ବ୍ରହ୍ମପୁର: ବସ୍ରେ ୧୧ କେଭି ବିଦ୍ୟୁତ ତାର ଲାଗିବା ଘଟଣାରେ ମୃତ୍ୟୁ ହୋଇଥିବା ୯ ଜଣଙ୍କୁ ଶୋକାକୂଳ ପରିବେଶ ଭିତରେ ଅନ୍ତିମ ବିଦାୟ ଦିଆଯାଇଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଡଙ୍କଲପାଡୁ ଗାଁ ମଶାଣିରେ ୮ ଜଣଙ୍କର ଚିତା ଗୋଟିଏ ସ୍ଥାନରେ ଜଳି ଥିବା ବେଳେ ଅନ୍ୟ ଜଣକୁ ତାଙ୍କର ଗାଁ ମଶାଣିରେ ସତ୍କାର କରାଯାଇଛି। ତେବେ ୮ ଜଣଙ୍କର ଚିତା ଜଳୁଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ଦେଖାଯାଇଛି।
ସୂଚନାଯୋଗ୍ୟ, ଆଜି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଡଙ୍କଲପାଡୁ ଗାଁର ଏକ ବରପକ୍ଷର ୪୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏକ ବସ୍ରେ ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବା ପାଇଁ କନ୍ୟାଘର (ଶିଖରଡ଼ା) ଅଭିମୁଖେ ଯାଉଥିଲେ। ତେବେ, ଯିବା ବାଟରେ ନେନ୍ଦ୍ରାଜପୁରଠାରେ ବସ୍ଟି ରାସ୍ତାରେ ଅଳ୍ପ ଉଚ୍ଚରେ ଝୁଲି ଥିବା ଏକ ୧୧ କେଭିର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ସମଗ୍ର ବସ୍ରେ ବିଦ୍ୟୁତ୍ କରେଣ୍ଟ୍ ପ୍ରବାହିତ ହୋଇଥିଲା।