ୍ରାମ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରହିଥିଲେ ହେଁ ଏବେ ମାତ୍ର ୫ଟି ଆୟୁଷ ଗ୍ରାମ ରହିଛି। ନି‌ର୍ଦ୍ଦେଶାଳୟ ଅଧିକ ଆୟୁଷ ଗ୍ରାମ ଗ୍ରହଣ କରିପାରୁ ନାହିଁ।

Image result for odisha ayush department

ସେହିପରି ୨୦୧୨ ମସିହାଠାରୁ ରାଜ୍ୟରେ ଥିବା ପିଏଚ୍‌ସି ଓ ସିଏଚ୍‌ସିକୁ ଆୟୁର୍ବେଦିକ ଔଷଧ ଯୋଗାଣ ବନ୍ଦ ହୋଇଯାଇଥିଲା। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୁଷ ଔଷଧ କିଣିବା ଲାଚଗି ୩୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲେ ହେଁ ବିଭିନ୍ନ କାରଣରୁ ଏହାର ଟେଣ୍ଡର୍‌ ହୋଇପାରି ନ ଥିଲା। ଫଳରେ ସରକାରୀ ଡାକ୍ତରଖାନାରେ ଆୟୁର୍ବେଦିକ ଔଷଧ ଯୋଗାଣ ବନ୍ଦ ହୋଇଯାଇଥିଲା। ଏବେ ୭ କୋଟି ଟଙ୍କାର ଔଷଧ କିଣାଯାଇଥିଲେ ହେଁ କେଉଁ ଅଧିକାରୀଙ୍କ ତଦାରଖରେ ଔଷଧର ବିତରଣ କରାଯିବ, ତାହାକୁ ନେଇ ନିର୍ଦ୍ଦେଶାଳୟର କର୍ମଚାରୀ ଚିନ୍ତାରେ ପଡ଼ିଛନ୍ତି। ଏସବୁ ଘଟଣା ରାଜ୍ୟରେ କିଭଳି ଢଙ୍ଗରେ ଆୟୁଷର ବିକାଶ ହେଉଛି, ତାହା ପ୍ରମାଣିତ କରୁଛି।

ଗୋଟିଏ ପଟେ ଟଙ୍କା ଖର୍ଚ୍ଚ ହୋଇପାରୁ ନ ଥିବା ବେଳେ ଆୟୁଷ ନିର୍ଦ୍ଦେଶାଳୟରେ ନିର୍ଦ୍ଦେଶକ ପଦ ଖାଲି ପଡ଼ିଛି। ଅଧିକାରୀଙ୍କୁ ନିଯୁକ୍ତ କରାଗଲେ ମଧ୍ୟ ସେ ଦାୟିତ୍ବ ଗ୍ରହଣ କରୁନାହାନ୍ତି। ରାଜ୍ୟରେ ଆୟୁଷ ଏକପ୍ରକାର ବାଟବଣା ହୋଇଗଲାଣି। କେବଳ ଅଧିକାରୀସ୍ତରରେ ସମସ୍ୟା ଯେ ସୃଷ୍ଟି ହୋଇଛି, ତା’ ନୁହେଁ, ତୃଣମୂଳସ୍ତରରେ ଆୟୁଷ ଡାକ୍ତରଙ୍କୁ ବର୍ଷ ବର୍ଷ ଧରି ଔଷଧ ଦିଆଯାଉନି। ନିକଟରେ ନିର୍ଦ୍ଦେଶାଳୟ ପକ୍ଷରୁ ଔଷଧ କିଣାଯାଇଥିଲେ ହେଁ ନିର୍ଦ୍ଦେଶକ ନ ଥିବାରୁ କିଭଳି ଢଙ୍ଗରେ ଔଷଧର ବିତରଣ କରାଯିବ, ତାହା ମଧ୍ୟ ଅଧିକାରୀଙ୍କୁ ଚିନ୍ତାରେ ପକାଇଛି।ରାଜ୍ୟ ଆୟୁଷ ନିର୍ଦେଶକ ପଦବି ଖାଲି ପଡ଼ିଥିବା ବେଳେ ଏବେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।