୧୪ ଜିଲ୍ଲାରେ ଲକ୍‌ଡାଉନ୍‌ ବସ୍‌, ଟ୍ରେନ୍‌ ଚଳାଚଳ ବନ୍ଦ

କରୋନାକୁ ନକ୍‌ ଡାଉନ ପାଇଁ ଲକ୍‌ ଡାଉନ୍‌ : ବାଗଚୀ

ଓଡିଶା ବଡ ଖବର ମହାନଗର ରାଜ୍ୟ

#କରୋନାକୁ_ନକ୍‌_ଡାଉନ_ପାଇଁ_ଲକ୍‌_ଡାଉନ୍‌        ଭୁବନେଶ୍ୱର : ‘କରୋନା’ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ରବିବାର ଠାରୁ ୨୯ତାରିଖ ରାତି ୯ଟା ପର୍ଯ୍ୟନ୍ତ ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରରେ ଲକ୍ ଡାଉନ ଘୋଷଣା କରିଛନ୍ତି। ଓଡ଼ିଶାର ପ୍ରାୟ ୪୦% ଅଞ୍ଚଳରେ ଏହି ଲକ ଡାଉନ୍ ହେଉଛି। କରୋନାକୁ ନକ୍‌ ଡାଉନ୍ କରିବା ପାଇଁ ଏହି ଲକ୍‌ ଡାଉନର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଶନିବାର ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କରୋନାକୁ ନକ୍ ଡାଉନ୍ କରିବା ପାଇଁ ଏହି ଲକ୍ ଡାଉନର ଆବଶ୍ୟକତା ରହିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଏହି ପଦକ୍ଷେପ ହେଉଛି ଏକ ସୁଚିନ୍ତିତ ପଦକ୍ଷେପ। ରାଜ୍ୟର ୪୦% ଅଞ୍ଚଳରେ ତାଲା ବନ୍ଦ ପରିସ୍ଥିତି ରହିବ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ପୂର୍ବ ଭଳି ଚାଲିବ। ଏହି ଲକଡାଉନ୍ ମାଧ୍ୟମରେ ଲୋକେ ନିଜକୁ ସୁରକ୍ଷିତ ରଖିପାରିବେ। ମଣିଷ ବଞ୍ଚିଲେ ହିଁ ସ୍ଥିରତା ଆସିପାରିବ। ନିଜକୁ ସୁରକ୍ଷିତ ରଖିବା ସହ ପରିବାର, ଜାତି ଓ ଦେଶକୁ ସୁରକ୍ଷିତ ରଖିବା ପ୍ରତ୍ୟେକ ନାଗରିକର ଦାୟିତ୍ୱ। ଏହି ଲକଡାଉନ୍ ସମୟରେ ସମସ୍ତଙ୍କୁ ବ୍ୟକ୍ତିଗତ ଦାୟିତ୍ୱ ତୁଲାଇବାକୁ ପଡ଼ିବ। ଆମ ଉପରେ ନିର୍ଭରଶୀଳ ଗରିବ ଲୋକମାନଙ୍କ ଦାୟିତ୍ୱ ମଧ୍ୟ ମାନବିକତା ଦୃଷ୍ଟିରୁ ଗ୍ରହଣ କରିବା ଉଚିତ୍ ବୋଲି ଶ୍ରୀ ବାଗଚୀ କହିଛନ୍ତି। ଅବଶ୍ୟ ଲକ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକ ଦ୍ରବ୍ୟ ସଂଗ୍ରହ ପାଇଁ ସାଧାରଣ ଲୋକମାନେ ବାହାରକୁ ଯାଇପାରିବେ। ହସ୍ପିଟାଲ, ବ୍ୟାଙ୍କ, ଏଟିଏମ୍‌, ପୌର ସେବା, ପୁଲିସ, ଅଗ୍ନିଶମ, ଓଡ୍ରାଫ, ପାନୀୟ ଜଳ, ବିଦ୍ୟୁତ ସେବା ସମେତ ଏସବୁ ସେବା ସହ ଜଡ଼ିତ ଥିବା ଘରୋଇ ଅଫିସଗୁଡ଼ିକ ମଧ୍ୟ ଖୋଲା ରହିବ । ତେବେ ଲକଡାଉନ୍ ନିୟମକୁ ଅମାନ୍ୟ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାରଣ ସମସ୍ତେ ସୁସ୍ଥ ରହିବାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି।ଓଡ଼ିଶାରେ ଲକ୍ ଡାଉନ୍ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ଯଥାର୍ଥ ବୋଲି ଦର୍ଶାଇ ଶ୍ରୀ ବାଗଚୀ କହିଛନ୍ତି ଯେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆମେରିକାର ଆର୍ଥିକ ପ୍ରଦେଶ କାଲିଫର୍ଣ୍ଣିଆରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଯେଉଁଥିପାଇଁ ପ୍ରାୟ ସେହି ପ୍ରଦେଶର ୪ କୋଟି ଲୋକେ ପ୍ରଭାବିତ ହେବେ।

ସେ କହିଛନ୍ତି, ରାଜ୍ୟରେ ମୋଟ ୭୭ଟି ନମୂନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସନ୍ଧ୍ୟା ସୁଦ୍ଧା ସମସ୍ତ ରିପୋର୍ଟ ହସ୍ତଗତ ହୋଇଛି। ସେଥିରୁ ୭୫ଟି ନେଗେଟିଭ୍‌ ଥିବା ବେଳେ ୨ଟି ପଜିଟିଭ୍ ଚିହ୍ନଟ ହୋଇଛି। ଓଡ଼ିଶାରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେହି ଦୁଇ ରୋଗୀଙ୍କ ସଂସ୍ପର୍ଶରେ ଏବେସୁଦ୍ଧା ଆସିଥିବା ମୋଟ ୫୬ ଜଣଙ୍କ ମଧ୍ୟରୁ ୫୩ ଜଣଙ୍କ ସହ ଯୋଗାଯୋଗ ହୋଇଥିବାବେଳେ ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ପ୍ରୟାସ କରାଯାଉଛି। ଏଥିପାଇଁ ୯ଟି ମନଟରିଂ ଟିମ୍ କାର୍ଯ୍ୟ କରୁଛନ୍ତି। ଏବେସୁଦ୍ଧା ବିଦେଶରୁ ଫେରିଥିବା ମୋଟ ୩୨୩୬ ଜଣ ଲୋକ ପଞ୍ଜିକରଣ କରିଛନ୍ତି। ସେମାନଙ୍କୁ ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି।କୋଭିଡ୍ -୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୨୩ ଜଣଙ୍କୁ ବିଭିନ୍ନ ଡାକ୍ତରଖାନାର ଆଇସୋଲେସନରେ ରଖାଯାଇଛି ବୋଲି ଶ୍ରୀ ବାଗଚୀ କହିଛନ୍ତି।