ଓଡ଼ିଶାର ଟିକସ ଭାଗ ହ୍ରାସ ନେଇ ଉଦବେଗ

ଓଡିଶା ବଡ ଖବର

ଭୁବନେଶ୍ୱର :  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ସାଧାରଣ ବଜେଟ ଉପରେ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୦-୨୧ ଆର୍ଥିକ ବର୍ଷର ସାଧାରଣ ବଜେଟର  କେତେକ ବ୍ୟବସ୍ଥାକୁ ସେ ସ୍ବାଗତ କରିଥିବା ବେଳେ ଆଉ କେତେକକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।

ବଜେଟରେ କୃଷି ଉପରେ ଗୁରୁତ୍ୱ ଦିଆଯାଇଥିବାରୁ  ତାହାକୁ ମୁଖ୍ୟମନ୍ତ୍ରୀ  ସ୍ୱାଗତ କରିଛନ୍ତି । କୃଷି ରେଲ୍ ଓ କୃଷି ଉଡାଣ ଭଳି ବ୍ୟବସ୍ଥା ଦ୍ୱାରା କୃଷିଜାତ ସାମଗ୍ରୀର ଶୀତଳ ଭଣ୍ଡାର ସୁବିଧା ସହ ପରିବହନକୁ ସେ ସ୍ବାଗତ କରିବା ସହ  ପିଏମ-କୁସୁମ ଯୋଜନାରେ ୨୦ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ଯୋଗାଣ ଏକ ଭଲ ପଦକ୍ଷେପ ବୋଲି କହିଛନ୍ତି । ଅନ୍ୟପକ୍ଷରେ କର୍ପୋରେଟ ଜଗତ ପାଇଁ ଟିକସ ରିହାତି ଦେବାକୁ ଓଡ଼ିଶା ଦାବି କରିଥିଲା, ଏହାକୁ ଗ୍ରହଣ କରାଯାଇଛି  । କମ୍ପାନିମାନଙ୍କ ପାଇଁ ବଜେଟରେ ଟିକସ ରିହାତି ଘୋଷଣା କରାଯାଇଥିବାରୁ ତାହା ସ୍ୱାଗତଯୋଗ୍ୟ ବୋଲି ସେ କହିଛନ୍ତି ।

ସେହିପରି ବ୍ୟାଙ୍କ ଜମା ବୀମା ପରିମାଣ ୧ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯିବା ଓ ନୂଆ ଶିକ୍ଷାନୀତି ପ୍ରଣୟନ ଏକ ସକାରାତ୍ମକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।ଅନ୍ୟପକ୍ଷରେ କେତେକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି । ସବୁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ବ୍ୟୟବରାଦ ପରିମାଣ ହ୍ରାସ ପାଇଛି । ସରକାରଙ୍କ କେନ୍ଦ୍ରୀୟ ଟିକସ ସଂଗ୍ରହ ୫୯ ହଜାର କୋଟି ହ୍ରାସ ପାଇଛି । ଏହା ଦ୍ୱାରା ଓଡ଼ିଶାର ଭାଗ ପ୍ରାୟ ୩ ହଜାର କୋଟି କମିବ । ପ୍ରାଚୀନ ଐତିହ୍ୟର ବିକାଶ କରି ତାହାକୁ ପ୍ରତିଷ୍ଠିତ ସ୍ଥଳୀରେ ପରିଣତ କରିବା କ୍ଷେତ୍ରରେ ଓଡ଼ିଶାର କୌଣସି ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇ ନଥିବାରୁ ସେ ନିରାଶା ପ୍ରକଟ କରିଛନ୍ତି । ପାନୀୟ ଜଳ ଏକ ଜାତୀୟ ଅଗ୍ରାଧିକାର କ୍ଷେତ୍ର ହୋଇଥିବାରୁ ସେଥିପାଇଁ ବ୍ୟୟବରାଦ ହ୍ରାସ ଚିନ୍ତାର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି।