ଦେଶରେ ୨୨ଲକ୍ଷ ନର୍ସଙ୍କ ଆବଶ୍ୟକତା ରହିଛି

କ୍ୱାରେଣ୍ଟାଇନ୍ ସମୟସୀମା ୨୮ ଦିନକୁ ବଢିଲା

ଓଡିଶା ବଡ ଖବର

#କ୍ୱାରେଣ୍ଟାଇନ୍_ସମୟସୀମା_୨୮_ଦିନକୁ_ବଢିଲା              ଭୁୁବନେଶ୍ୱର  : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କ୍ୱାରେଣ୍ଟାଇନ୍ ଅବଧି ବୃଦ୍ଧି କରିଛନ୍ତି । ଓଡିଶାକୁ ଆସିଥିବା ସମସ୍ତ ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ୍ ଅବଧି ୧୪ ଦିନରୁ ୨୮ ଦିନକୁ ବଢାଯାଇଛି । ସେଥିମଧ୍ୟରୁ ୨୧ ଦିନ ସରକାରୀ କ୍ୱାରେଣ୍ଟାଇନ୍ ଏବଂ ୭ ଦିନ ନିଜ ଘରେ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବେ । ୧୪ ଦିନର କ୍ୱାରେଣ୍ଟାଇନ୍ ପରେ ମଧ୍ୟ ଲକ୍ଷଣ ପ୍ରକାଶ ପାଉଥିବାରୁ ଏହି ନିଷ୍ପତି ନିଆଯାଇଛି । କ୍ୱାରେଣ୍ଟାଇନ୍ ନିୟମ ଭଙ୍ଗ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ – ୧୯ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ୧୪ ଦିନ କ୍ୱାରେଣ୍ଟାଇନ୍ ଅବଧି ପୂରଣ ପରେ ଅନେକ କ୍ଷେତ୍ରରେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ଲକ୍ଷ୍ୟ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁପାଳନ ସମେତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ଏବଂ କୋଭିଡ୍-୧୯ ରୋଗପୁଷ୍ଟି ଅବଧି ସଂପର୍କିତ କେତେକ ରିପୋର୍ଟ ବିଚାର କରି ରାଜ୍ୟ ସରକାର ନିମ୍ନମତେ ସଂଶୋଧିତ ବିଜ୍ଞପ୍ତି ଜାରି କରିଛନ୍ତି ।
ଓଡ଼ିଶାକୁ ଫେରୁଥିବା ସମସ୍ତ ବ୍ୟକ୍ତି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର/ଶିବିରରେ ୨୮ ଦିନ କ୍ୱାରେଣ୍ଟାଇନରେ ରହିବେ । ଆନୁଷ୍ଠାନିକ କ୍ୱାରେଣ୍ଟାଇନ୍ ଅବଧି ମଧ୍ୟରେ ସେମାନଙ୍କର ସନ୍ତୋଷଜନକ ଆଚରଣ ଓ ସ୍ୱାସ୍ଥ୍ୟାବସ୍ଥାକୁ ବିଚାର କରି ୨୧ ଦିନର ବାଧ୍ୟତାମୂଳକ ଆନୁଷ୍ଠାନିକ କ୍ୱାରେଣ୍ଟାଇନ୍ ପରେ ୭ ଦିନ ପାଇଁ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ନିମନ୍ତେ ଅନୁମତି ମିଳିପାରିବ । ହୋମ୍ କ୍ୱାରେଣ୍ଟାଇନ୍ ସମୟରେ ସଂପୃକ୍ତ ବ୍ୟକ୍ତି ନିର୍ଦ୍ଧାରିତ କ୍ୱାରେଣ୍ଟାଇନ୍ ନିୟମଗୁଡ଼ିକ କଡ଼ାକଡ଼ି ଭାବେ ମାନିବେ । କୌଣସି ପ୍ରକାର ଉଲ୍ଲଂଘନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହୋମ୍ କ୍ୱାରେଣ୍ଟାଇନ୍ ରହିଥିବା ବ୍ୟକ୍ତିବୃନ୍ଦ କୌଣସି ଉଲ୍ଲଂଘନ ବିନା ହୋମ୍ କ୍ୱାରେଣ୍ଟାଇନ୍ ନିୟମାବଳୀ ପାଳନ କରୁଛନ୍ତି କି ନାହିଁ, ତାହା ଗ୍ରାମପଞ୍ଚାୟତ ନୋଡାଲ୍ ଅଫିସର/ୱାର୍ଡ ନୋଡାଲ ଅଫିସର ତଦାରଖ ଓ ସୁନିଶ୍ଚିତ କରିବେ ।
ଶ୍ରୀ ବାଗଚୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟର ୨୧ ଦିନ ସଂଗରୋଧରେ ରହିବା ପ୍ରବାସୀମାନଙ୍କ ମନକୁ ବିଚଳିତ କରିପାରେ । ଏହି ସମୟକୁ ନେଇ କିଛି ପ୍ରବାସୀ ବିରକ୍ତି ପ୍ରକାଶ ମଧ୍ୟ କରିପାରନ୍ତି । କିନ୍ତୁ ଏହା ଉଭୟ ବ୍ୟକ୍ତି ଓ ସମାଜ ପାଇଁ ଭଲ । ଆମେ ପାଠ ପଢିବା ସମୟରେ ଏନସିସି ଓ ଏନସଏସ୍ ଶିବିରରେ ଆମକୁ ରହିବାକୁ ପଡ଼ିଛି । ଶିବିରରେ ଥିବା ସମୟ ମଧ୍ୟରେ ଘର କଥା ଭାବିବାକୁ ନ ଥିଲା । ଶିବିରରେ ଆମକୁ ବଭିନ୍ନ ବିକାଶ ମୂଳକ କାମ କରିବାକୁ ପଡୁଥିଲା ।
ସଂଗରୋଧରେ ଥାଇ ଯୋଗ କରିହେବ ଏବଂ ଟିଭି ମଧ୍ୟ ଦେଖିହେବ । ସରକାର କହିଛନ୍ତି ଯେ, ସଂଗରୋଧରେ ରହୁଥିବା ଲୋକେ ବିକାଶମୂଳକ କାମ କରନ୍ତୁ । ଇଚ୍ଛୁକ ବ୍ୟକ୍ତି ସ୍କୁଲର କାମ କରିପାରିବେ । ଗଛ ଲଗାଇପାରିବେ, ରଙ୍ଗାକାମ କରିପାରିବେ । ଯେଉଁମାନେ ଠିକ ଭାବେ କାମ କରିିବେ ସେମାନଙ୍କୁ ୧୫୦ ଟଙ୍କା ଦୈନିକ ପାରିଶ୍ରମିକ ମିଳିବ । ପ୍ରତିଟି ଲୋକଙ୍କୁ ୧୦ ଦିନ କାମ ଦିଆଯିବ । ଠିକ ଭାବରେ କାମ କରିଥିବା ଲୋକଙ୍କ ୨୦୦୦ ଟଙ୍କା ବ୍ୟତୀତ ଏହି ପାରିଶ୍ରମିକ ପାଇବେ ।