କରୋନା ମାଡରେ ନୀରବି ଯାଇଛି ଅରଟ

କରୋନା ମାଡରେ ନୀରବି ଯାଇଛି ଅରଟ

ଓଡିଶା ଜିଲ୍ଲା ପୁରୀ ବଡ ଖବର ରାଜ୍ୟ

#କରୋନା_ମାଡରେ_ନୀରବି_ଯାଇଛି_ଅରଟ         ପିପିଲି  : ( ବିଜୟ କୁମାର ମହାପାତ୍ର )  ଓଡିଶାର ପ୍ରମୁଖ କୁଟୀରଶିଳ୍ପ ତନ୍ତ ଓ ବୟନଶିଳ୍ପ ଉପରେ ବଡ ପ୍ରଭାବ ପକାଇଛି କରୋନା । ଫନୀ ଦାଉରୁ ନିଜ ଶିଳ୍ପକୁ ସମ୍ଭାଳିବାକୁ ଚେଷ୍ଟା କରି ଆସୁଥିବା ବୁଣାକାରଙ୍କ ପାଇଁ କରୋନା ଏବେ ବେଡି ଉପରେ କରୋନା ମାଡ ସଦୃଶ ହୋଇଛି । ଫଳରେ କାମ ହରାଇ ହାତ ବାନ୍ଧି ବସିଛନ୍ତି ଶହ ଶହ ବୁଣାକାର ପରିବାର ।

ପିପିଲି ନିକଟବର୍ତ୍ତି ମୌଜିବେଗ, ନୂଆହାଟ, ସାହାଡାପଡା, ନାହାମଙ୍ଗପାଟଣା, ଖଣ୍ଡାୟତପାଟଣା, ତେରହଳ, ଗୋପୀନାଥପୁର, ବାଙ୍ଗୁରୁଷ ପାଟଣା, ଖିରିଖିଆ ଭଳି ଗାଁରେ ବୁଣାକାରମାନେ ଏହି ତନ୍ତ ଶିଳ୍ପ ଉପରେ ନିର୍ଭରଶୀଳ । ଏହି ଆୟରୁ ସେମାନଙ୍କ ପରିବାର ପ୍ରତିପୋଷଣ ସମ୍ଭବ ହୁଏ । କିନ୍ତୁ କରୋନା ଏମାନଙ୍କ ପାଇଁ ଆର୍ଥିକ ବିପତ୍ତି ଛିଡା କରିଛି । ଅରଟର ଚକ ବୁଲିଲେ ଏମାନଙ୍କ ଘରେ ଚୁଲି ଜଳେ । କିନ୍ତୁ ସଂଗୀନ ସ୍ଥିତିରେ ଏବେ ସ୍ଥାନୀୟ ଅଞ୍ଚଳର ଶହ ଶହ ବୁଣାକାର । ଅଖଚକ ସବୁ ବନ୍ଦ ହୋଇଯିବା ପରେ, ହାତ ବାନ୍ଧି ବସିଛନ୍ତି ବୁଣାକାର ମାନେ । ତାଲାବନ୍ଦର ପ୍ରଭାବରେ ଏମାନଙ୍କ ପାଖରେ ନା ସୂତା ପହଞ୍ଚି ପାରୁଛି, ନା ଏମାନେ ବୁଣିଥିବା ଲୁଗା ଗାମୁଛା ବଜାରକୁ ଯାଇପାରୁଛି । ଯାହାକୁ ନେଇ ବିରାଟ ଆର୍ଥିକ କ୍ଷତିର ସାମ୍ନା କରୁଛନ୍ତି ଏମାନେ ।

ଲୁଗା ଗାମୁଛା ଓ ପାଟଶାଢ଼ୀ ବୁଣିବା ଏମାନଙ୍କ ମୁଖ୍ୟ ବେଉସା । କରୋନା ପ୍ରଭାବ ପାଇଁ ନିର୍ମାଣ ଶ୍ରମିକଙ୍କ ଠାରୁ ନେଇ ରାସନକାର୍ଡ ଧାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସରକାର ପ୍ୟାକେଜ୍ ଘୋଷଣା କରିଥିବା ବେଳେ ଏଥିରୁ ବାଦ ପଡିଛନ୍ତି ବୁଣାକାର । ଯାହାକୁ ନେଇ କ୍ଷୋଭ ପ୍ରକାଶ ପାଇଛି । ଲକ୍ ଡାଉନ ଉଠିବା ପରେ ବୟନଶିଳ୍ପ ଏକ ବିରାଟ ଆର୍ଥିକ କ୍ଷତି ଆଡକୁ ମୁହାଁଇବା ଥୟ । ଏମିତି ସ୍ଥିତିରେ ସରକାର ବୁଣାକାରଙ୍କ ସ୍ୱାର୍ଥ ପ୍ରତି ଧ୍ୟାନ ଦେଇ ପ୍ୟାକେଜ୍ ଘୋଷଣା କରିବାକୁ ବୁଣାକାର ଜମ୍ବେଶ୍ୱର ବେହେରା ଦାବି କରିଛନ୍ତି ।