କରୋନା ମୁକାବିଲା-ଗ୍ରାଉଣ୍ଡ ଜିରୋ ସ୍ଥିତି ନେଇ ସରପଞ୍ଚ ମାନଙ୍କ ସହିତ ଜିଲ୍ଲାପାଳଙ୍କ ଆଲୋଚନା

କରୋନା ମୁକାବିଲା-ଗ୍ରାଉଣ୍ଡ ଜିରୋ ସ୍ଥିତି ନେଇ ସରପଞ୍ଚ ମାନଙ୍କ ସହିତ ଜିଲ୍ଲାପାଳଙ୍କ ଆଲୋଚନା

ଓଡିଶା ଗଞ୍ଜାମ ଜିଲ୍ଲା
#ସରପଞ୍ଚ_ମାନଙ୍କ_ସହ_ଜିଲ୍ଲାପାଳଙ୍କ_ଆଲୋଚନା              ଛତ୍ରପୁର  :  ଗଞ୍ଜାମରେ କରୋନା ମୁକାବିଲାର ବାସ୍ତବ ସ୍ଥିତି ଜାଣିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସରପଞ୍ଚ ମାନଙ୍କ ସହିତ ସିଧା ଆଲୋଚନା କରିଛନ୍ତି  । ଭିଡିଓ କନଫରେନସିଂ ମାଧ୍ୟମରେ ୨୨ଟି ବ୍ଲକ୍ ର ସରପଞ୍ଚ ମାନଙ୍କୁ କରୋନା ମୁକାବିଲା ପାଇଁ ପ୍ରତ୍ୟକ୍ଷ ଭାବେ ସାମିଲ ହେବାକୁ ଜିଲ୍ଲାପାଳ କହିଛନ୍ତି  । ଗ୍ରାମ ପଞ୍ଚା।ୟତରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଅଧିକ ଧ୍ୟାନ ଦିଆଯିବ  । ଜିଲ୍ଲାର ଯେଉଁ ଲୋକମାନେ ବାହାର ରାଜ୍ୟରେ ଅଟକିଛନ୍ତି ସେମାନଙ୍କୁ ଲକ୍ ଡାଉନ୍ ପରେ ଆସିବାକୁ କୁହାଯିବ  । ବାହାରୁ କୌଣସି ଲୋକ ଗାଁ କୁ ଆସିଲେ ସରପଞ୍ଚ ମାନେ ତୁରନ୍ତ ପ୍ରଶାସନକୁ ଜଣାଇବେ  ।
ଲକ୍ ଡାଉନ୍ ସମୟରେ ଚାଷ କାର୍ଯ୍ୟ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟଚାଷ ଓ କୁକୁଡା ପାଳନ ଯଥାରୀତି ଚାଲିବ  । ପଞ୍ଚାୟତରେ ଥିବା ସାମୟିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକୁ ସମ୍ପୂର୍ଣ୍ଣ ସଜାଗ କରି ରଖାଯିବ  । ଘରଘର ବୁଲି ଯେଉଁ ସ୍ବାସ୍ଥ୍ୟ ଯାଂଚ୍ କାର୍ଯ୍ୟ ଚାଲିଛି ସେଥିରେ ସହଯୋଗପାଇଁ ସରପଞ୍ଚମାନେ ଲୋକଙ୍କୁ ବୁଝାଇବେ  । ଯାଂଚ୍ ସମୟରେ ଯେଉଁ ମାନଙ୍କର ସାମାନ୍ୟତମ ଲକ୍ଷଣ ଦୃଷ୍ଟି ଗୋଚର ହେବ ତାଙ୍କୁ ଡାକ୍ତରୀ ଦଳ ତୁରନ୍ତ ଭଲଭାବରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବେ  । ମୁହଁକୁ ଆବୃତ୍ତ କରି ରଖିବା ପାଇଁ ଜନସଚେତନତା ସୃଷ୍ଟି କରାଯିବ  । ଯେଉଁମାନେ ପୋଖରୀରେ ଗାଧୋଉଛନ୍ତି ସେମାନଙ୍କୁ ନିବୃତ୍ତ କରିବାପାଇଁ ସରପଞ୍ଚମାନେ ବିହିତ ଚେଷ୍ଟା କରିବେ  । ବିନା କାରଣରେ ବାହାରେ ବୁଲିବାକୁ ବାରଣ କରାଯିବ  । ପ୍ରତ୍ୟେ୍କ ପଞ୍ଚାୟତରେ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ଦିଆଯିବ  । ଖାଦ୍ୟର ସ୍ବଚ୍ଛତା ଗୁଣବତ୍ତା ଉପରେ ଅଧିକ ଧ୍ୟାନ ଦିଆଯିବ  ।  ଭତ୍ତା ଓ ଖାଦ୍ୟ ସୁରକ୍ଷା ଚାଉଳ ବଣ୍ଟନ ସୁଚାରୁ ରୂପେ କରାଯିବ  । କୌଣସି ଅସୁବିଧା ହେଲେ ସରପଞ୍ଚମାନେ ସିଧା ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି   ।
ଟ୍ରାଫିକ୍ ନିୟମ ନ ମାନି ମଟରସାଇକେଲ ଚଲାଇଲେ ବିନା ହେଲମେଟ୍ ପାଇଁ ୫୦୦ଟଙ୍କା, ଡ୍ରାଇଭିଂ ଲାଇସେନ୍ସ ନଥିଲେ ୫୦୦ ଟଙ୍କା ଓ ପଲ୍ୟୁସନ ସାର୍ଟିଫିକେଟ ନଥିଲେ ୫୦୦ ଟଙ୍କା ଆଦାୟ କରାଯିବ  । ଦୋକାନୀ ମାନେ ମଧ୍ୟ ମାସ୍କ ପିନ୍ଧି ନଥିବା ଗରାଖଙ୍କୁ ସଉଦା ଦେବେ ନାହିଁ  । କଳାବଜାରୀ ଓ ଅଧିକ ଦାମ୍ ରେ ଜିନିଷ ବିକ୍ରି କରୁଥିଲେ କାର୍ଯ୍ୟାନୁଷ୍ଠାନ ହେବ  । ବାହାର ଫେରନ୍ତା ଯେ କୌଣସି ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନ୍ ରେ ରଖାଯିବ  । ଚୋରା ମଦ ଉପରେ ତୀକ୍ଷ୍ଣ ନଜର ରଖାଯିବ ଓ ବିକୁଥିବା ବ୍ୟକ୍ତିଙ୍କୁ ମଧ୍ୟ ୧୪ ଦିନିଆ କ୍ବାରେଣ୍ଟାଇନ୍ ରେ ରଖାଯିବ  । ଲକ୍ ଡାଉନ୍ କୁ ସମସ୍ତେ ଯେପରି ଆଗ୍ରହର ସହିତ ମାନିବେ ସେଥିପାଇଁ ସରପଞ୍ଚମାନେ ଲୋକଙ୍କୁ ବୁଝାଇବେ  ।
ଆଲୋଚନାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେ ୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ