କଟକ ଏସସିବିରେ କୋଭିଡ଼ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟିତ, ମାଗଣାରେ ଉପଲବ୍ଧ ହେବ ପ୍ଲାଜମା ଥେରାପି

କଟକ ଏସସିବିରେ କୋଭିଡ଼ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟିତ, ମାଗଣାରେ ଉପଲବ୍ଧ ହେବ ପ୍ଲାଜମା ଥେରାପି

ଓଡିଶା ବଡ ଖବର

#କଟକ_ଏସସିବିରେ_କୋଭିଡ଼_ପ୍ଲାଜମା_ବ୍ୟାଙ୍କ_ଉଦ୍ଘାଟିତ             ଭୁବନେଶ୍ୱର    :   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଗୁରୁତର କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ କଟକ ଏସ.ସି.ବି ମେଡ଼ିକାଲ କଳେଜରେ କୋଭିଡ଼ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ କରିଛନ୍ତି । ଏହାଦ୍ୱାରା ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ କରଥବବା ଦେଶର ସ୍ୱଳ୍ପ କେତେକ ରାଜ୍ୟ ମାନଙ୍କ କ୍ଳବ୍ରେ ଓଡ଼ିଶା ସାମିଲ ହୋଇପାରିଛି । ଦିଲ୍ଲୀ ଓ ମହାରାଷ୍ଟ୍ର ପରେ ଏହି ବ୍ୟବସ୍ଥା ଗ୍ରହଣ କରିବାରେ ଓଡ଼ିଶା ହେଉଛି ଦେଶର ତୃତୀୟ ରାଜ୍ୟ ।
ପ୍ଲାଜମା ବ୍ୟାଙ୍କକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଓ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ମୁଁ ଓ ମୋ ସରକାର ପାଇଁ ପ୍ରତ୍ୟେକ ବ୍ୟକ୍ତିର ଜୀବନ ହେଉଛି ସବୁଠାରୁ ମୂଲ୍ୟବାନ ଏବଂ ଆମର ଲୋକ ମାନଙ୍କର ଜୀବନ ବଂଚାଇବା ପାଇଁ ରାଜ୍ୟ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛି । ମୁଁ ଘୋଷଣା କରିବାକୁ ଚାହେଁ ଯେ, ଓଡ଼ିଶାର ଜନସାଧାରଣଙ୍କ ପାଇଁ ପ୍ଲାଜମା ଥେରାପି ବିନା ମୂଲ୍ୟରେ ଉପଲବ୍ଧ ହେବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର କୌଣସି ବ୍ୟକ୍ତିଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧାରୁ ବଂଚିତ ହେବାକୁ ଦିଆଯିବ ନହିଁ । ଏହା ହେଉଛି ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତା ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଥିଲେ ।
ରାଜ୍ୟର ଡାକ୍ତରମାନଙ୍କ ଦକ୍ଷତା ଓ ନିଷ୍ଠାକୁ ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ବର୍ତମାନର କୋଭିଡ଼ ସମୟରେ ଆମର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଯେଉଁ କଠିନ ପରିଶ୍ରମ କରି ଲୋକଙ୍କୁ ଶ୍ରେଷ୍ଠ ସେବା ଯୋଗାଇ ଦେଉଛନ୍ତି ତାର ତୁଳନା ନାହିଁ । ଆମେ ସେମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ମନୋବଳ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଥିଲେ ।
ଆଜି ସ୍ୱେଚ୍ଛାକୃତ ଭାବରେ ୪ ଜଣ ସେମାନଙ୍କ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଥିଲେ, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । କୋଭିଡ଼ ରୋଗରୁ ମୁକ୍ତ ହୋଇଥିବା ବ୍ୟକ୍ତି ମାନଙ୍କୁ ସେମାନଙ୍କ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବାକୁ ସେ ନିବେଦନ କରିଥିଲେ । ଏହାଦ୍ୱାରା ଗୁରୁତର ରୋଗୀ ମାନଙ୍କ ଚିକିତ୍ସା କ୍ଷେତ୍ରରେ ଆମେ ବହୁତ ଅଗ୍ରଗତି କରିପାରିବୁ ବୋଲି ସେ କହିଥିଲେ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଆଶା ପ୍ରକାଶ କରିଥିଲେ ଯେ ଗୁରୁତର ରୋଗୀ ମାନଙ୍କ ସଫଳ ଚିକିତ୍ସା କ୍ଷେତ୍ରରେ ଏହି ଥେରାପି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି. କେ. ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଏସ.ସି.ବି ମେଡ଼ିକାଲ କଲେଜର ଅଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପଙ୍କଜ କୁମାର ବେହେରା, ଡ. ଚିଦ୍ ଭୂଷଣ ପଣ୍ଡା, ମନୋଜ କୁମାର ବରାଳ ଏବଂ ଅବିନାଶ ରାଉତ ହେଉଛନ୍ତି ରାଜ୍ୟର ପ୍ରଥମ ୪ ଜଣ ପ୍ଲାଜମା ଦାତା । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସମେତ ଆଉ ୧୨ ଜଣ କୋଭିଡ଼ ରୋଗମୁକ୍ତ ବ୍ୟକ୍ତି ଏହି ମିଶନରେ ଯୋଗଦାନ କରି ସେମାନଙ୍କ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସେମାନଙ୍କୁ ଶୁଭ କାମନା କରିଥିଲେ ।
ପ୍ଲାଜମା ଥେରାପି ପାଇଁ ଏସ.ସି.ବି ମେଡ଼ିକାଲ କଲେଜ ଏକ ନୋଡ଼ାଲ ଏଜେନସି ଭାବରେ କାର୍ଯ୍ୟ କରିବା ସହିତ ଭୁବନେଶ୍ୱରର ସମ୍ ଓ କିମ୍ସ ହସ୍ପିଟାଲ ଏବଂ କଟକର ଅଶ୍ୱିନୀ ହସ୍ପିଟାଲ ପ୍ଲାଜମା ଥେରାପି ଜରିଆରେ ଗୁରୁତର ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବେ ।
ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର, ଶ୍ରମ ଓ ଇ.ଏସ.ଆଇ ବିଭାଗର ପ୍ରମୁଖ ସଚିବ, ଇଟି ଓ ଆଇଟି ସଚିବ ଏବଂ ଏସ.ସି.ବି ମେଡ଼ିକାଲ କଲେଜର ପ୍ରଫେସର ଓ ଡାକ୍ତରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।