ଓଡ଼ିଶାରେ ଅଟକିଛନ୍ତି ୧୫ ହଜାରରୁ ଉର୍ଦ୍ଧ୍ବ ଲୋକ,ନିୟନ୍ତ୍ରଣ କକ୍ଷରେ ବାସ୍ତବ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ

ଓଡ଼ିଶାରେ ଅଟକିଛନ୍ତି ୧୫ ହଜାରରୁ ଉର୍ଦ୍ଧ୍ବ ଲୋକ,ନିୟନ୍ତ୍ରଣ କକ୍ଷରେ ବାସ୍ତବ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ

ଓଡିଶା ବଡ ଖବର

#ଓଡିଶାରେ_ଅଟକିଛନ୍ତି_୧୫_ହଜାରରୁ_ଉର୍ଦ୍ଧ୍ବ_ଲୋକ       ଭୁବନେଶ୍ୱର   :  ବର୍ତ୍ତମାନ ନିୟନ୍ତ୍ରଣ କକ୍ଷକୁ ମୁଖ୍ୟତଃ କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲ୍ନାଡ଼ୁ, ତେଲେଙ୍ଗାନା ଓ ଗୁଜୁରାଟ ଆଦି ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ଠାରୁ ଟେଲିଫୋନ୍ ଆସୁଛି ଏବଂ ସେସବୁ ବିଷୟରେ ସଂପୃକ୍ତ ରାଜ୍ୟ ପ୍ରଶାସନ ସହ ଯୋଗାଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବର୍ତମାନ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ପ୍ରାୟ ୧୫ ହଜାରରୁ ଊର୍ଦ୍ଧ ଲୋକମାନଙ୍କ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ପାଇଁ ନିମ୍ନୋକ୍ତ ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ୍ ଅଧିକାରୀ ଭାବେ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ  ସୂଚନା ଦେଇଛନ୍ତି ।
ଏହି ନୋଡାଲ୍ ଅଧିକାରୀମାନେ ଗୃହ ବିଭାଗରେ କାର୍ଯ୍ୟ କରୁଥିବା ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ୍ ରୁମ୍) ସହ ସଂଯୋଜିତ ରହିବେ । ନିୟନ୍ତ୍ରଣ କକ୍ଷର ଟେଲିଫୋନ୍ ନମ୍ବର-୦୬୭୪-୨୩୯୨୧୧୫ରେ ଆସୁଥିବା କଲ ଗୁଡ଼ିକର ଅନୁସରଣ କରି ତଦନୁଯାୟୀ ସଂପୃକ୍ତ ରାଜ୍ୟ ସରକାର ଓ ସଂସ୍ଥାମାନଙ୍କ ସହ ଯୋଗାଯୋଗ କରି ସେଠାରେ ଅଟକି ରହିଥିବା ଓଡ଼ିଆମାନଙ୍କ ନିମନ୍ତେ ମୌଳିକ ଆବଶ୍ୟକତାଗୁଡ଼ିକର ବ୍ୟବସ୍ଥା କରାଇବେ ।
ରବିବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ  ଅସିତ୍ ତ୍ରିପାଠୀ ରାଜ୍ୟ ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ସେଠାରେ ବାସ୍ତବ ସ୍ଥିତି ପରଖିଥିଲେ । ନିୟନ୍ତ୍ରଣ କକ୍ଷରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ  ସଂଜୀବ ଚୋପ୍ରା, କୋଭିଡ୍-୧୯ ସ୍ୱତନ୍ତ୍ର ଅଧିକାରୀ  ବିଶାଲ ଦେବ ଓ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ  ଅମିତାଭ୍ ଠାକୁରଙ୍କ ସମେତ ନିୟନ୍ତ୍ରଣ କକ୍ଷରେ କଲ୍ ଗ୍ରହଣ କରୁଥିବା ଅଧିକାରୀମାନଙ୍କ ସହିତ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଆଲୋଚନା କରିଥିଲେ ।
କୋଭିଡ୍-୧୯ ପରିପ୍ରେକ୍ଷୀରେ ସାରା ଦେଶରେ ହୋଇଥିବା ତାଲାବନ୍ଦ (ଲକ୍ ଡାଉନ୍) ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଶାର ଶ୍ରମଜୀବୀ, ଛାତ୍ର, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ସହାୟତା ନିମନ୍ତେ ଓଡ଼ିଶା ସରକାର ସ୍ୱତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା କରିଛନ୍ତି । ଇତି ମଧ୍ୟରେ ରାଜ୍ୟ ନିୟନ୍ତ୍ରଣ କକ୍ଷରେ ବୈଷୟିକ ଆଧୁନିକୀକରଣ କରାଯାଇ ୨୦ଟି ଅଧିକ କଲ୍ ନମ୍ବରର ବ୍ୟବସ୍ଥା କରାଯାଇଛି ।