୬୩ ଭାରତୀୟ କୁବେରଙ୍କ ପାଖରେ ରହିଛି ଦେଶର ମୋଟ୍ ବଜେଟ ସହିତ ସମାନ ସମ୍ପତ୍ତି

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

ଡାଭୋସ: ଦେଶର ଏକ ପ୍ରତିଶତ ଧନୀ ବ୍ୟକ୍ତି ବା କୁବେରଙ୍କ ପାଖରେ ୯୫.୩ କୋଟି ଲୋକଙ୍କ ସମ୍ପତ୍ତିର ୪ ଗୁଣା ସମ୍ପତ୍ତି ରହିଛି। ଏହି କୁବେରଙ୍କ ପାଖରେ ଥିବା ମୋଟ ସମ୍ପତ୍ତି ସାରା ଦେଶ ପାଇଁ ପ୍ରସ୍ତୁତ ହେଉଥିବା ବଜେଟର ପରିମାଣ ସହିତ ସମାନ। ଡାଭୋସରେ ଚାଲିଥିବା ବାଶ୍ୱ ଆର୍ଥିକ ମଞ୍ଚର ବୈଠକରେ ଉପସ୍ଥାପିତ ହୋଇଥିବା ରିପୋର୍ଟରେ ଏହା ପ୍ରକାଶ ପାଇଛି।

ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଆର୍ଥିକ ମଞ୍ଚର ୫୦ତମ ବୈଠକ ଚାଲିଛି। ଏହି ବୈଠକରେ ଅକ୍ସଫାମ ତରଫରୁ ଟାଇମ୍ ଟୁ କେୟାର ନାମରେ ଏହି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ବିଶ୍ୱର ମୋଟ ୨,୧୫୩ ଜଣ ଅରବପତିଙ୍କ ପାଖରେ ବିଶ୍ୱର ୬୦ ପ୍ରତିଶତ ବା ୪୬୦ କୋଟି ଲୋକଙ୍କ ସମ୍ପତ୍ତିଠାରୁ ଅଧିକ ସଂପତ୍ତି ରହିଛି।

ଅକ୍ସଫାମ ଦ୍ୱାରା ଉପସ୍ଥାପିତ ହୋଇଥିବା ରିପୋର୍ଟରେ ଭାରତ ବାବଦରେ ମଧ୍ୟ ଦର୍ଶାଯାଇଛି। ଦେଶର ୬୩ ଅରବପତିଙ୍କ ପାଖରେ ଥିବା ସଂପତ୍ତିର ପରିମାଣ ୨୦୧୮-୧୯ ବଜେଟ ପରିମାଣଠାରୁ ଅଧିକ ସମ୍ପତ୍ତି ରହିଛି। ୨୦୧୮-୧୯ରେ ଦେଶର ବଜେଟ ପରିମାଣ ଥିଲା ୨୪ ଲକ୍ଷ ୪୨ ହଜାର ୨୦୦ କୋଟି ଟଙ୍କା।

ଟାଇମ ଟୁ କେୟାର ରିପୋର୍ଟକୁ ଉପସ୍ଥାପନ କରିଥିବା ଅକ୍ସଫାମ୍ ଇଣ୍ଡିଆ ସିଇଓ ଅମିତାଭ ବେହର କହିଛନ୍ତି, ଧନୀ ଏବଂ ଗରିବଙ୍କ ମଧ୍ୟରେ ପ୍ରଭେଦ ବଢ଼ି ଚାଲିଛି। ଧନୀ ଲୋକଙ୍କ ସମ୍ପତ୍ତି ୧୦ ଗୁଣା ବଢ଼ିଚାଲିଛି, ହେଲେ ମୋଟାମୋଟି ଭାବରେ ସମସ୍ତ ଧନୀଙ୍କୁ ମିଶାଇଲେ ବର୍ଷେ ହେବ ଏହି ଧନୀ ଲୋକଙ୍କ ସଂପତ୍ତି ୧ ଗୁଣା କମିଛି।