କରୋନା ପାଇଁ ଯାଜପୁର ଜିଲ୍ଲାରେ ଲାଗୁହେଲା କଟକଣା

ଭୁବନେଶ୍ୱରରୁ ୨୫ କରୋନା ଆକ୍ରାନ୍ତ ଚିହ୍ନଟ , ୨୩ ଲୋକାଲ କେସ୍

ଓଡିଶା ବଡ ଖବର ମହାନଗର

#ଭୁବନେଶ୍ୱରରୁ_୨୫_କରୋନା_ଆକ୍ରାନ୍ତ_ଚିହ୍ନଟ             ଭୁବନେଶ୍ୱର  :  ଭୁବନେଶ୍ୱରରୁ ସୋମବାର ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩ଟି ହେଉଛି ସ୍ଥାନୀୟ ମାମଲା । ୨ଜଣ ହୋମ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପି ୩୧୪ରେ ପହଂଚିଛି ।ଅନ୍ୟପକ୍ଷରେ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।

୨୩ଟି ସ୍ଥାନୀୟ ମାମଲା ମଧ୍ୟରେ ମେଂଚଶ୍ୱର ପ୍ରତିଦିନ ଅଫିସ ଅଞ୍ଚଳରୁ ୫ଜଣ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବୟସ ଯଥାକ୍ରମେ ୨୨ବର୍ଷ, ୨୬ବର୍ଷ, ୨୮ବର୍ଷ, ୪୫ବର୍ଷ ଓ ୨୩ବର୍ଷ ରହିଛି । ଏହି ୫ଜଣ ନିକଟରେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଏଥିସହ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ମେଞ୍ଚଶ୍ୱର ହାଇସ୍କୁଲ ନିକଟସ୍ଥ ଚକେଇସିଆଣି ଅଂଚଳରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୨୧,୮୦, ୪୫,୪୯ । ଚକେଇସିଆଣି ହାଡବାଇ ବସ୍ତି ଅଞ୍ଚଳରୁ ମଧ୍ୟ ଦୁଇଟି କରୋନା ମାମଲା ସାମ୍ନାକୁ ଆସିଛି । ସେମାନେ ଉଭୟ ମହିଳା ଏବଂ ସେମାନଙ୍କ ବୟସ ୧୭ ଓ ୪୨ ବର୍ଷ । ସେହିପରି ସାମନ୍ତରାପୁର ନୂଆଗାଁ ପେଟ୍ରୋଲ ପମ୍ପ ଅଂଚଳରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି । ଉଭୟ ପୁରୁଷ ଏବଂ ସେମାନଙ୍କ ବୟସ ହେଉଛି ୬୩ ଓ ୩୦ ବର୍ଷ । ଏମାନଙ୍କ ମଧ୍ୟରୁ ଜଣେ କ୍ୱାରେଂଟାଇନ୍ ସେଂଟରର ସେବା ଯୋଗାଣକାରୀ ରହିଛନ୍ତି ।

ଏହା ବ୍ୟତୀତ ପାର୍ସପୋର୍ଟ ଅଫିସ୍ ନିକଟ ବାଲିତୋଟାସାହି ବସ୍ତି ଅଞ୍ଚଳରୁ ୪ଜଣ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ସେମାନଙ୍କ ବୟସ ଯଥାକ୍ରମେ ୪୫, ୨୫, ୭୫ ଓ ୪୦ ବର୍ଷ । ଶିରିପୁର ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳରୁ ଜଣେ ୨୨ ବର୍ଷୀୟା ମହିଳା ଚିହ୍ନଟ ହୋଇଥିବା ବେଳେ ଘରୋଇ ହସ୍ପିଟାଲ୍ର ଜଣେ ମହିଳା କର୍ମଚାରୀ (୨୨) ମଧ୍ୟ କରୋନା ପଜିଟିଭ୍ ବାହାରିଛନ୍ତି । ଏଥିସହିତ ଅଶୋକ ନଗର ଜନପଥ ଟାୱାର ଅଞ୍ଚଳରୁ ଜଣେ (୫୦,ମହିଳା), ନୀଳାଦ୍ରିବିହାର ବୁଦ୍ଧ ପାର୍କ ଅଂଚଳରୁ ଜଣେ (୫୬,ମହିଳା), ସରକାରୀ ହସ୍ପିଟାଲ୍ର ଜଣେ କର୍ମଚାରୀ (୩୭ , ପୁରୁଷ), ଏନ୍-୩ ପାର୍କ ନିକଟ ନୟାପଲ୍ଲୀ ଅଞ୍ଚଳରୁ ଜଣେ ୪୨ ବର୍ଷୀୟା ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମହିଳା ଆକ୍ରାନ୍ତ ଜଣକ ଏକ ଘରୋଇ ହସପିଟାଲ୍ ର କର୍ମଚାରୀ ରହିଛନ୍ତି ।