ଇସ୍ପାତ, କୋଇଲା, ଶକ୍ତି ତଥା ଆନୁଷଙ୍ଗିକ ଉର୍ଜା କ୍ଷେତ୍ରରେ ସବୁଠୁ ଅଧିକ ଲାଭବାନ ହେବ ଓଡ଼ିଶା

ଇସ୍ପାତ, କୋଇଲା, ଶକ୍ତି ତଥା ଆନୁଷଙ୍ଗିକ ଉର୍ଜା କ୍ଷେତ୍ରରେ ସବୁଠୁ ଅଧିକ ଲାଭବାନ ହେବ ଓଡ଼ିଶା

ଓଡିଶା ବଡ ଖବର

#ଅଧିକ_ଲାଭବାନ_ହେବ_ଓଡ଼ିଶା           ନୂଆଦିଲ୍ଲୀ   : ଆତ୍ମନିର୍ଭର ଭାରତ ଦୂରଦୃଷ୍ଟି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାଣିଜ୍ୟିକ ଖଣି ପାଇଁ ୪୧ଟି କୋଇଲା ଖଣି ନିଲାମ କରିବା ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ଏହି ଐତିହାସିକ ପଦକ୍ଷେପ ଇସ୍ପାତ, କୋଇଲା, ଶକ୍ତି ତଥା ଆନୁଷଙ୍ଗିକ ଉର୍ଜା କ୍ଷେତ୍ରରେ ସବୁଠୁ ଅଧିକ ଲାଭବାନ ଓଡ଼ିଶା ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କୋଇଲା କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ପାଇଁ ଆଜି ନିଆଯାଇଥିବା ପ୍ରମୁଖ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି । ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓଡ଼ିଶା ଭଳି କୋଇଲା ସମୃଦ୍ଧ ପୂର୍ବ ରାଜ୍ୟ ଗୁଡ଼ିକରେ ବେସରକାରୀ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବ । ଏହାସହ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଉତ୍ପାଦନ ବଢାଇବ, ପ୍ରତିଯୋଗିତା ସୃଷ୍ଟି କରିବ, ସ୍ଥାୟୀ ଖଣି ପାଇଁ ପଥ ପରିଷ୍କାର କରିବ, ଅଧିକ ପୁଞ୍ଜିନିବେଶ ମାଧ୍ୟମରେ ଟେକ୍ନୋଲୋଜି ଏବଂ ସେବା ଯୋଗାଇବା ସହ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ ।

ବାଣିଜ୍ୟିକ କୋଇଲା ଖଣି କ୍ଷେତ୍ରରେ ସବୁଠାରୁ ବଡ ସଂସ୍କାର ଏବଂ ଏହା ସମସ୍ତ ଅଂଶୀଦାରଙ୍କୁ ସଫଳତା ଦେବ । ଏହି ଐତିହାସିକ ପଦକ୍ଷେପ ଦେଶରେ କୋଇଲା ଉତ୍ପାଦନକୁ ବୃଦ୍ଧି କରି ଉର୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବ । ପୂର୍ବ ଭାରତ ବିଶେଷ ଭାବରେ ଆଦିବାସୀ ଅଂଚଳ ଏବଂ ଆକାଂକ୍ଷୀ ଜିଲ୍ଲାକୁ ଭାରତ ବିକାଶର ପ୍ରମୁଖ ସ୍ତମ୍ଭ ରୂପେ ମଧ୍ୟ ରୂପାନ୍ତରିତ କରିବ । ଏହି ପଦକ୍ଷେପ ଶକ୍ତି, ଇସ୍ପାତ ଏବଂ ଖଣି ସମେତ ଅନେକ କ୍ଷେତ୍ର ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ ଏବଂ ଉର୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ବାଟ ଦେଖାଇବ ।

ବାଣିଜ୍ୟିକ ଖଣି ଭାରତରେ କୋଇଲାର ଉପଲବ୍ଧିର ଉନ୍ନତି କରିବା ସହ ପୁଞ୍ଜିନିବେଶ ପ୍ରତି ଆକର୍ଷିତ କରିବ ଓ କୋଇଲା ଗ୍ୟାସିଫିକେସନକୁ ମଧ୍ୟ ବଡ ଗତି ଦେବ । ଏହାବ୍ୟତିତ ଦେଶର ଖାଦ୍ୟ ସୁରକ୍ଷା ଏବଂ ଉର୍ଜା ସୁରକ୍ଷାର ଉଦ୍ଦେଶ୍ୟ ଗୁଡ଼ିକୁ ପୂରଣ କରିବ ଓ ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଅଗ୍ରସର କରାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ସେ କହିଛନ୍ତି ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନିଆଯାଇଥିବା ଏହି ପଦକ୍ଷେପ ଦେଶରେ ୨ ଲକ୍ଷ ୮୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ଯୋଗାଇବ । ନିଲାମ ହେବାକୁ ଥିବା ଖଣି ଗୁଡିକ ବାର୍ଷିକ ରାଜ୍ୟ ସରକାରଙ୍କୁ ୨୦ ହଜାର କୋଟି ରାଜସ୍ୱ ଦେବେ । ସେହିପରି ଭାରତ ସରକାର ୨୦ସୁଦ୍ଧା ୧୦୦ ମିଲିୟନ ଟନ କୋଇଲା ଗ୍ୟାସିଫିକେସନ ଲକ୍ଷ୍ୟ ହାସଲ କରିବା ପାଇଁ ୨୦ ହଜାର କୋଟି ଟଙ୍କା ନିବେଶ କରିବାର ଯୋଜନା ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।