ଓଡ଼ିଶାରେ ଜାତୀୟ ରାଜପଥର ଅଗ୍ରଗତି ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଆ ସାଂସଦ

ଓଡିଶା ବଡ ଖବର ରାଜ୍ୟ

ନୂଆଦିଲ୍ଲୀ: ଓଡ଼ିଶାରେ କିଭଳି ଜାତୀୟ ରାଜପଥ ନିର୍ମାଣ ସୁଚାରୁ ରୂପେ ହୋଇପାରିବ ସେ ନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଭେଟିଲେ ଓଡ଼ିଆ ସାଂସଦ | କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏବଂ କେନ୍ଦ୍ର ସଡ଼କ ଓ ପରିବହନ ରାଷ୍ଟ୍ର ମନ୍ତ୍ରୀ ଭି.କେ ସିଂହଙ୍କୁ ଓଡ଼ିଆ ସାଂସଦ ଭେଟିଛନ୍ତି | ଏନଏଚଆଇ (ଜାତୀୟ ରାଜପଥ ପ୍ରାଧିକରଣ) ଦ୍ବାରା ଓଡ଼ିଶାରେ ଚାଲିଥିବା ଏକାଧିକ ପ୍ରକଳ୍ପ ନେଇ ଆଲୋଚନା କରିଛନ୍ତି |

ବିଜେଡି ସାଂସଦ ଭର୍ତ୍ତୃହରି ମହତାବ, ଚନ୍ଦ୍ରଶେଖର ସାହୁ, ଚନ୍ଦ୍ରାଣୀ ମୁର୍ମୁ, ସରୋଜିନୀ ହେମ୍ବ୍ରମ, ଡ.ଅମର ପଟ୍ଟନାୟକଙ୍କ ସହ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ଭେଟିଥିଲେ | ସେହିପରି ବିଜେପି ସାଂସଦଙ୍କ ମଧ୍ୟରେ ବସନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ସଙ୍ଗୀତା ସିଂହଦେଓ ପ୍ରମୁଖ ତାଙ୍କୁ ସାକ୍ଷାତ କରିଛନ୍ତି | ଏଠାରେ ସୂଚନା ଥାଉ କି ଜାନୁୟାରୀରେ ମୁଖ୍ୟଶାସନ ସଚିବ ରାଜ୍ୟରେ ଜାତୀୟ ରାଜପଥର ସ୍ଥିତି ଓ ପ୍ରକଳ୍ପ ବାବଦରେ ସମୀକ୍ଷା କରିଥିଲେ |

କ୍ଷେତ୍ର ସ୍ତରରେ କାର୍ଯ୍ୟାନ୍ବୟନ କ୍ଷମତା ବୃଦ୍ଧି କରି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପଗୁଡ଼ିକ ପୂର୍ଣ୍ଣାଙ୍ଗ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଜାତୀୟ ରାଜପଥ ମୁଖ୍ୟ ପ୍ରବନ୍ଧକ ରାମପ୍ରସାଦ ପଣ୍ଡା ଜଣାଇଥିଲେ, ପ୍ରକଳ୍ପଗୁଡ଼ିକ ବାବଦରେ ରାଜ୍ୟ ସରକାରଙ୍କ ସ୍ତରରେ କୌଣସି ସମସ୍ୟା ନାହିଁ। ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି। ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ୩୬୬ କିମି ଜାତୀୟ ରାଜପଥକୁ ୪ ଲେନ୍ ଓ ୬ ଲେନ୍ ବିଶିଷ୍ଟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହିସବୁ ପ୍ରକଳ୍ପ ନିମନ୍ତେ ପ୍ରାୟ ୨୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୭୩ କିମି ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି।