ଖଣିରୁ ମିଳିବ ବାର୍ଷିକ ୨୦ହଜାର କୋଟି ଟଙ୍କାର ରାଜସ୍ବ

ଖଣିରୁ ମିଳିବ ବାର୍ଷିକ ୨୦ହଜାର କୋଟି ଟଙ୍କାର ରାଜସ୍ବ

ଓଡିଶା ବଡ ଖବର ମହାନଗର

#ଖଣିରୁ_ମିଳିବ_ବାର୍ଷିକ_୨୦_ହଜାର_କୋଟି_ଟଙ୍କାର_ରାଜସ୍ବ  ଭୁବନେଶ୍ବର : ଖଣିଜ ସମ୍ପଦ ଭରପୂର ଥିଲେ ବି ଓଡ଼ିଶା ଏଥିରୁ ଆଖିଦୃଶିଆ ରାଜସ୍ୱ ପାଇପାରୁ ନଥିଲା । କିନ୍ତୁ ଏବେ ଖଣିରୁ ବାର୍ଷିକ ୨୦,୦୦୦ କୋଟି ଟଙ୍କାର ରାଜସ୍ୱ ହାସଲ କରିପାରିବ ରାଜ୍ୟ । କେନ୍ଦ୍ର ସରକାରଙ୍କ ନୂଆ ଖଣି ଓ ଖଣିଜ ବିକାଶ ନିୟାମକ ଆଇନ (ଏମ୍‌ଏମ୍‌ଡିଆର) ଯୋଗୁ ଓଡ଼ିଶା ପାଇଁ ଏହି ସୁଯୋଗ ସୃଷ୍ଟି ହୋଇଛି । କେନ୍ଦ୍ର ପେଟ୍ରୋଲିୟମ୍‌ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଏହା କହିଛନ୍ତି ।

ଇସ୍ପାତ ମନ୍ତ୍ରାଳୟ ଏବଂ ଜାପାନ ଏମ୍‌ଇଟିଆଇ ପକ୍ଷରୁ ଆୟୋଜିତ ‘ଅର୍ଥନୀତିର ଅଭିବୃଦ୍ଧି ପାଇଁ ଇସ୍ପାତ ବ୍ୟବହାର ବୃଦ୍ଧି ଲାଗି ସମର୍ଥ ପ୍ରକ୍ରିୟା’ ଶୀର୍ଷକ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏଭଳି ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟରେ ଇସ୍ପାତ କ୍ଷେତ୍ରର ଅଭିବୃଦ୍ଧି ପାଇଁ ବଡ଼ ରଣନୀତିର ଆବଶ୍ୟକତା ରହିଛି । ଏହି ଇସ୍ପାତ ଶିଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଜାପାନ ଆମର ସହଯୋଗୀ ରାଷ୍ଟ୍ର ହୋଇଛି । ତେଣୁ ଜାପାନ ସହ ମିଶି ଓଡ଼ିଶାକୁ ଇସ୍ପାତ ଶିଳ୍ପର ପୂର୍ବୋଦୟରେ ପ୍ରମୁଖ କେନ୍ଦ୍ର କରିବା ଦରକାର ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଇସ୍ପାତ ଶିଳ୍ପ ଦ୍ୱାରା ଓଡ଼ିଶା ଦେଶର ଏକନମ୍ବର ରାଜ୍ୟ ହେବ । ଅର୍ଥନୀତିକୁ ଆଗକୁ ନେବାରେ ଇସ୍ପାତ କ୍ଷେତ୍ରର ବଡ଼ ଭୂମିକା ରହିଛି । ଇସ୍ପାତ ଉତ୍ପାଦନରେ ଓଡ଼ିଶା କେନ୍ଦ୍ରସ୍ଥଳୀ ହେବାକୁ ଯାଉଛି । ୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ନିୟୁତ ଟନ୍‌ ଇସ୍ପାତ ଉତ୍ପାଦନ ଲାଗି ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡ଼ିଶାରୁ କେବଳ ୧୦୦ ନିୟୁତ ଟନ୍‌ ଉତ୍ପାଦନ ହେବା ସମ୍ଭାବନା ରହିଛି । ଏହାକୁ ବାସ୍ତବରେ ପରିଣତ ଲାଗି ରାଜ୍ୟର ଆନୁଷଙ୍ଗିକ ଶିଳ୍ପକୁ ତ୍ୱରାନ୍ୱିତ କରିବାକୁ ହେବ ।

ଭାରତର ମୁଣ୍ଡ ପିଛା ଇସ୍ପାତ ବ୍ୟବହାର ୭୪ କିଲୋଗ୍ରାମ ଥିବା ବେଳେ ଏହାକୁ ବଢ଼ାଇବା ପାଇଁ ଗୁରୁତ୍ୱ ଦିଆଯାଉଛି । ବିଶ୍ୱରେ ଇସ୍ପାତ ବ୍ୟବହାର ମୁଣ୍ଡ ପିଛା ହାରାହାରି ୨୨୫ କିଲୋଗ୍ରାମ ଥିବା ବେଳେ ଜାପାନରେ ଏହା ୫୦୦ କିଲୋଗ୍ରାମ। ଓଡ଼ିଶାରେ ଏହାକୁ ଅତିକମ୍‌ରେ ୧୫୦ କିଲୋଗ୍ରାମରେ ପହଞ୍ଚାଇବାର ସମ୍ଭାବନା ଅଛି ।
ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଇସ୍ପାତ ବ୍ୟବହାର ବଢ଼ିଲେ ଗରିବ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିବ । ସ୍ଥାନୀୟ ଅର୍ଥନୀତି ବି ସୁଦୃଢ଼ ହେବ । ରାଜ୍ୟରେ ଇସ୍ପାତ ବ୍ୟବହାର ବଢ଼ିଲେ ସାମାଜିକ ଭିତ୍ତିଭୂମି ସହ ସବୁ କ୍ଷେତ୍ରର ବିକାଶ ହୋଇପାରିବ ।

ଅନ୍ୟପକ୍ଷରେ ରାଜ୍ୟରେ ଇସ୍ପାତ ଶିଳ୍ପର ବିକାଶ ପାଇଁ ବିଜୁଳି ଟାରିଫ୍‌ରେ ରିହାତି ଦେବା ଲାଗି ରାଜ୍ୟ ସରକାରଙ୍କୁ ସେ ପରାମର୍ଶ ଦେଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ସେ ଦର୍ଶାଇଛନ୍ତି, ରାଜ୍ୟରେ ପ୍ରଚୁର କୋଇଲା ଥିବାରୁ ବିଜୁଳିକୁ କଞ୍ଚାମାଲ ଭାବେ କମ୍‌ ମୂଲ୍ୟରେ ବ୍ୟବହାର କରି ଇସ୍ପାତ ଉତ୍ପାଦନରେ ଏକ ଇକୋସିଷ୍ଟମ୍‌ ତିଆରି କରି ଶିଳ୍ପକୁ ସମୃଦ୍ଧ କରାଇବାକୁ ପଡ଼ିବ ।

ଓଡ଼ିଶା ଓ ଜାପାନ ମଧ୍ୟରେ ଥିବା ସମ୍ପର୍କ ଉପରେ ସମ୍ୟକ ଅବତାରଣା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ବୌଦ୍ଧ ଧର୍ମ ଓଡ଼ିଶାରୁ ବିଭିନ୍ନ ଦେଶକୁ ପ୍ରସାରିତ ହୋଇଛି । କଳିଙ୍ଗ ଯୁଦ୍ଧ ଏହି ମାଟିରେ ହୋଇଥିଲା ଏବଂ ଏହି ଯୁଦ୍ଧ ପରେ ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତନ ହୋଇଥିଲେ । ହଜାର ହଜାର ବର୍ଷର ପୁରୁଣା ଇତିହାସରେ ଓଡ଼ିଶା-ଜାପାନ ସମ୍ପର୍କର ସେତୁ ବୌଦ୍ଧ ଧର୍ମ ହୋଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର କୋଣାର୍କ ମନ୍ଦିର ଇଞ୍ଜିନିୟରିଂ ଓ ପ୍ରଯୁକ୍ତି ତଥା ବୈଜ୍ଞାନିକ କଳାକୌଶଳର ଅନନ୍ୟ ଉଦାହରଣ ଓ ଇସ୍ପାତ ଏହାର ମେରୁଦଣ୍ଡ । ଆଗାମୀ ଦିନରେ ଇସ୍ପାତ କ୍ଷେତ୍ରରେ ଓଡ଼ିଶାରେ ଆଧୁନିକ କୋଣାର୍କର ନିର୍ମାଣ ହେବ ।

କର୍ମଶାଳାରେ ଉପସ୍ଥିତ ଥିବା ଟାଟା ଷ୍ଟିଲ୍‌ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଟି ଭି ନରେନ୍ଦ୍ରନ କହିଛନ୍ତି, ୨୦୩୦ ସୁଦ୍ଧା ଦେଶର ଇସ୍ପାତ ଉତ୍ପାଦନ ୩୦୦ ନିୟୁତ ଟନ୍‌ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ବାର୍ଷିକ ଇସ୍ପାତ ଉତ୍ପାଦନ ଅଭିବୃଦ୍ଧି ୭.୨% ହେବା ଆବଶ୍ୟକ । ତାଙ୍କ କହିବାନୁଯାୟୀ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ସମସ୍ତଙ୍କ ପାଇଁ ବାସଗୃହ ଯୋଜନା ଦ୍ୱାରା ଦେଶର ଇସ୍ପାତ ଚାହିଦା ବୃଦ୍ଧି ପାଇବ । ଇସ୍ପାତ ଚାହିଦା ବଢ଼ିବା ଫଳରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ରାଜ୍ୟ ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି, ଇସ୍ପାତ ଉତ୍ପାଦନରେ ଓଡ଼ିଶାର ଯୋଗଦାନ ଆଖିଦୃଶିଆ ରହିଛି । ୨୦୦୦ ମସିହା ପରଠାରୁ ଇସ୍ପାତ କ୍ଷେତ୍ରରେ ଦ୍ୱିତୀୟ ପର୍ଯ୍ୟାୟ ଅଭିବୃଦ୍ଧି ଧାରା ବଳବତ୍ତର ଅଛି । ତେବେ ସାମଗ୍ରିକ ଉଦ୍ୟମ ଦ୍ୱାରା ଏହି ଅଭିବୃଦ୍ଧି ହାସଲ କରାଯାଇ ପାରିବ । ତାଙ୍କ କହିବାନୁଯାୟୀ ଓଡ଼ିଶାରେ ପ୍ରଚୁର ପରିମାଣର କଞ୍ଚାମାଲ ମହଜୁଦ ଅଛି। ଉପଯୁକ୍ତ ନୀତି ମଧ୍ୟ ନିବେଶକଙ୍କୁ ସୁହାଉଥିବା ବେଳେ ଭିତ୍ତିଭୂମି ଓ ଗଭର୍ଣ୍ଣାନ୍ସ ସୁଦୃଢ଼ ରହିଛି । ମୁମ୍ବାଇର ୩ଟି ପାଇପ୍‌ ନିର୍ମାଣକାରୀ ସଂସ୍ଥା ଓଡ଼ିଶାରେ ପ୍ରକଳ୍ପ ସ୍ଥାପନ ଲାଗି ଆଗ୍ରହ ଦେଖାଇଛନ୍ତି । ଅନ୍ୟପକ୍ଷରେ ଇସ୍ପାତ ଶିଳ୍ପର ବିକାଶ ପାଇଁ ଭାରତ ଓ ଜାପାନ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ଏଥିଲାଗି ଦୁଇଦେଶ କଥାବାର୍ତ୍ତା ଆରମ୍ଭ କରିବା ଦରକାର ବୋଲି କର୍ମଶାଳାରେ ଉପସ୍ଥିତ ଥିବା ଜାପାନ ରାଷ୍ଟ୍ରଦୂତ ସାତୋସି ସୁଜୁକି ଦର୍ଶାଇଛନ୍ତି ।

କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର ଅତିରିକ୍ତ ସଚିବ ରସିକା ଚୌବେ, ଆର୍ସେଲର ମିତ୍ତଲ ସିଇଓ (ଭାରତ ଓ ଚୀନ୍‌) ସଞ୍ଜୟ ଶର୍ମା, ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌)ର ଅଧ୍ୟକ୍ଷ ଅନିଲ କୁମାର ଚୌଧରୀ, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶଶିଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।