କେବଳ ‘ଗ୍ରୁପ୍‌-ଡି’ରେ ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ

ଓଡିଶା ବଡ ଖବର ରାଜ୍ୟ

ଭୁବନେଶ୍ୱର : ଚାକିରି କାଳ ମଧ୍ୟରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କର ପରିବାର ସଦସ୍ୟଙ୍କୁ ଏଣିକି କେବଳ ‘ଗ୍ରୁପ୍‌-ଡି’ରେ ଅନୁକମ୍ପାମୂଳକ ନିଯୁକ୍ତି ସୁବିଧା ମିଳିବ । ଏଥିପାଇଁ ‘ଗ୍ରୁଫ-ଡି’ ବର୍ଗରେ ୫୦ ପ୍ରତିଶତ ପଦବୀକୁ ସଂରକ୍ଷିତ ରଖାଯିବ। ସବୁ ବର୍ଗର ସରକାରୀ କର୍ମଚାରୀଙ୍କ ପରିବାରର ଦୂରବସ୍ଥାକୁ ଦୃଷ୍ଟିରେ ରଖି ମୃତ କର୍ମଚାରୀଙ୍କ ପରିବାରର ପ୍ରତିପୋଷଣ ନିମନ୍ତେ ଜଣଙ୍କୁ ଗ୍ରୁଫ-ଡିରେ କାର୍ଯ୍ୟ କରିବାର ସୁଯୋଗ ମିଳିବ। ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ ଓଡ଼ିଶା ବେସାମରିକ ସେବା(ପୁନଃ ଥଇଥାନ ସହାୟତା) ନିୟମାବଳୀ-୨୦୨୦ର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ କ୍ୟାବିନେଟ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଥିଲେ ଯେ, ଆଜିର କ୍ୟାବିନେଟ ବୈଠକରେ ମୋଟ ୯ଟି ପ୍ରସ୍ତାବ ଆସିଥିଲା। ଓଡ଼ିଶା ଶିକ୍ଷା ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ ପରବର୍ତ୍ତୀ ବୈଠକକୁ ସ୍ଥଗିତ ରଖାଗଲା ଓ ଅନ୍ୟ ସମସ୍ତ ପ୍ରସ୍ତାବ ଗୃହୀତ ହୋଇଛି।

ପୂର୍ବରୁ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ଓଡ଼ିଶା ବେସାମରିକ ସେବା(ପୁନଃ ଥଇଥାନ ସହାୟତା) ନିୟମାବଳୀ-୧୯୯୦ରେ ପ୍ରାବଧାନ ଥିଲା। କିନ୍ତୁ ରାଜ୍ୟ କ୍ୟାବିନେଟ ଏଥିରେ ସଂଶୋଧନ କରି କେବଳ ଚତୁର୍ଥ ଶ୍ରେଣୀ ବର୍ଗରେ ଅନୁକମ୍ପାମୂଳକ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ଗ୍ରୁଫ-ଡିରେ ଏଥିପାଇଁ ଉଦ୍ଦିଷ୍ଟ ୧୦ପ୍ରତିଶତ ପଦବୀକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିଯୋଗୁ ପ୍ରଚଳିତ ଥିବା ନିୟମାବଳୀ-୧୯୯୦କୁ ପରିବର୍ତ୍ତନ କରାଯାଇ ଓଡ଼ିଶା ବେସାମରିକ ସେବା(ପୁନଃ ଥଇଥାନ ସହାୟତା)-୨୦୨୦ ପ୍ରଣୟନ କରାଗଲା।

ସେହିପରି ରାଜ୍ୟ ସରକାର ଓଡ଼ିଶା ଖଣି ନିଗମ ଲିଃ(ଓଏମସି) ମାଧ୍ୟମରେ ଦୀର୍ଘମିଆଦି ଖଣିଜ ଯୋଗାଣ ନୀତି  ଜରିଆରେ ରାଜ୍ୟରେ ଥିବା ଘରୋଇ ଇସ୍ପାତ କାରଖାନାମାନଙ୍କୁ କଞ୍ଚାମାଲ ଯୋଗାଣ ନିମନ୍ତେ ୨୦୧୪ ସେପ୍ଟେମ୍ବର ୧୭ତାରିଖରେ ଏକ ନୀତି ପ୍ରଣୟନ କରିଥିଲେ। ତେବେ ଅଧିକାଂଶ କମ୍ପାନୀ ଏନେଇ ବାରମ୍ବାର ଅନୁରୋଧ କରିବା ପରେ ଓ ଓଏମସିର ବ୍ୟବସାୟିକ ବୃଦ୍ଧି ନିମନ୍ତେ ଓଡ଼ିଶା ଖଣି ନିଗମ ଲିଃ ସହ ଦୀର୍ଘମିଆଦି ସଂଯୋଗରେ ଥିବା ଯେଉଁ କ୍ରେତାମାନେ ଯାନ୍ତ୍ରିକ ଖଣିଜ ଉତ୍ତୋଳନ ବ୍ୟବସ୍ଥାରେ ପୁଞ୍ଜି ବିନିଯୋଗ କରିବା ପାଇଁ ଇଚ୍ଛୁକ ସେହିମାନେ ୫ବର୍ଷରୁ ଅଧିକ ଦୀର୍ଘମିଆଦି ଖଣିଜ ଯୋଗାଣ ଚୁକ୍ତି କରିବା ପାଇଁ ଉପଯୁକ୍ତ ବିବେଚିତ ହେବେ। ଯେଉଁ ଖଣି ପଟ୍ଟାଧାରୀମାନଙ୍କର କ୍ରୋମ ଖଣି ପଟ୍ଟା ଅଛି ସେମାନଙ୍କୁ ଜାତୀୟ ଇ-ଖଣି ନିଲାମରେ ଭାଗ ନେବା ପାଇଁ ଅନୁମତି ଦିଆଯିବ ନାହିଁ। ଏହାଦ୍ୱାରା କ୍ରୋମ ଭଳି ଦୁଷ୍ପ୍ରାପ୍ୟ କଞ୍ଚାମାଲର ଉପଯୁକ୍ତ ବଜାର ଦର ନିର୍ଦ୍ଧାରଣ କରିହେବ।

ରାଜ୍ୟର ଯେକୌଣସି ସ୍ଥାନରେ ଏସଟିପିଆଇ ସେଣ୍ଟର ପ୍ରତିଷ୍ଠା ନିମନ୍ତେ ୩ଏକର ପର୍ଯ୍ୟନ୍ତ ସରକାରୀ ଜମି ବିନା ପ୍ରିମିୟମ ଓ ବିନା ଲିଜ ସୂତ୍ରରେ ଯୋଗାଇବା ସମ୍ବନ୍ଧରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ତେବେ ଲିଜରେ ପ୍ରଦାନ କରାଯିବାକୁ ଥିବା ଏହି ସରକାରୀ ଜମି ନିମନ୍ତେ ଏସଟିପିଆଇ କର୍ତ୍ତୃପକ୍ଷଙ୍କୁ ଜମିର ବଜାର ଦର ୧% ହିସାବରେ ବାର୍ଷିକ ଖଜଣା ଓ ବାର୍ଷିକ ଖଜଣାର ୭୫% ହିସାବରେ ସେସ୍ ଦେବାକୁ ପଡ଼ିବ।

ଓଡ଼ିଶା ବେସାମରିକ ସେବା(ନିଯୁକ୍ତି ଓ ପଦୋନ୍ନତି ଚୟନର ମାନଦଣ୍ଡ)-୨୦୦୩ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି। ଏବେ ପ୍ରଚଳିତ ନିୟମ ଅନୁସାରେ ଖାଲି ପଡ଼ିଥିବା ପଦୋନ୍ନତି ପଦବୀର ୧.୨୫ଗୁଣା ବ୍ୟକ୍ତିଙ୍କୁ ଏହି ନିୟମାବଳୀର ନିୟମ-୪ ଓ ଉପନିୟମ-୧ ଅନୁସାରେ ପ୍ରସ୍ତୁତ କରାଯାଉଥିବ ତାଲିକାରେ ଅର୍ନ୍ତଭୁକ୍ତ କରାଯାଉଛି। ମାତ୍ର ଇତିମଧ୍ୟରେ ଖାଲିପଡ଼ିଥିବା ପଦବୀ ଉପରେ ସଂରକ୍ଷଣ ବ୍ୟବସ୍ଥାକୁ ପଦବୀ ଆଧାରିତ ସଂରକ୍ଷଣ ବ୍ୟବସ୍ଥାର ପରିବର୍ତ୍ତନ କରାଯାଇଛି।  ତେଣୁ ଖାଲି ପଡ଼ୁଥିବା ପଦବୀ ପାଇଁ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ଚୟନ କରାଯିବାର ଆବଶ୍ୟକତା ପଡ଼ିବ ନାହିଁ । କିମ୍ବା ପ୍ରତ୍ୟାଶାମୂଳକ ଖାଲି ପଡ଼ିଥିବା ପଦବୀ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ଚୟନ କରିବାର ଯଥାର୍ଥତା ରହୁନାହିଁ । ତେଣୁ ଏବେ ୧.୨୫ ଗୁଣ କର୍ମଚାରୀଙ୍କୁ ଚୟନ ପରିବର୍ତ୍ତେ ପଦବୀ ସଂଖ୍ୟା ସହ ସମାନ କର୍ମଚାରୀଙ୍କୁ ଚୟନ କରାଯିବାକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଓ ନୂଆଗାଁ ବ୍ଲକର ୩୮ଟି ପଞ୍ଚାୟତରେ ପ୍ରାୟ ୨ଲକ୍ଷ ଲୋକଙ୍କୁ ପାଇପଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ସର୍ବନିମ୍ନ ଟେଣ୍ଡରରେ ମେସର୍ସ ଭୋଲଟାସକୁ ୩୪୦.୩୯କୋଟି ଟଙ୍କାରେ କାର୍ଯ୍ୟାଦେଶ ଦିଆଯାଇଛି। ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି। ସେହିପରି ଭୋଲଟାସ କମ୍ପାନୀକୁ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟ ୩ଟି ବ୍ଲକର ୨୫ଟି ପଞ୍ଚାୟତରେ ପାଇପଯୋଗେ ପାନୀୟ ଜଳ ଯୋଗାଣ କରାଯିବ। ଏଥିପାଇଁ ଭୋଲଟାସ କମ୍ପାନୀ ୩୨୦.୧୧କୋଟି ଟଙ୍କାରେ ଟେଣ୍ଡର ହାସଲ କରିଛି। କ୍ୟାବିନେଟ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।