୮୦ କୋଟି ଲୋକଙ୍କୁ ନଭେମ୍ବର ପର୍ଯ୍ୟନ୍ତ ମାଗଣା ଚାଉଳ-ଡ଼ାଲି

୮୦ କୋଟି ଲୋକଙ୍କୁ ନଭେମ୍ବର ପର୍ଯ୍ୟନ୍ତ ମାଗଣା ଚାଉଳ-ଡ଼ାଲି

ଦେଶ -ବିଦେଶ ବଡ ଖବର

#୮୦_କୋଟି_ଲୋକଙ୍କୁ_ନଭେମ୍ବର_ପର୍ଯ୍ୟନ୍ତ_ମାଗଣା_ଚାଉଳ_ଡ଼ାଲି             ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଲକ୍ଡ଼ାଉନ କାଳରେ ଗରିବ ଲୋକଙ୍କୁ ମାଗଣାରେ ଚାଉଳ ଓ ଡ଼ାଲି ଯୋଗାଇ ଦିଆଯାଉଛି । ଏହି ବ୍ୟବସ୍ଥା ଆସନ୍ତା ଦୀପାବଳି ଓ ଛଟ୍ ପର୍ଯ୍ୟନ୍ତ ଅର୍ଥାତ୍ ନଭେମ୍ବର ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ । ପ୍ରତ୍ୟେକ ଗରିବଙ୍କୁ ମାସିକ ୫ କିଲୋ ଚାଉଳ କିମ୍ବା ଗହମ ଓ ୧ କିଲୋ ଡ଼ାଲି ଯୋଗାଇ ଦିଆଯିବ । ଏଥିରେ ଦେଶର ୮୦ କୋଟି ଲୋକ ଉପକୃତ ହେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଦେଶକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ ଏବେ ଏକ ସ୍ପର୍ଶକାତର ସମୟ ଦେଇ ଦେଶ ଗତି କରୁଛି । ସେହି ପାଣିପାଗ ସମୟରେ ଦେଶ ପ୍ରବେଶ କରିଛି ଯେଉଁ ସମୟରେ ଲୋକମାନେ ଥଣ୍ଡା, ଜ୍ବର ଓ କାଶର ସମ୍ମୁଖୀନ ହୋଇଥାଆନ୍ତି । ତେଣୁ ଏହି ସମୟରେ ନିଜର ଯତ୍ନ ନେବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଅନଲକ୍‌ ୧ ଲାଗୁ ହେବା ପରଠୁ କିଛଇ ଲକେ ବେପରୁଆ ହୋଇ ଗଲେଣି। କରୋନାରୁ ବଞ୍ଚିବା ପାଇଁ ଏବେ ଆମକୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି। ସ୍ଥାନୀୟ ପ୍ରଶାସନକୁ ସକ୍ରିୟତାର ସହିତ କାମ କରିବାକୁ ପଡିବ, ଯେମିତି ଲୋକେ ନିୟମ ପାଳନରେ ବେପରୁଆ ହେବେ ନାହିଁ। ଗାଁର ପ୍ରଧାନ ହୁଅନ୍ତୁ କି ଦେଶର ପ୍ରଧାନମନ୍ତ୍ରୀ କେହି ହେଲେ ନିୟମର ଉର୍ଦ୍ଧ୍ଵରେ ନାହାନ୍ତି ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ତିନି ମାସ ମଧ୍ୟରେ ୨୦ କୋଟି ଗରିବ ପରିବାରର ଜନ ଧନ ଆକାଉଣ୍ଟରେ ସିଧାସଳଖ ୩୧ ହଜାର କୋଟି ଟଙ୍କା ଜମା କରାଯାଇଛି। ଏହି ସମୟ ମଧ୍ୟରେ ନଅ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୮ ହଜାର କୋଟି ଜମା କରାଯାଇଛି। ଏହା ସହିତ ଦେଶରେ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ବ୍ୟବସ୍ଥା କରିବା ଉପରେ କାର୍ଯ୍ୟ ଚାଲିଛି। ଯେଉଁମାନେ ନିଜ ପରିବାର ପାଇଁ ଗାଁ ଛାଡି ଅନ୍ୟତ୍ର ଯାଉଛନ୍ତି, ସେମାନେ ଏହାର ଲାଭ ପାଇବେ।

ମୋଦୀ କହିଛନ୍ତି, ବର୍ଷା ଋତୁରେ ଏବଂ ପରେ ମୁଖ୍ୟତ କୃଷି କ୍ଷେତ୍ରରେ ଆମର ଅଧିକ କାମ ରହିଛି। ସେହି ସମୟରେ ଅନ୍ୟାନ୍ୟ କ୍ଷେତ୍ରରେ ସାମାନ୍ୟ ମନ୍ଥରତା ରହିବ। ଏହି ସମୟରେ ବିଭିନ୍ନ ପର୍ବଗୁଡ଼ିକ ମଧ୍ୟ ଆରମ୍ଭ ହେବ। ଏହି ସମୟରେ ଆବଶ୍ୟକତା ଏବଂ ଖର୍ଚ୍ଚ ବୃଦ୍ଧି ପାଇଥାଏ ବୋଲି ସେ କହିଛନ୍ତି। ଏହି ସବୁ ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବେ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ପ୍ରଧାନମନ୍ତ୍ରୀ ଏ ନେଇ କହିଛନ୍ତି ଯେ ସରକାର ଆମେରିକାର ମୋଟ ଜନସଂଖ୍ୟାର ଅଢେଇ ଗୁଣ ଅଧିକ ଲୋକ ଏବଂ ବ୍ରିଟେନର ଜନସଂଖ୍ୟା ଠାରୁ ୧୨ ଗୁଣ ଓ ୟୁରୋପୀୟ ୟୁନିଅନର ଦୁଇଗୁଣରୁ ଅଧିକ ଲୋକଙ୍କୁ ମାଗଣା ଶସ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ କରୋନା ସଂକ୍ରମଣ ସହିତ ଲଢେଇ ଚାଲିଥିବା ବେଳେ ଭାରତରେ ୮୦ କୋଟିରୁ ଅଧିକ ଲୋକଙ୍କୁ ତିନି ମାସର ରାସନ ଅର୍ଥାତ୍ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ପାଞ୍ଚ କିଲୋଗ୍ରାମ ଗହମ କିମ୍ବା ଚାଉଳ ମାଗଣାରେ ଦିଆଯାଇଛି।