କୋଭିଡ୍-୧୯ ସଂପର୍କିତ ଉଚ୍ଚକ୍ଷମତାସଂପନ୍ନ ମନ୍ତ୍ରୀଗୋଷ୍ଠୀ ବୈଠକ ଅନୁଷ୍ଠିତ

କୋଭିଡ୍-୧୯ ସଂପର୍କିତ ଉଚ୍ଚକ୍ଷମତାସଂପନ୍ନ ମନ୍ତ୍ରୀଗୋଷ୍ଠୀ ବୈଠକ ଅନୁଷ୍ଠିତ

ଓଡିଶା ବଡ ଖବର

#କୋଭିଡ୍-୧୯_ସଂପର୍କିତ_ଉଚ୍ଚକ୍ଷମତାସଂପନ୍ନ_ମନ୍ତ୍ରୀଗୋଷ୍ଠୀ_ବୈଠକ         ଭୁବନେଶ୍ୱର  : କୋଭିଡ୍-୧୯ ସଂପର୍କିତ ଉଚ୍ଚକ୍ଷମତାସଂପନ୍ନ ମନ୍ତ୍ରୀ ଗୋଷ୍ଠୀ ବୈଠକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଭିଡ଼ିଓ କନ୍ଫରେନ୍ସିଂ ଅବସରରେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ କୋଭିଡ୍-୧୯ ପରୀକ୍ଷଣ କ୍ଷମତା ଦୈନିକ ୧୫,୦୦୦କୁ ବୃଦ୍ଧି କରିବା ଲକ୍ଷ୍ୟରେ ବଲାଙ୍ଗୀର, କୋରାପୁଟ ଏବଂ ବାରିପଦା ମେଡିକାଲ୍ କଲେଜ୍ରେ ଖୁବ୍ଶୀଘ୍ର ପରୀକ୍ଷା ଆରମ୍ଭ କରାଯିବ ବୋଲି କୋଭିଡ୍-୧୯ ସଂପର୍କିତ ଉଚ୍ଚକ୍ଷମତା ସଂପନ୍ନ ମନ୍ତ୍ରୀ ସ୍ତରୀୟ ବୈଠକରେ ସ୍ଥିର କରାଯାଇଛି । ଏହା ବ୍ୟତୀତ ବିଭିନ୍ନ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ମାନଙ୍କରେ ରହିଥିବା ଶଯ୍ୟା ସଂଖ୍ୟାକୁ ବୃଦ୍ଧି କରାଯିବ ।ସମସ୍ତ ଘରୋଇ, ସରକାରୀ ହସ୍ପିଟାଲ୍ ଓ ଲ୍ୟାବୋରୋଟାରୀ ପରିସରକୁ ସଫାସୁତୁରା ରଖିବା ତଥା ଜୀବାଣୁମୁକ୍ତ କରିବା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରୀ ହେବା ଦରକାର । ସେହିପରି ଉଚ୍ଚ ଅଟ୍ଟାଳିକା, ସ୍କୁଲ୍, କଲେଜ, କଲ୍ୟାଣ ମଣ୍ଡପ, ପାର୍କ, ସିନେମା ହଲ୍, ବାଣିଜ୍ୟିକ ପ୍ରତିଷ୍ଠାନ, ଧର୍ମୀୟ ଅନୁଷ୍ଠାନ, କଳକାରଖାନା ଓ ସାଧାରଣ ସ୍ଥାନଗୁଡ଼ିକ ପରିଷ୍କାରପରିଚ୍ଛନ୍ନ ରଖିବା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହେବା ଆବଶ୍ୟକ ।

ଏହା ସହ ଏସବୁ ସ୍ଥାନରେ ନିଶ୍ଚିତ ଭାବେ ହାତ ଧୋଇବା ପାଇଁ ୱାସ୍ ବେସିନ୍ ରହିବା ଦରକାର ।ଜଳ ଯୋଗାଣ ବ୍ୟବସ୍ଥା ସହ ସାବୁନ୍ ଓ ହାଣ୍ଡ ୱାସ୍ ବ୍ୟବସ୍ଥା ରହିବା ଉଚିତ୍ । କୌଣସି ବ୍ୟକ୍ତି ହାତ ସଫା ନକରି ଏସବୁ ସ୍ଥାନକୁ ପ୍ରବେଶ କରିପାରିବେ ନାହିଁ । ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କୁ ଘରେ ସ୍ୱାସ୍ଥ୍ୟ ସେବା ଯୋଗାଣ ଦେବା ପାଇଁ ସ୍ୱତନ୍ତ୍ର ନିୟମ ପ୍ରଣୟନ କରାଯିବା ଉଚିତ୍ ।
ବ୍ୟବସାୟୀମାନଙ୍କ କ୍ଷେତ୍ରରେ ଟ୍ରେଡ୍ ଲାଇସେନ୍ସ ସହ ହାଇଜିନ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବା ଉଚିତ୍ । ଖାଦ୍ୟ ପଦାର୍ଥ, ସେଲୁନ୍, ସ୍ପା ବ୍ୟକ୍ତିଗତ ସେବା ପ୍ରଦାନକାରୀ ସଂସ୍ଥା, ହସ୍ପିଟାଲ୍, ଘରୋଇ ନର୍ସିଂ ହୋମ୍, ସମସ୍ତ ସରକାରୀ ଓ ଘରୋଇ ପ୍ରତିଷ୍ଠାନ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ କରାଯିବା ଦରକାର ।
କୋଭିଡ୍-୧୯ କ୍ଷେତ୍ରରେ ସଚେତନତା ସୃଷ୍ଟି ଓ ପ୍ରତିକାର ବ୍ୟବସ୍ଥା ପାଇଁ ସାଧାରଣ ପରିଚ୍ଛନ୍ନତା, ହାତଧୁଆ ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ଭଳି ବିଷୟକୁ ପ୍ରାଥମିକ ସ୍ତରଠାରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରିବାକୁ ମନ୍ତ୍ରୀ ଶ୍ରୀ ଦାସ୍ ମତ ଉପସ୍ଥାପନ କରିଥିଲେ ।
ଏହି ଭିଡ଼ିଓ କନ୍ଫରେନ୍ସିଂରେ ରାଜସ୍ୱ ଓ ବିପର୍ଯ୍ୟୟ ପରି·ଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ପଂଚାୟତିରାଜ, ପାନୀୟ ଜଳ, ଗୃହ ନିର୍ମଣ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ କୁମାର ଜେନା, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରି ଧଳ ଓ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।