କୋଭିଡ୍‌-୧୯କୁ ନେଇ ୧୨ ଭ୍ରାନ୍ତ ଧାରଣା

କୋଭିଡ୍‌-୧୯କୁ ନେଇ ୧୨ ଭ୍ରାନ୍ତ ଧାରଣା

ଓଡିଶା ବଡ ଖବର

#କୋଭିଡ୍‌-୧୯_କୁ_ନେଇ_୧୨_ଭ୍ରାନ୍ତ_ଧାରଣା         ଭୁବନେଶ୍ୱର: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌- ୧୯ ସଂପ୍ରତି ସମସ୍ତଙ୍କ ପାଇଁ ଏକ ଆତଙ୍କର କାରଣ ପାଲଟିଛି। ଏହି ପରିପ୍ରେକ୍ଷୀରେ କରୋନାକୁ କେନ୍ଦ୍ରକରି ରାଜ୍ୟବାସୀଙ୍କ ମନରେ ଅନେକ ପ୍ରକାରର ଭ୍ରାନ୍ତି ଓ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଛି। ତେବେ, ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଆଯୋଜିତ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ କୋଭିଡ୍‌-୧୯ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କରୋନାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ୧୨ଟି ଭ୍ରାନ୍ତ ଧାରଣା ଉପରେ ନିଜର ସ୍ପଷ୍ଟୀକରଣ ରଖିଛନ୍ତି। ଆସନ୍ତୁ ଦେଖିବା ସେଗୁଡ଼ିକ କ’ଣ?…
୧) ନାକରେ ଲୁଣ ପାଣି ଟାଣିଲେ କରୋନା ସଂକ୍ରମଣ ହେବନାହିଁ!… ଏହା ଭ୍ରାନ୍ତ ଧାରଣା।
୨) ତାପମାତ୍ରା ବଢ଼ିଲେ କରୋନା ଭୂତାଣୁ ମରିଯିବ!…. ଏହା ଭ୍ରାନ୍ତ ଧାରଣା। ଏହା ପଛରେ କୌଣସି ବିଜ୍ଞାନ ସମ୍ମତ୍ତ କାରଣ ନାହିଁ।
୩) କରୋନାରେ ଥରେ ଆକ୍ରାନ୍ତ ହେଲେ ଏହା ସାରା ଜୀବନ ଗୋଡାଇବ! …ଏହା ମଧ୍ୟ ଭ୍ରାନ୍ତ ଧାରଣା। ହାଡ଼ଫୁଟି ପରି; ଥରେ କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଆଉ ଦ୍ୱିତୀୟ ଥର ପାଇଁ ଏଥିରେ ଆକ୍ରାନ୍ତ ହେବନାହିଁ।
୪) ଜୋରରେ ନିଃଶ୍ୱାସ ନେଇ ୧୦ ମିନିଟ ପାଇଁ ଭିତରେ ରଖି ପାରୁଥିଲେ କରୋନା ସଂକ୍ରମିତ ହୋଇନାହିଁ ବୋଲି ଜାଣିବ!… ମାତ୍ର ଏହା ଭୁଲ। ଜ୍ୱର, କାଶ, ସର୍ଦ୍ଦି ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ହେଉଛି କରୋନା ଆକ୍ରାନ୍ତର ଲକ୍ଷଣ।
୫) ମଦ ପିଇଲେ କରୋନା ହେବ ନାହିଁ!… ଏହା ମଧ୍ୟ ଭୁଲ ଧାରଣା। ବରଂ ମଦ ବା ଅନ୍ୟ କୌଣସି ନିଶା ଦ୍ରବ୍ୟ ସେବନ କଲେ ଶରୀରରୁ ରୋଗ ପ୍ରତିଷେଧକ ଶକ୍ତି କମିଯିବା ସହ କରୋନା ଦ୍ୱାରା ଆକ୍ରାନ୍ତ ହେବାର ଅଧିକ ସମ୍ଭାବନା ଅଛି।

୬) ଗରମ ପାଣିରେ ଗାଧୋଇଲେ କରୋନା ହେବ ନାହିଁ!… ଏହା ମଧ୍ୟ ଭ୍ରାନ୍ତି।
୭) ମଶା କାମୁଡ଼ିଲେ କରୋନା ସଂକ୍ରମିତ ହୋଇଥାଏ!… ଏହା ବି ଭୁଲ ଧାରଣା। କେବଳ ମାତ୍ର କରୋନା ଆକ୍ରାନ୍ତ ବ୍ୟକ୍ତିର କାଶ ଓ ଛିଙ୍କରୁ ହିଁ ଅନ୍ୟ ସୁସ୍ଥ ବ୍ୟକ୍ତି ସଂକ୍ରମିତ ହୋଇଥାଏ।
୮) ରସୁଣ ଖାଇଲେ କରୋନା ହେବ ନାହିଁ!… ଏହା ମଧ୍ୟ ଏକ ଭ୍ରାନ୍ତ ଧାରଣା।
୯) ଶିଶୁ ଓ ଯୁବକମାନଙ୍କୁ କରୋନା ହୋଇ ନଥାଏ!… ଏହା ମଧ୍ୟ ଏକ ଭୁଲ ଧାରଣା। ହଁ, ଏହା ଅବଶ୍ୟ ସତ ଯେ କରୋନା ଆକ୍ରାନ୍ତ ବୟସ୍କ ବ୍ୟକ୍ତିମାନଙ୍କ ନିକଟରେ ରିସ୍କ ଫ୍ୟାକ୍ଟର ଯେତେ ଅଧିକ ଥାଏ ଶିଶୁ ଓ ଯୁବକମାନଙ୍କ ନିକଟରେ ସେତେଟା ନଥାଏ।
୧୦) ଆଣ୍ଟିବାୟୋଟିକ୍‌ ଖାଇଲେ କରୋନା ହେବନି!… ଏହା ସଂପୂର୍ଣ୍ଣ ଭ୍ରାନ୍ତ ଧାରଣା। ବିନା ଡାକ୍ତରୀ ପରାମର୍ଶରେ ଆଣ୍ଟିବାୟୋଟିକ୍‌ ଖାଇଲେ ଏହା ପ୍ରାଣଘାତୀ ମଧ୍ୟ ହୋଇପାରେ।
୧୧) କ୍ଲୋରିନ୍‌ ପାଣିରେ କୁଳୁକୁଚା କଲେ କରୋନା ହେବନି!… ଏହା ସଂପୂର୍ଣ୍ଣ ଭୁଲ୍‌ ଧାରଣା।
୧୨) ପୋଷା ଓ ବିଲେଇ ବା ଅନ୍ୟ ପାଳିତ ଜନ୍ତୁଙ୍କ ଠାରୁ କରୋନା ସଂକ୍ରମିତ ହୋଇଥାଏ!… ଏହା ମଧ୍ୟ ଏକ ଭ୍ରାନ୍ତି।