ଖରିଫ ଋତୁରେ ରାଜ୍ୟରେ ମୋଟ ୯୬ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ

ଖରିଫ ଋତୁରେ ରାଜ୍ୟରେ ମୋଟ ୯୬ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ

ଓଡିଶା ବଡ ଖବର

#୯୬_ଲକ୍ଷ_ମେଟ୍ରିକ୍_ଟନ୍_ଖାଦ୍ୟଶସ୍ୟ_ଉତ୍ପାଦନର_ଲକ୍ଷ୍ୟ                ଭୁବନେଶ୍ୱର  : ଚଳିତ ଖରିଫ ଋତୁ କାର୍ଯ୍ୟକ୍ରମରେ ରାଜ୍ୟରେ ମୋଟ ୯୬ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଓ ଖାଉଟି କଲ୍ୟାଣ ଓ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ବୀର ବିକ୍ରମ ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ସେମାନେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍-୧୯ ପରିପ୍ରେକ୍ଷୀରେ କୃଷିକ୍ଷେତ୍ର ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ । ଏହାଦ୍ୱାରା ୨୫ଲକ୍ଷ କୃଷକ ଉପକୃତ ହେବେ । ଚାଷୀମାନଙ୍କୁ ରିହାତି ଦରରେ ଉନ୍ନତ ମାନର ପ୍ରାମାଣିକ ବିହନ ଯୋଗାଇ ଦିଆଯିବା ସହିତ ପନିପରିବା ଚାଷ ନିମନ୍ତେ ମିନିକିଟ୍, ହାଇବ୍ରିଡ ପନିପରିବା ବହିନ ନିମନ୍ତେ ପ୍ରୋତ୍ସାହନ, ବାରିଅଗଣାରେ ମିଶ୍ରିତ ଫଳଚାଷ ନିମନ୍ତେ ଚାରାଯୋଗାଣ, ଆମ୍ବଚାରା ଯୋଗାଣ, ଅଧିକ ମୂଲ୍ୟଯୁକ୍ତ ପରିବା ଚାଷ ନିମନ୍ତେ ସହାୟତା ଏବଂ ପାନଚାଷ, ଫୁଲଚାଷ, ଛତୁଚାଷ ନିମନ୍ତେ ସହାୟତା ଏବଂ ପ୍ଲାଷ୍ଟିକ୍ କ୍ରେଟ୍ ଯୋଗାଣ ଏବଂ ବିଭିନ୍ନ ଫସଲ ଚାଷ ସମ୍ପର୍କରେ ପ୍ରଦର୍ଶନ ଆଦି ଅନ୍ତର୍ଭୁକ୍ତ ।
ସେମାନେ କହିଛନ୍ତି ଯେ, ଚଳିତ ଖରିଫ କାର୍ଯ୍ୟକ୍ରମରେ ରାଜ୍ୟରେ ୬୧.୮୦ ଲକ୍ଷ ହେକ୍ଟର ଚାଷ କାର୍ଯ୍ୟ କରାଯାଇ ମୋଟ ୯୬ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଫସଲର ବିବିଧିକରଣ କାର୍ଯ୍ୟକ୍ରମରେ ଧାନଚାଷ ସ୍ଥାନରେ ଅଧିକ ପରିମାଣର ଡାଲି, ତୈଳବୀଜ ଓ ଅନ୍ୟ ଅର୍ଥକାରୀ ଫସଲ ଚାଷ ନିମନ୍ତେ ଗୁରୁତ୍ୱ ଦିଆଯାଇଛି ।
ମନରେଗା କାର୍ଯ୍ୟକ୍ରମରେ ୧,୦୩,୦୦୦ଟି ମୋ ପୋଖରୀ ଖୋଳାଯିବାର ଯୋଜନା ରହିଛି । ଏହାଦ୍ୱାରା ପ୍ରବାସୀମାନଙ୍କ ସମେତ ଲୋକମାନଙ୍କୁ ରୋଜଗାର ଯୋଗାଇ ଦିଆଯାଉଛି ।
୧୯,୯୦୦ ହେକ୍ଟର ଜମିରେ ବୃକ୍ଷରୋପଣ କରାଯାଇ ଫଳ ଉତ୍ପାଦନ ବୃଦ୍ଧି ସହିତ ଗ୍ରାମୀଣ ଲୋକମାନଙ୍କୁ ରୋଜଗାର ଯୋଗାଇ ଦିଆଯାଉଛି ।
ଆମ କୃଷି ହେଲ୍ପଲାଇନ୍ ସେବାରେ କୃଷି ସମ୍ବନ୍ଧୀୟ ସମସ୍ତ ପ୍ରକାର ସୂଚନା ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି । ଏପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ୮ଲକ୍ଷ ୫ହଜାର କୃଷକମାନଙ୍କୁ ଯୋଡ଼ାଯାଇପାରିଛି । ଟୋଲ୍ ପ୍ରି ହେଲ୍ପ ଲାଇନ ନମ୍ବର ୧୮୦୦-୧୦୨-୫୧୬୬କୁ କଲ୍ ମାଧ୍ୟମରେ ଚାଷୀମାନଙ୍କୁ ଆବଶ୍ୟକ ସୂଚନା ଯୋଗାଇ ଦିଆଯାଉଛି । ମାସକୁ ହାରାହାରି ୨୫-୩୦ ଲକ୍ଷ ପର୍ଯ୍ୟନ୍ତ ସୂଚନା ରେଜିଷ୍ଟ୍ରିଭୁକ୍ତ କୃଷକମାନଙ୍କୁ ଯୋଗାଇ ଦିଆଯାଉଛି ।
ଫସଲବୀମା ଯୋଜନାରେ ୩୦ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିରେ ୧୦ଲକ୍ଷ ଅଣଋଣୀ ଚାଷୀଙ୍କୁ ବୀମାଭୁକ୍ତ କରାଯିବ ।
ପ୍ରତି ସପ୍ତାହରେ ସୋମବାର ଦିନ ପ୍ରତି ପଂଚାୟତରେ ଭିଏଡବ୍ଲ୍ୟୁମାନେ ଉପସ୍ଥିତ ରହି ଚାଷୀମାନଙ୍କର ସମସ୍ୟା ସମାଧାନ କରିବା ପାଇଁ ପଦକ୍ଷେପ ନେବେ ।
କୃଷି କାର୍ଯ୍ୟର ତଦାରଖ ନିମନ୍ତେ ୩୦ଟି ଜିଲ୍ଲାରେ ୩୦ଜଣ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ୍ ଅଧିକାରୀ ଭାବେ ନିୟୋଜିତ କରାଯାଇଛି ।
ମୁଖ୍ୟମନ୍ତ୍ରୀ କୋଭିଡ-୧୯ ପରିସ୍ଥିତିରେ ସମବାୟ ବିଭାଗ ଜରିଆରେ ଅଧିକରୁ ଅଧିକ ଚାଷୀଙ୍କୁ ଫସଲ ଋଣ ଯୋଗାଇଦେବା ପାଇଁ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଚଳିତ ଖରିଫ ଋତୁ ପାଇଁ ଅପ୍ରେଲ ୨୫ ତାରିଖରୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଖରିଫ୍ ଚାଷ ପାଇଁ ମଇ ୩୧ ତାରିଖ ସୁଦ୍ଧା ୨ହଜାର ୬୪୯ କୋଟି ଟଙ୍କା ଋଣ ଯୋଗାଇ ଦିଆଯାଇଛି । ଗତବର୍ଷ ଏହି ସମୟ ମଧ୍ୟରେ ୧ ହଜାର ୨୧୮ କୋଟି ଟଙ୍କା ଋଣ ଯୋଗାଇ ଦିଆଯାଇଥିଲା ।, ଏହା ଗତବର୍ଷ ତୁଳନାରେ ୧୧୭ ପ୍ରତିଶତ ଅଧିକ ।
ଗତବର୍ଷ ମଇ ୩୧ ତାରିଖ ସୁଦ୍ଧା ୩ଲକ୍ଷ ୫ହଜାର ଚାଷୀଙ୍କୁ ଖରିଫ୍ ଋଣ ଯୋଗାଇ ଦିଆଯାଇଥିବାବେଳେ ଚଳିତ ବର୍ଷ ଏହି ସମୟ ସୁଦ୍ଧା ୬ଲକ୍ଷ ୧୯ ହଜାର ଚାଷୀଙ୍କୁ ଋଣ ଯୋଗାଇ ଦିଆଯାଇଛି, ଯାହାକି ଗତବର୍ଷ ତୁଳନାରେ ୧୦୩ ପ୍ରତିଶତ ଅଧିକ ।
୭୫୦ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୦ କୋଟି ୭୮ଲକ୍ଷ ଟଙ୍କା ଏବଂ ୪୦୨୬ ଯୁଗ୍ମଦେୟ ଗୋଷ୍ଠୀଙ୍କୁ ୨୩ କୋଟି ୩୮ ଲକ୍ଷ ଟଙ୍କାର ଋଣ ଦିଆଯାଇଛି ।
ଗତବର୍ଷ ସମବାୟ ସଂସ୍ଥାଗୁଡ଼ିକ ମାଧ୍ୟମରେ ପ୍ରଦାନ କରାଯାଇଥିବା ଋଣ ପରିମାଣ ୭୫୦୦ କୋଟି ଟଙ୍କା ଥିବାବେଳେ ଚଳିତବର୍ଷ ଏହା ୯୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।
ମାର୍କଫେଡ଼ ତରଫରୁ ଗତବର୍ଷ ଜୁନ୍ ୮ ତାରିଖ ସୁଦ୍ଧା ୫୫ଟି ପ୍ରାଥମିକ କୃଷି ସେବା ସମବାୟ ସମିତି(ପ୍ୟାକ୍ସ) ଦ୍ୱାରା ଡାଲି ଓ ତୈଳବୀଜ ଆଦି କ୍ରୟ ପାଇଁ ନିୟୋଜିତ ହୋଇଥିବାବେଳେ ଚଳିତବର୍ଷ ୧୭୧ଟି ପ୍ୟାକ୍ସ ଏଥିପାଇଁ ନିୟୋଜିତ ହୋଇଛନ୍ତି । ସେହିପରି ଗତବର୍ଷ ୮୮୫୬ ଚାଷୀ ପଞ୍ଜୀକୃତ ହୋଇଥିବାବେଳେ ଚଳିତ ବର୍ଷ ୧୬,୮୧୬ ଚାଷୀ ପଞ୍ଜୀକୃତ ହୋଇଛନ୍ତି । ଗତବର୍ଷ ୧ କୋଟି ୮୩ ଲକ୍ଷ ଟଙ୍କା ମୂଲ୍ୟର ଡାଲି ଓ ତୈଳବୀଜ କ୍ରୟ କରାଯାଇଥିବାବେଳେ ଚଳିିତ ବର୍ଷ ୧୮ କୋଟି ୪୩ ଲକ୍ଷ ଟଙ୍କା ମୂଲ୍ୟର ଡାଲି ଓ ତୈଳବୀଜ କ୍ରୟ କରାଯାଇଛି ।
୧୭ଟି ଜିଲ୍ଲାରେ ରବି ଧାନ ସଂଗ୍ରହ ଚାଲିଛି । ସେହିସବୁ ଜିଲ୍ଲା ହେଉଛି ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୋନପୁର । ଗତବର୍ଷ ୨ଲକ୍ଷ ୧୬ହଜାର ଚାଷୀ ଏଥିପାଇଁ ପଞ୍ଜୀକୃତ ହୋଇଥିବାବେଳେ ଚଳିତବର୍ଷ ୨ଲକ୍ଷ ୫୭ ହଜାର ଚାଷୀ ପଞ୍ଜୀକୃତ ହୋଇଛନ୍ତି ।
ଏପର୍ଯ୍ୟନ୍ତ ୧୦ଲକ୍ଷ ୫୧ ହଜାର ମେଟ୍ରିକ୍ ଟନ୍ ରବି ଧାନ କ୍ରୟ କରାଯାଇଛି । ଗତବର୍ଷ ଏହି ତାରିଖ ସୁଦ୍ଧା ୭ଲକ୍ଷ ୯୭ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା, ଯାହାକି ଗତବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ୨୪ ଘଂଟାରୁ ୪୮ ଘଂଟା ମଧ୍ୟରେ ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେବାର ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ଧାନ ସଂଗ୍ରହ ବାବଦରେ ୧୩୮୧ କୋଟି ଟଙ୍କା ପ୍ରଦାନ କରାଯାଇଛି ଏବଂ ଜୁନ୍ ୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିବ ।