କୃଷି କ୍ଷେତ୍ରକୁ କଟକଣାମୁକ୍ତ କଲେ ସରକାର

କୃଷି କ୍ଷେତ୍ରକୁ କଟକଣାମୁକ୍ତ କଲେ ସରକାର

ଓଡିଶା ବଡ ଖବର

#କୃଷି_କ୍ଷେତ୍ରକୁ_କଟକଣାମୁକ୍ତ_କଲେ_ସରକାର         ଭୁବନେଶ୍ୱର  :   ଅଧିକାଂଶ ରାଜ୍ୟବାସୀ କୃଷି ଉପରେ ନିର୍ଭରଶୀଳ । ତେଣୁ ଫସଲ ଅମଳ ଓ ଏହାର ପରିବହନ, ବିହନ, ସାର ଓ କୀଟନାଶକ ଆଦିର ପରିବହନକୁ ଲକ୍ ଡାଉନ୍ କଟକଣାମୁକ୍ତ କରାଯାଇଛି । ବିହନ, ସାର ଏବଂ କୀଟନାଶକ ଔଷଧ ଦୋକାନ ଦିନର ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଖୋଲା ରହିବ । ସାମାଜିକ ଦୂରତା ବଜାୟ ରଖି ଏହାର ଉପଲବ୍ଧତା ଓ ବିକ୍ରିକୁ ସୁନିଶ୍ଚିତ କରିବାକୁ ପଦକ୍ଷେପ ନିଆଯାଇଛି ବୋଲି କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି ।

ସେ ,କହିଛନ୍ତି ଯେ ବିହନ, ସାର ଏବଂ କୀଟନାଶକ ଔଷଧର ପଣ୍ୟାଗାର ସୁବିଧାକୁ କଟକଣାମୁକ୍ତ ରଖାଯାଇଛି । ଫସଲ ଅମଳ ଏବଂ କୃଷି କାର୍ଯ୍ୟ ନିମନ୍ତେ ବ୍ୟବହୃତ କୃଷି ଯନ୍ତ୍ରପାତିର ପରିବହନକୁ ଅନୁମତି ପ୍ରଦାନ କରାଯାଇଛି । ଏସବୁ ଯନ୍ତ୍ରପାତିର ମରାମତି ନିମନ୍ତେ ୱର୍କସପ୍ ଖୋଲାରହିବ । ୟକୃଷି କ୍ଷେତ୍ରରେ ଭଡାସୂତ୍ରରେ ବ୍ୟବହୃତ ହେଉଥିବା ଯନ୍ତ୍ରପାତିର ବ୍ୟବହାରକୁ କଟକଣାମୁକ୍ତ କରାଯାଇଛି । ରବି ଫସଲ ଯଥା-ମୁଗ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ ଆଦିର ସଂଗ୍ରହ ନିମନ୍ତେ ସଂଗ୍ରହ କେନ୍ଦ୍ର ଖୋଲାଯିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଏଥି ପାଇଁ ନାଫେଡ୍ର ଇ-ସମୃଦ୍ଧି ପୋର୍ଟାଲ୍ରେ ନାମ ପଂଜୀକରଣ କରିବାକୁ କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି ।

ରାଜ୍ୟ ଜିଲ୍ଲା ଓ ବ୍ଲକ୍ ରୁ ପଂଚାୟତ ସ୍ତର ପର୍ଯ୍ୟନ୍ତ ସମସ୍ତ କୃଷି କାର୍ଯ୍ୟାଳୟ ଖୋଲା ରଖିବାକୁ କୁହାଯାଇଛି । କୃଷି ସହ ନିୟୋଜିତ ସମସ୍ତ ସଂସ୍ଥା ଯଥା ବିହନ ନିଗମ , ନାଫେଡ୍ , କୃଷି ଶିଳ୍ପ ନିଗମ , କାଜୁ ନିଗମ , ଓୟୁଏଟି , କୃଷି ବିଜ୍ଞାନ କେନ୍ଦ୍ର ଆଦି ଖୋଲା ରହିବ । କୃଷକ ମାନଙ୍କର କୌଣସି ଅସୁବିଧା ବା ପ୍ରଶ୍ନ ଥିଲେ ଆମ କୃଷି ଟୋଲ ଫ୍ରି ନମ୍ବର ୧୮୦୦୧୦୨୫୧୬୬କୁ କଲ୍ କରିବାକୁ କୁହାଯାଇଛି । ଚଳିତ ବର୍ଷ ପ୍ରାୟ ୨୬.୬୬ ଲକ୍ଷ ହେକ୍ଟରଜମିରେ ରବି ଚାଷ ହୋଇଛି ।ସେଥିରୁ ପାଖାପାଖି ୧୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ , ୩୦.୫ ଲକ୍ଷ ମେଟ୍ରିକ୍ ଟନ୍ ମୁଗ , ୧ ଲକ୍ଷ ମେଟ୍ରିକ୍ ଟନ୍ କୋଳଥ , ୫୦ ହଜାର ମେଟ୍ରିକ୍ ଟନ୍ ଶୋରିଷ ଅମଳ ଲକ୍ଷ୍ୟ ରଖାଯାଇଛି ।
ଲକ୍ ଡାଉନ୍ ସମୟରେ କୃଷି ଯନ୍ତ୍ରପାତି ଉତ୍ପାଦନକାରୀ ସଂସ୍ଥା, ଗୋଦାମ ଗୃହ, ହୋଲ୍ସେଲ୍/ଖୁଚୁରା ଦୋକାନ କିମ୍ବା ଡିଲର ପ୍ରତିଷ୍ଠାନଗୁଡ଼ିକ ଖୋଲା ରହିବ । ରାଜ୍ୟ ଭିତରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଜରୁରୀ କୃଷି ଉପକରଣ ଏବଂ କୃଷି ଉତ୍ପାଦ ପରିବହନ କରୁଥିବା ଯାନଗୁଡ଼ିକୁ କଟକଣାମୁକ୍ତ କରାଯାଇଛି । ଉତ୍ପାଦିତ କୃଷି ଦ୍ରବ୍ୟର ଅବାଧ ପରିବହନ ନିମନ୍ତେ ଉତ୍ପାଦନକାରୀ ଏବଂ ଗାଡ଼ିଗୁଡ଼ିକ ପାଇଁ ପାସ୍ର ଆବଶ୍ୟକତା ନାହିଁ ।

ବିଶେଷ ଅସୁବିଧା କ୍ଷେତ୍ରରେ ସ୍ଥାନୀୟ ଉଦ୍ୟାନବିତ୍ଙ୍କ ପରାମର୍ଶ କ୍ରମେ ପରିବା ଚଷୀ ବିଶେଷ କରି ତରଭୂଜ, ବିଲାତି ବାଇଗଣ ଓ ବାଇଗଣ ଆଦି ବିକ୍ରୟ କରୁଥିବା ଚାଷୀ ସ୍ଥାନୀୟ ବଜାରରେ ବିକ୍ରି କରିବା ପାଇଁ ପରାମର୍ଶ ଦିଆଯାଇଛି । କୃଷି ଶ୍ରମିକଙ୍କ ସମସ୍ୟାକୁ ଏଡାଇବା ପାଇଁ ବିହନ ପ୍ରସ୍ତୁତ କରୁଥିବା ପଂଜୀକୃତ କୃଷକଙ୍କ ବ୍ୟତୀତ ଅନ୍ୟ ଚାଷୀମାନଙ୍କୁ କମ୍ବାଇନ୍ଡ ହାର୍ଭେଷ୍ଟର ବ୍ୟବହାର କରି ଠିକ୍ ସମୟରେ ଧାନ ଅମଳ କରବାକୁ ପରାମର୍ଶ ଦିଅ ।ଯାଇଛି । ଆଳୁ ଚାଷୀ ମାନେ ନିକଟସ୍ଥ ଶୀତଳ ଭଣ୍ଡାରରେ ଅମଳ ଆଳୁକୁ ରଖିବାକୁ କୁହାଯାଇଛି । ପିଆଜ ଗୁଡିକୁ ଲୋ କଷ୍ଟ ଷ୍ଟୋରେଜ୍ ରେ ରଖିବାକୁ କହାଯାଇଛି । ଲଙ୍କା ନଷ୍ଟ ହେଉଥିବାରୁ ,ଚାଷୀଙ୍କୁ ଲଙ୍କା ପାଚିବା ଯାଏଁ ରଖିବା ପରେ ତୋଳି ଅଧିକ ଦିନ ସାଇତି ରଖିବାକୁ ପରାମର୍ଶ ଦିଆଯାଇଛି ।

ଏହା ବ୍ୟତୀତ ଖରିଫ୍ ଚାଷ ନିମନ୍ତେ ଫସଲ ଋଣ ନେବା ପାଇଁ କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି । ଆମ କୃଷି ଏବଂ ଏମ୍-କିସାନ୍ ମାଧ୍ୟମରେ କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ମାର୍ଗଦର୍ଶିକାରୁ ଲାଭ ଉଠାଇ କୃଷି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏଥି ପାଇଁ କୃଷକମାନେ ୦୬୭୪-୬୬୬୭୧୭୧କୁ ମିସ୍ କଲ୍ ଦେଲେ “ଆମ କୃଷି ସେବାରେ ସେମାନେ ପଂଜୀକୃତ ହୋଇପାରିବେ ।