ଆସୁଛି ‘ଅମ୍ପନ’: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ

ଆସୁଛି ‘ଅମ୍ପନ’: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ

ଓଡିଶା ବଡ ଖବର

#ଆସୁଛି_ଅମ୍ପନ_ରାଜ୍ୟର_ବିଭିନ୍ନ_ସ୍ଥାନରେ_ବର୍ଷା_ଆରମ୍ଭ      ଭୁବନେଶ୍ବର  :  ମାଡି ଆସୁଛି  ’ଅମ୍ପନ’ । ବୁଧବାର ମଧ୍ୟାହ୍ନ ବେଳକୁ ଏହା ଓଡ଼ିଶା ଦେଇ ସୁନ୍ଦରବନ ଅଭିମୁଖେ ଯାତ୍ରା କରିବ । ଏହାର ପ୍ରଭାବରେ ଦୀଘା ନିକଟରେ ସମୁଦ୍ର ଅଶାନ୍ତ ହୋଇ ପଡ଼ିଛି ଏବଂ  ଓଡ଼ିଶାର ବିଭିନ୍ନ ସ୍ଥାନ ସହ ପଶ୍ଚିମବଙ୍ଗରେ ବର୍ଷା ଆରମ୍ଭ ହୋଇଛି ।ଅମ୍ପନର ପ୍ରଭାବ ଓଡ଼ିଶାର ପ୍ରାୟ ୧୦ ଜିଲାରେ ଅନୁଭୂତ ହେବ ଏବଂ ୬ ଜିଲାରେ ବର୍ଷା ପ୍ରବଳ ହେବ ।  ରାଜ୍ୟ ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ  ବୁଧବାର ସକାଳଠାରୁ ଓଡିଶାରେ ପବନ ବହିବା ଆରମ୍ଭ ହେବ ।  ଏପରିକି ବିଳମ୍ବିତ ରାତ୍ରରେ ମଧ୍ୟ ହଠାତ ପବନ ହୋଇପାରେ । ବୁଧବାର ଦିନ ୩ ଟା ଯାଏଁ ପବନର ପ୍ରଭାବ ରହିବ ।

 

ସ୍ଥିତିକୁ ଦେଖି ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ବୋଲି ଏସଆରସି କହିଛନ୍ତି ।  ତଳି ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଉଛି । ଚାଳ, ଟାଇଲ ଏବଂ ଆଜବେଷ୍ଟସ ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରଣରେ ପ୍ରାଥମିକତା ଦିଆଯାଉଛି । ଜିଲ୍ଲାପାଳମାନେ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ଅନୁଧ୍ୟାନ କରୁଛନ୍ତି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।  ଆଙ୍ଗଳବାର ଅପରାହ୍ନ ୩ଟା ସୁଦ୍ଧା ପ୍ରାୟ ୩୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।ବୁଧବାର ସକାଳେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ୬ ଜିଲ୍ଲା   ଭଦ୍ରକ, ବାଲେଶ୍ଵର, ଜଗତସିଂହପୁର, କେନ୍ଦ୍ରାପଡା ସମେତ ଯାଜପୁର ଓ ମୟୁରଭଞ୍ଜରେ ଏହାର ପ୍ରଭାବ ଅଧିକ ରହିବା ଆଶଙ୍କା ଅଛି । ଲଗାଣ ବର୍ଷା  ସହ ଜୋରରେ ପବନ ବହିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ବି ଜୋରଦାର କରିଛନ୍ତି । ଏହି ଜିଲ୍ଲାଗୁଡ଼ିକରେ ୧୬ ଓଡ୍ରାଫ, ୧୫ ଏନଡିଆରଏଫ୍, ୨୧୭ ଅଗ୍ନିଶମ ବିଭାଗ, ୭୫ ଓଏଫଡିସି ଟିମକୁ ନିୟୋଜିତ କରାଯାଇଛି । ଏହାସହ ଭୁବନେଶ୍ବରରେ ୫ଟି ଓଡ୍ରାଫ ଏବଂ ୫ ଏନଡିଆରଏଫ୍  ଟିମକୁ ଜରୁରୀ ପରିସ୍ଥିତି ନିମନ୍ତେ ସଜାଗ ରଖାଯାଇଛି  ।ସମୁଦ୍ର ମଧ୍ୟରେ ମାଛ ମାରିବା ଉପରେ କଟକଣା ଜାରି କରିଛନ୍ତି । ଏହାସହ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ।

ବାତ୍ୟା ପ୍ରଭାବରେ  ସମ୍ଭାବ୍ୟ କ୍ଷୟକ୍ଷତି ବାବଦରେ ଏସଆରସି ସତର୍କ କରାଇଛନ୍ତି । ଏସଆରସିଙ୍କ କହିବାନୁସାରେ, ଚାଳଛପର ଆଦି କଚା ଘର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇପାରେ । ତେବେ ପକ୍କା ଘର ସାମାନ୍ୟ କ୍ଷତିଗ୍ରସ୍ତ ହୋଇପାରେ । ଏପରିକି ଇଲେକ୍ଟ୍ରିକ୍ ପୋଲ୍ ମଧ୍ୟ ଭାଙ୍ଗିଯିବାର ସମ୍ଭାବନା ରହିଛି । କଚା ଓ ପକ୍କା ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହୋଇପାରେ । ସେହିପରି ରେଳ ଲାଇନ୍, ପାଣିଟାଙ୍କି ମଧ୍ୟ ସାମାନ୍ୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । କିଛି ସ୍ଥାନରେ ଚାଷକାର୍ଯ୍ୟ, ନଡିଆ, ଆମ୍ବ ଆଦି କ୍ଷତିଗ୍ରସ୍ତ ହୋଇପାରେ ବୋଲି ସେ କହିଛନ୍ତି ।