ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତି ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ

ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତି ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ

ଓଡିଶା ବଡ ଖବର ମନୋରଞ୍ଜନ ମହାନଗର

#ଓଡ଼ିଆ_ଚଳଚ୍ଚିତ୍ର_ଜଗତର_କିମ୍ବଦନ୍ତି_ଅଭିନେତା_ବିଜୟ_ମହାନ୍ତିଙ୍କ_ପରଲୋକ       ଭୁବନେଶ୍ବର :    ଓଡିଆ ଚଳଚିତ୍ର ଜଗତର କିମ୍ବଦନ୍ତି ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି। ଓଡ଼ିଆ ଦର୍ଶକଙ୍କୁ ଦୀର୍ଘ ପାଞ୍ଚ ଦଶକ ଧରି ନିଜ ଅଭିନୟର ମାୟାରେ ବାନ୍ଧି ରଖିଥିବା ସେହି ଅପ୍ରତିନ୍ଦ୍ବନ୍ଦ୍ବୀ ଅଭିନେତାଙ୍କର  ସୋମବାର ସଂଧ୍ୟାରେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ  ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।

ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରତର ହେବାରୁ ତାଙ୍କୁ ସୋମବାର ସଂଧ୍ୟାରେ ଭୁବନେଶ୍ୱରସ୍ଥିତ କେୟାର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ କିଛିଦିନ ଧରି ସେ କେୟାର ହସପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଘରକୁ ଯିବାକୁ ଇଚ୍ଛା କରିବାରୁ ତାଙ୍କୁ କିଛିଦିନ ତଳେ ସହିଦ ନଗରସ୍ଥିତ ଆପାର୍ଟମେଣ୍ଟକୁ ଅଣାଯାଇଥିଲା । ଆଜି ପୁଣି ସେ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ତାଙ୍କୁ କେୟାର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ମାସରେ ତାଙ୍କୁ ହାଇଦ୍ରାବାଦର ଏକ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଗତ ୪/୫ ବର୍ଷ ହେବ ସେ ହାଇଦ୍ରାବାଦରେ ଥିବା ତାଙ୍କ ଝିଅ ପାଖରେ ରହୁଥିଲେ ।

କେବେ ନାୟକ, କେବେ ଖଳନାୟକ ପୁଣି କେବେ ହାସ୍ୟାଭିନେତା, ସବୁ ଚରିତ୍ରରେ ନିଖୁଣ ଅଭିନୟ ଥିଲା ବିଜୟଙ୍କ ସ୍ବକୀୟତା। ଅଭିନୟ ବେଳେ ଚରିତ୍ର ତାଙ୍କ ଭିତରେ ହଜି ଯାଉଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ଆଜି ତାଙ୍କ ପରଲୋକ ରେ ଓଡିଆ ଚଳଚ୍ଚିତ୍ର ଜଗତରେ ଗୋଟିଏ ଯୁଗର ଅବସାନ ଘଟିଛି। ସେ ଥିଲେ ଏକାଧାରରେ ଅଭିନେତା, ନିର୍ଦ୍ଦେଶକ, ଅଧ୍ୟାପକ ଏବଂ ରାଜନେତା। ଯେଭଳି ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ଠିକ ସେମିତି ସେ ଜୀବନରେ ଭିନ୍ନ ଭିନ୍ନ କ୍ଷେତ୍ରରେ ପାଦ ରଖି ନିଜକୁ ପରଖିଛନ୍ତି। ସିନେ-ଅଭିନୟ ବ୍ୟତୀତ ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟାପନା କରିଛନ୍ତି ଏବଂ ଶେଷରେ ରାଜନୀତି ଯୋଗ ଦେଇ ନିର୍ବାଚନ ଲଢ଼ିଛନ୍ତି। ବିଜୟଙ୍କୁ ଆଜି ଓଡ଼ିଶାର କଳା ଜଗତ ଯେତିକି ଝୁରୁଛି ତା’ଠାରୁ ଅଧିକ ଝୁରୁଛନ୍ତି ତାଙ୍କର ଲକ୍ଷଲକ୍ଷ ପ୍ରଶଂସକ ଓ ଦର୍ଶକ। ମନଛୁଆଁ ଅଭିନୟ ମାଧ୍ୟମରେ ଗାଁଠୁ ସହର ସବୁଠି ଲୋକଙ୍କ ମନ ଜିଣିଛନ୍ତି ବିଜୟ। ‘ଚିଲିକା ତୀରେ’ରୁ ନେଇ ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘ନାୟକର ନାମ ଦେବଦାସ’ ଯାଏଁ ଶତାଧିକ ସିନେମାରେ ତାଙ୍କର ଅଭିନୟ ବିଜୟଙ୍କୁ ସଦା ଦର୍ଶକଙ୍କ ମନରେ ଜୀବନ୍ତ କରି ରଖିବ।

୧୯୭୭ ମସିହାରେ ବିଜୟ ଚିଲିକା ତୀରେ ଚଳଚିତ୍ର ଜରିଆରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହି ଚଳଚିତ୍ରଟି ସେତେବେଳେ ଜାତୀୟ ପୁରସ୍କାର ପାଇଥିଲା । ଏହାପରେ ସେ ନାଗଫାଶ, ସମୟ ବଡ଼ ବଳବାନ, ଦଣ୍ଡାବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ, ଚକାଆଖି ସବୁ ଦେଖୁଛି ଆଦି ଫିଲ୍ମରେ ଅଭିନୟ ପରି ପ୍ରସିଦ୍ଧି ପାଇଥିଲେ ।ଏହାପରେ ସେ ଆରତୀ, ମମତା ମାଗେ ମୂଲ, ଏଇ ଆମ ସଂସାର, ଆମଘର ଆମ ସଂସାର, କିହେବ ଶୁଆ ପୋଶିଲେ, ଭୀଷ୍ମ ପ୍ରତିଜ୍ଞା, ଭାଇ ହେଲା ଭଗାରୀ  ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ରାକ୍ଷୀ ଭିଜିଗଲା ଆଖି ଲୁହରେ ପରି ବହୁ ଚଳଚିତ୍ରରେ ଅଭିନୟ କରିଥିଲେ । ସେ ଅଭିନୟ ସହ ନିର୍ଦେଶନା କ୍ଷେତ୍ରକୁ ମଧ୍ୟ ଓହ୍ଲାଇଥିଲେ । ଭୂଲି ହୁଏନା ନାମକ ଏକ ଚଳଚିତ୍ରର ସେ ନିର୍ଦେଶନା ଦେଇଥିଲେ ।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗରେ ସେ ପ୍ରଫେସର ଭାବରେ ୧୯୭୭ ମସିହାରେ ଯୋଗ ଦେଇଥିଲେ । ଏହା ସହ ଦୂରଦର୍ଶନରେ ଆଶାର ଆଲୋକ, ଶ୍ରୀଜଗନ୍ନାଥ, ସୁଭଦ୍ରା, ସାରା ଆକାଶ, ସମୟ ଚକ, ସକାଳର ଅପେକ୍ଷାରେ, ନଦେଖିଲା ଲୋକ ଦେଖ, ମହାଯଜ୍ଞ, ବିଧାତାର ଖେଳ ପରି ଧାରାବାହିକରେ ଅଭିନୟ କରିଥିଲେ ।

 

ଅଧ୍ୟାପନା, ଅଭିନୟ, ନିର୍ଦେଶନା ସହ ସେ ରାଜନୀତିରେ ମଧ୍ୟ କିଛିକାଳ ସକ୍ରିୟ ହୋଇଥିଲେ । ୨୦୧୪ ଫେବ୍ରୁଆରୀ ମାସରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ଓ ଭୁବନେଶ୍ବର ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ମାତ୍ର ନିର୍ବାଚନରେ ପରାଜିତ ହେବା ପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । 

ତାଙ୍କର ଅଭିନୟ ଜୀବନରେ ସେ ଅନେକ ପୁରସ୍କାର ଓ ସମ୍ମାନ ପାଇଥିଲେ । ୨୦୧୪ରେ ଜୟଦେବ ପୁରସ୍କାର ସହ ୬ଥ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଥିଲେ । ୧୯୮୧ରେ ଆରତୀ, ୧୯୮୫ରେ ମମତା ମାଗେ ମୂଲ, ୧୯୮୬ରେ ଏଇଆମ ସଂସାର , ୧୯୯୩ ଭୀଷ୍ମ ପ୍ରତିଜ୍ଞା, ୧୯୯୪ରେ ଭାଇ ହେଲା ଭଗାରୀ ଆଦି ଫିଲ୍ମ ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଥିଲେ । ଏହାବ୍ୟତୀତ  ଦଶକର ଶ୍ରେଷ୍ଠ ଅଭିନେତା ଭାବରେ ୧୯୮୭ରେ ଓଡ଼ିଶା ସିନେ କ୍ରିଟିକ୍ ପୁରସ୍କାର ପାଇଥିଲେ ।