ଓଡିଶାରେ ପହଞ୍ଚିଲା କରୋନା ଔଷଧ ରେମଡେସିଭିର୍

ଓଡିଶାରେ ପହଞ୍ଚିଲା କରୋନା ଔଷଧ ରେମଡେସିଭିର୍

ଓଡିଶା ବଡ ଖବର

#ଓଡିଶାରେ_ପହଞ୍ଚିଲା_କରୋନା_ଔଷଧ_ରେମଡେସିଭିର୍           ଭୁବନେଶ୍ୱର     :     କରୋନା ଔଷଧ ରେମଡେସିଭିର୍ ସୋମବାର ଓଡିଶାରେ ପହଞ୍ଚିଛି । ଉକ୍ତ ଔଷଧ ହସ୍ପିଟାଲରେ ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହେବ । ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଔଷଧ ଶହେ ମିଲିଗ୍ରାମ୍ ଭିଆଲରେ (ଇଞ୍ଜେକ୍ସନ ଯୋଗ୍ୟ) ଉପଲବ୍ଧ । ପଞ୍ଜୀକୃତ ଡାକ୍ତରୀ ଚିକିତ୍ସକଙ୍କ ତତ୍ୱାବଧାନରେ ଏହା ଏକ ଡାକ୍ତରଖାନାରେ, ଗୁରୁତର ଚିକିତ୍ସା ସେଟିଂରେ ଦିଆଯିବା ଆବଶ୍ୟକ ବୋଲି କମ୍ପାନି ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ଏହି ଔଷଧ ପାଇଁ ଭିଆଲ ପିଛା ସର୍ବାଧିକ ଖୁଚୁରା ମୂଲ୍ୟ ୫,୪୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

ହାଇଦ୍ରାବାଦସ୍ଥିତ ଔଷଧ ନିର୍ମାଣକାରୀ କମ୍ପାନୀ ‘ହେଟେରୋ’କୁ ‘ରେମଡେସିଭିର’ ଉତ୍ପାଦନ ଓ ବିକ୍ରି ପାଇଁ ଅନୁମିତ ମିଳିଥିଲା । ଏହା ପରେ ହେଟେରୋ ଏହାର ନାମ ‘କୋଭିଫର୍ ରଖି ଉତ୍ପାଦନ ଆରମ୍ଭ କରିଥିଲା । କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଗୁଜରାଟ ଏବଂ ତେଲେଙ୍ଗାନା ପରି କରୋନା ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟକୁ ୨୦,୦୦୦ କୋଭିଫର ବୋତଲ ପଠାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ କୋଲକାତା, ଇନ୍ଦୋର, ଭୋପାଳ, ଲକ୍ଷେ୍ନø, ପାଟନା ଓ ଭୁବନେଶ୍ୱର, ରାଂଚି, ଭିଜୟୱାଡା, କୋଚି, ତ୍ରିଭେନ୍ଦ୍ରମ ଏବଂ ଗୋଆକୁ ଔଷଧ ପଠାଇବା ନିମନ୍ତେ ନିଷ୍ପତି ନିଆଯାଇଥିଲା । ଫଳରେ ଆଜି ଏହି ଔଷଧ ଓଡ଼ିଶାରେ ପହଞ୍ଚିଛି । ୩-୪ ସପ୍ତାହ ମଧ୍ୟରେ କମ୍ପାନୀ ଏକ ଲକ୍ଷ ଔଷଧ ଉତ୍ପାଦନ କରିବାକୁ ଲକ୍ଷ ରଖିଥିବା ସେତେବେଳେ କହିଥିଲା ।

ଏହି ଔଷଧ କେବଳ ହସପିଟାଲ ଓ ସରକାରୀସ୍ତରରେ ଉପଲବ୍ଧ ହେବ । ଗର୍ଭବତୀ ମହିଳା, ଲିଭର ଓ କିଡନୀ ଫେଲ୍ ଥିବା ରୋଗୀ, ସ୍ତନ୍ୟପାନ କରାଉଥିବା ମହିଳା ଓ ୧୨ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଏହି ଔଷଧ ଦିଆଯିବ ନାହିଁ ।

ରେମଡେସିଭିରକୁ ପରୀକ୍ଷାମୂଳକ ଭାବେ ଆଂଟି ଭାଇରାଲ ଥେରାପି ରୂପେ ଗିଲଡ ପକ୍ଷରୁ ବାହାର କରାଯାଇଥିଲା । ଇବୋଲା ରୋଗୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଏହି ଔଷଧକୁ ଆମେରିକା କୋଭିଡ-୧୯ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରିଥିଲା । ସେଠାରେ ମଧ୍ୟ କେବଳ ଜରୁରୀ ବା ଅତ୍ୟନ୍ତ ସଙ୍କଟ ଅବସ୍ଥାରେ ଥିବା ରୋଗୀଙ୍କ କ୍ଷେତ୍ରରେ ଏହାର ବ୍ୟବହାରକୁ ଅନୁମତି ମିଳିଥିଲା ।