#କୋଣାର୍କ_ଜଗମୋହନରେ_ଥିବା_୧୧୭_ବର୍ଷ_ତଳର_ବାଲି_୧୨_ଫୁଟ୍_ଦବି_ଯାଇଛି ଭୁବନେଶ୍ୱର : ସାରା ବିଶ୍ୱକୁ ଐତିହ୍ୟ ଓ ସ୍ଥାପତ୍ୟ କୀର୍ତିରାଜିର ଝଲକ ଦେଖାଇ ଆସୁଥିବା ଏହି ୮୦୦ ବର୍ଷ ପୁରୁଣା କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥାୟିତ୍ୱ ଉପରେ ବିପଦର ବାଦଲ ଛାଇ ରହିଛି । ୧୧୭ ବର୍ଷ ତଳୁ ବାଲିର ଆଧାର ଉପରେ ଛିଡ଼ା ହୋଇଛି ଏହି ମନ୍ଦିରର ଜଗମୋହନ । ଆଉ ଏହି ବାଲି ଏବେ ୧୨ ଫୁଟ ପର୍ଯ୍ୟନ୍ତ ଦବି ଯାଇଥିବା ଆଶଙ୍କା କରାଯାଉଛି । ବାଲି କାଢ଼ି ସ୍ଥାପତ୍ୟକୁ ସୁରକ୍ଷିତ ରଖିବା ପାଇଁ ଅନ୍ୟ ଉପାୟ ଅବଲମ୍ବନ କରିବାକୁ ଚାହୁଁଛି ଏଏସ୍ଆଇ । କୋଣାର୍କର ସଂରକ୍ଷଣ ପାଇଁ ଅନୁଷ୍ଠିତ ୨ ଦିନିଆ କର୍ମଶାଳାରେ ଜଗମୋହନ ଭିତରେ ଥିବା ବାଲି କାଢ଼ିବା ପାଇଁ ପ୍ରସ୍ତାବ ଦିଆଯାଇଛି ।
୧୧୩ ଫୁଟ ଉଚ୍ଚ ଜଗମୋହନର ସୁରକ୍ଷା ପାଇଁ ୧୯୦୩ ମସିହାରେ ବାଲି ଭର୍ତି କରିଥିଲେ ତକ୍ରାଳୀନ ବ୍ରିଟିଶ ସରକାର । ୨୦୧୩ ମସିହାରେ ସେଂଟାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ଏ ନେଇ ଗବେଷଣା କରାଯାଇଥିଲା । ଆଭ୍ୟନ୍ତର ସ୍ଥଳର ଏଣ୍ଡୋସ୍କୋପି ପରେ ଶୀର୍ଷରୁ ୧୨ ଫୁଟ ପର୍ଯ୍ୟନ୍ତ ବାଲି ଦବି ଯାଇଥିବା କହିଛି ସିବିଆରଆଇ । ଯାହା ସମଗ୍ର ଢ଼ାଂଚା ଉପରେ ଚାପ ସୃଷ୍ଟି କରୁଛି । ଜଗମୋହନରୁ ଅନେକ ପଥର ଖସି ଯାଇଥିବାରୁ କୋଣାର୍କ ପ୍ରତି ଥିବା ବିପଦକୁ ଆହୁରି ବଢ଼ାଇ ଦେଇଛି ।