କରୋନା ଭାଇରସର ପ୍ରତିକାର ପାଇଁ  ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଓଡିଶା ବଡ ଖବର ମହାନଗର

#କରୋନା_ଭାଇରସର_ପ୍ରତିକାର_ପାଇଁ _ମୁଖ୍ୟମନ୍ତ୍ରୀଙ୍କ_ନିବେଦନ  ଭୁବନେଶ୍ୱର : କରୋନା ଭାଇରସର ପ୍ରତିକାର ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ କରୋନାର କୌଣସି ଟୀକା ବା ଔଷଧିୟ ଚିକିତ୍ସା ନଥିବା କାରଣରୁ ଏହାର ସଫଳ ପ୍ରତିରୋଧ ପାଇଁ ପ୍ରତ୍ୟେକ ସ୍ତରରେ ସମ୍ମିଳିତ ପ୍ରଚେଷ୍ଟା ଆବଶ୍ୟକ ।

ସେ କହିଛନ୍ତି ଯେ, ନିଜକୁ ଓ ନିଜ ପରିବାରର ସଦସ୍ୟଙ୍କୁ ଏହି ମହାମାରୀ ଠାରୁ ସୁରକ୍ଷିତ ରଖିବା ପାଇଁ ଆମ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ପ୍ରତିବଦ୍ଧ ଓ ପାରିବାରିକ ସ୍ତରରେ ଦାୟିତ୍ୱସମ୍ପନ୍ନ ହେବାକୁ ପଡ଼ିବ । ଏଥିରେ ଆମକୁ ବ୍ୟକ୍ତିଗତ ଭାବରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ବା କୌଣସି ପରିବାରକୁ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିପାରେ । ମାତ୍ର ଅସାଧାରଣ ପରିସ୍ଥିତିରେ ଆମ୍ଭମାନଙ୍କ ଠାରୁ ଅସାଧାରଣ ପ୍ରଦର୍ଶନର ଆବଶ୍ୟକ ପଡ଼ିଥାଏ । ମୋର ବିଶ୍ୱାସ ଆମେ ଚାରିକୋଟି ଓଡ଼ିଶାବାସୀ ଏକତ୍ର ହୋଇ ଆମ ରାଜ୍ୟରେ ଏହି ରୋଗ ସଂକ୍ରମଣକୁ ପ୍ରତିହତ କରିପାରିବା ।

ସେ କହିଛନ୍ତି ଯେ ସାମାଜିକ ଜନସମାଗମରେ ଲୋକଙ୍କ ଠାରୁ ଦୂରେଇ ରହିବା ହେଉଛି କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ସବୁଠାରୁ ଫଳପ୍ରଦ ଉପାୟ । ଆମେ ସମସ୍ତେ ଧାର୍ମିକ ଉତ୍ସବ, ବିବାହ ବ୍ରତ ଆଦି ସାମାଜିକ ଜନସମାଗମ ଠାରୁ ଦୂରରେ ରହିବା ଉଚିତ୍ । ଘର ଭିତରେ ରହିବା, ଜନଗହଳିକୁ ବର୍ଜନ କରିବା ଓ ଅନ୍ୟମାନଙ୍କ ସହ ମିଳାମିଶାକୁ କମ୍ କରିବା ଦ୍ୱାରା ଏ ରୋଗର ଆଶଙ୍କାକୁ ଯଥେଷ୍ଟ ପରିମାଣରେ ହ୍ରାସ କରାଯାଇପାରେ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ହାତ ଧୋଇବା ସହ ବ୍ୟକ୍ତିଗତ ସ୍ତରରେ ଅନ୍ୟମାନଙ୍କୁ ପ୍ରବର୍ତାଇବା ଏବଂ ଗୁଜବ ଠାରୁ ଦୂରେଇ ରହିବା ଆବଶ୍ୟକ । ଏହାକୁ ନେଇ ଆମେ ସମସ୍ତେ ପ୍ରସ୍ତୁତ ରହିବା କିନ୍ତୁ ଭୟଭୀତ ହେବାନାହିଁ ବୋଲି ସେ ଆହ୍ୱାନ ଜଣାଇଛନ୍ତି ।