୩୧ରୁ ସଂସଦର ବଜେଟ୍‌ ଅଧିବେଶନ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ଜାନୁଆରି ୩୧ ରୁ ଫେବ୍ରୁଆରି ୧୧ ଏବଂ ମାର୍ଚ ୨ ରୁ ଏପ୍ରିଲ୍‌ ୩ ତାରିଖ ଯାଏଁ ଦୁଇଟି ପର୍ଯ୍ୟାୟରେ ସଂସଦର ବଜେଟ୍‌ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସଂସଦୀୟ ବ୍ୟାପାର ବିଭାଗର କ୍ୟାବିନେଟ୍‌ କମିଟି କହିଛି।ଦୁଇଟି ବଜେଟ୍‌ ଅଧିବେଶନ ମଧ୍ୟର ସଂକ୍ଷିପ୍ତ ବିରତି ରହିବ ।ଫେବ୍ରୁଆରି ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍‌ ଆଗତ କରିବେ।

ନାଗରିକତା ସଂଶୋଧନ ଆଇନ ବିବାଦ ଏବଂ ଅର୍ଥନୈତିକ ମାନ୍ଦାବସ୍ଥା ଦୃଷ୍ଟିରୁ ଏଥର ସଂସଦର ବଜେଟ୍‌ ଅଧିବେଶନ ଗୁରୁତ୍ୱ ପୂର୍ଣ୍ଣ ହେବ।ବଜେଟ୍‌ ଅଧିବେଶନରେ ‘ସିଏଏ’ ଉପରେ ଅଧିକ ଧ୍ୟାନ ରହିବ ବୋଲି ଆଶା କରାଯାଉଥିବା ବେଳେ ବିରୋଧୀ ଦଳମାନେ ଆର୍ଥିକ ପରିସ୍ଥିତ ସୁଧାରିବା ସଂକ୍ରାନ୍ତରେ ସରକାରଙ୍କୁ ପ୍ରଶ୍ନ ପଚାରିବାର ସମ୍ଭାବନା ରହିଛି।

ମଙ୍ଗଳବାର ଦିନ ରିଲିଜ୍‌ ହୋଇଥିବା ଜିଡିପିର ବର୍ଦ୍ଧିତ ଆକଳନ ଅନୁସାରେ, ୨୦୨୦-୨୧ରେ ଭାରତର ଅର୍ଥନୀତି ୫ ପ୍ରତିଶତ ସମ୍ପ୍ରସାରଣ ହେବାର ସମ୍ଭାବନା ରହିଛି। ଗୋଟିଏ ଦଶନ୍ଧି ମଧ୍ୟରେ ଏହା ହେଉଛି ଆର୍ଥିକ ଅଗ୍ରଗତିର ସବୁଠୁ ମନ୍ଥର ଗତି। କିନ୍ତୁ, ସରକାର ବଜେଟ୍‌ ଘୋଷଣା କରିବା ଉପରେ ହିଁ ସବୁ ନିର୍ଭରଶୀଳ ବୋଲି ଅର୍ଥନୀତିଜ୍ଞମାନେ କହୁଛନ୍ତି।